ବାରିପଦା,09.12.2020 (ଲିଙ୍ଗରାଜ ପଣ୍ଡା) ଇତିମଧ୍ୟରେ ରାଜ୍ୟ ସରକାର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ କୁ ସମସ୍ତେ ଏକ ସମୟରେ ଗାନ କରିବା ପାଇଁ ଆହ୍ବାନ ଦେବା ପରେ, ଏହାର ଅଭୂତପୂର୍ବ ସଫଳତାକୁ ଉପଲବ୍ଧ କରାଯାଇଥିଲା । କେବଳ ଓଡ଼ିଶାରେ ନୁହେଁ; ଭାରତରେ ଓ ବିଦେଶରେ ସମସ୍ତେ ଏକ ସମୟରେ ଏହି ସଙ୍ଗୀତ ଗାନ କରି ଉତ୍ସାହିତ ହୋଇଥିବା ମଧ୍ୟ ପରିଲକ୍ଷିତ ହୋଇଥିଲା ।ଏହା ପରେ ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ଲାଗି ଓଡ଼ିଶା ସରକାର ଗତ ଜୁନ୍ ୭ (୨୦୨୦) ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳର ସ୍ବତନ୍ତ୍ର ବୈଠକରେ ଏହି ସଙ୍ଗୀତକୁ ଅନୁମୋଦନ କରିଥିଲେ । ଏହା ପରେ ଗତ ନଭେମ୍ବର ୧୩ (୨୦୨୦) ତାରିଖରେ ଏହି ସଙ୍ଗୀତକୁ ରାଜ୍ୟର ହାଇସ୍କୁଲର ସର୍ବୋଚ୍ଚ ଦଶମ ଓ ଏହାର ତଳ ଶ୍ରେଣୀ ନବମରେ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ। କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାରୁ ରାଜ୍ୟବାସୀ ଆନନ୍ଦିତ ହୋଇଥିଲେ। ଶତାଧୁକ ବର୍ଷ ପୂର୍ବରୁ ବାଲେଶ୍ୱରଠାରେ ‘ଉତ୍କଳ ସମ୍ମିଳନୀର ସ୍ବତନ୍ତ୍ର ଉତ୍ସବରେ ବିବଦ୍ଧ ଭାବେ ୧୯୧୨ ରେ ଏହି ସଙ୍ଗୀତକୁ ପ୍ରାରମ୍ଭିକ ଆବାହନ ସଙ୍ଗୀତ ଭାବେ ଗାନ କରାଯିବାକୁ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଇଚ୍ଛା କରିଥିଲେ । ସେ ଅନୁଯାୟୀ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିବା କୁହାଯାଏ । ଓଡ଼ିଶାର ଏ ଦୁଇ ବରପୁତ୍ରଙ୍କ ସମେତ ଅନ୍ୟାନ୍ୟ ବରପୁତ୍ରମାନଙ୍କ ସ୍ବପ୍ନ ବିଳମ୍ବରେ ହେଲେ ମଧ୍ୟ ସାକାର ହୋଇଛି । ସେତେବେଳେ ‘ଉତ୍କଳ ସମ୍ମିଳନୀ ବେଶ୍ ସକ୍ରିୟ ଥିଲା । ଏହାର ନିଷ୍ଠାପର ଆନ୍ଦୋଳନ ଫଳରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରିଥିଲା ୧୯୩୬ ଏପ୍ରିଲ ପହିଲାରେ ସେତେବେଳକୁ ମଧୁବାବୁ ଓ ଗୋପବନ୍ଧୁ ବାବୁ ଆଖୁ ବୁଝି ଦେଇଥିଲେ । ସେମାନଙ୍କ ପରେ ମଧ୍ୟ ସ୍ବତନ୍ତ୍ର ପ୍ରଦେଶ ଗଠନ ପୂର୍ବରୁ କାନ୍ତକବିଙ୍କ ପିତା, ବିହାରଓଡ଼ିଶା ବିଧାନସଭାର ପ୍ରଥମ ଓଡ଼ିଆ ଉପ-ବାଚସ୍ପତି (ଉପ-ସଭାପତି ବୋଲି କୁହାଯାଉଥିଲା) ଚୌଧୁରୀଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଯିଏ ମଧ୍ୟ ଉତ୍କଳ ସମ୍ମିଳନୀରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । କାନ୍ତକବି ଜନ୍ମ ହୋଇଥିଲେ କଟକ ସହର ଅନ୍ତର୍ଗତ ବାଖରାବାଦର ଧୂଆଁପତିରିଆ ଗଳିରେ ୧୮୮୮ ମସିହା ଡିସେମ୍ବର ୯ ତାରିଖରେ । ତାଙ୍କର ଛାତ୍ର ଜୀବନ ଅତିବାହିତ ହୋଇଥିଲା ଉଭୟ କଟକ ସହର ଓ କଲିକତା ମହାନଗରରେ । ତାଙ୍କର ଛାତ୍ର ଜୀବନ ହିଁ ସାହିତ୍ୟ ସାଧନା ପାଇଁ ଭିତିଭୂମି ସଦୃଶ ଥିଲା । ପରବର୍ତ୍ତୀ କାଳରେ ଭଦ୍ରକ ସହରର ଅନ୍ତର୍ଗତ ଅସ୍ତଳା (ନୂଆ ବଜାର) ଭାଗବତ ଭବନ ( ଏବେ କାନ୍ତ କୁଟୀର) ଓ ସ୍ଵଗ୍ରାମ ତାଳପଦାର ଉଆସ ତାଙ୍କର ସାହିତ୍ୟ ସାଧନା କ୍ଷେତ୍ରକୁ ଅଧ୍ବକ ପ୍ରଶସ୍ତ କରିଥିଲା । ସେବର ରେଭେନ୍ସା କଲେଜି ଏବେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲାଣି ଲକ୍ଷ୍ମୀକାନ୍ତ ଯେତେବେଳେ ରେଭେନ୍ସା କଲେଜରେ ପଢ଼ିଥିଲେ, ତାଙ୍କୁ କେହି କେହି ପୋଏଟ୍ ଲରେଟ୍ ବା କାନ୍ତକବି ବୋଲି ଡାକୁଥିଲେ । ମାତ୍ର ବିବଦ୍ଧ ଭାବେ ତାଙ୍କୁ କାନ୍ତକବି ଉପାଧୁ ପ୍ରଦାନ କରାଯାଇଥିଲା ୧୯୩୪ ରେ ଭଦ୍ରକ ହାଇସ୍କୁଲ ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ସମୃଦ୍ଧନା ସଭାରେ ଆୟୋଜକ ଥିଲେ ଡକଟର ଲକ୍ଷ୍ମୀନାରାୟଣ ସାହୁ (ପଦ୍ମଶ୍ରୀ) ଏବେ ଯେ ସ୍ବାମୀ ରାମଦେବଙ୍କ ଯୋଗାସନ ଶିକ୍ଷା ସର୍ବତ୍ର ଆଦୃତ ହୋଇଛି । ମାତ୍ର ବହୁ ପୂର୍ବରୁ କାନ୍ତକବି ତାଙ୍କ ରଚିତ ‘ଶରୀର ମାଦ୍ୟମ ପୁସ୍ତକରେ ଏପରି ଯୋଗାସନ ସହିତ ଶରୀରର ସହଜ ଚିକିତ୍ସା ସମନ୍ଧରେ ସୂଚନା ଦେଇଥିଲେ। କିଛି ବର୍ଷ ତଳେ ଏହି ପୁସ୍ତକର ଉପାଦେୟତା ସଂପର୍କରେ “ସମାଜ’ର ପ୍ରକାଶକ ତଥା ରାଷ୍ଟ୍ରୀୟ ଲୋକ ସେବକ ମଣ୍ଡଳର ସଂପାଦକ ଶ୍ରୀ ନିରଞ୍ଜନ ରଥ ଏକ ସଭାରେ ପ୍ରକାଶ କରିଥିଲେ । ୧୯୫୩ ମସିହା ଫେବୃଆରୀ ୨୪ ତାରିଖରେ ସାଧନା ପୀଠ ଭଦ୍ରକରେ କାନ୍ତକବିଙ୍କ ଦେହାନ୍ତ ହୋଇଥିଲା ତାଙ୍କର ମର ଶରୀରକୁ ଏକ ଶୋଭାଯାତ୍ରାରେ ତାଙ୍କର ସ୍ୱଗ୍ରାମ ତାଳପଦାକୁ ନିଆଯାଇଥିଲା ।
ଅଦ୍ବିତୀୟ କାନ୍ତକବି ଲକ୍ଷ୍ମୀକାନ୍ତ
|
December 9, 2020 |