ଭୁବନେଶ୍ୱର: ୨୮/୯/୨୬ (ସନ୍ଧାନ ନ୍ୟୁଜ) ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ କାର୍ଯ୍ୟରତ ଅତିଥି ଅଧ୍ୟାପକମାନଙ୍କ ମଧ୍ୟରୁ ଅନେକଙ୍କୁ ଏଯାଏଁ ମାର୍ଚ୍ଚ ଓ ଏପ୍ରିଲ ମାସର ପାରିଶ୍ରମିକ ମିଳିନଥିବା ଅଭିଯୋଗ ହୋଇଛି। ଫଳରେ ଦୀର୍ଘ ସମୟ ଧରି ପାରିଶ୍ରମିକ ଅପେକ୍ଷାରେ ରହିଥିବା ଅତିଥି ଅଧ୍ୟାପକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଅଭିଯୋଗ ଅନୁଯାୟୀ, ବିଭିନ୍ନ ସରକାରୀ ମହାବିଦ୍ୟାଳୟର ଅତିଥି ଅଧ୍ୟାପକମାନେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କ ନିକଟରେ ବକେୟା ପାରିଶ୍ରମିକ ସମ୍ପର୍କରେ ପଚାରିବା ସମୟରେ, ପାରିଶ୍ରମିକ ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗରୁ ଅନୁଦାନ/ଆବଣ୍ଟନ ଆସିନଥିବାରୁ ଅର୍ଥ ପ୍ରଦାନ କରାଯାଇପାରୁନଥିବା କୁହାଯାଉଛି ଅନ୍ୟପକ୍ଷରେ, ଏହି ବକେୟା ପାରିଶ୍ରମିକ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସାର୍ବଜନୀନ ସୂଚନା କିମ୍ବା ସମୟସୀମା ଘୋଷଣା କରାଯାଇନଥିବା ନେଇ ଅତିଥି ଅଧ୍ୟାପକମାନେ ପ୍ରଶ୍ନ ଉଠାଇଛନ୍ତି ଉଲ୍ଲେଖଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗର Guest Faculty ବ୍ୟବସ୍ଥା ପାଇଁ HIMS ପୋର୍ଟାଲରେ ସରକାରୀ ଓ ଅଣସରକାରୀ ମହାବିଦ୍ୟାଳୟର Guest Faculty engagement ପାଇଁ ଅନଲାଇନ ବ୍ୟବସ୍ଥା ରହିଛି। ସରକାରୀ ବଜେଟ୍ ଦଲିଲରେ ମଧ୍ୟ “Remuneration to Guest Faculty” ପାଇଁ ନିର୍ଦ୍ଦିଷ୍ଟ ବ୍ୟୟ ବ୍ୟବସ୍ଥା ଦର୍ଶାଯାଇଛି ବକେୟା ପାରିଶ୍ରମିକ ଯୋଗୁଁ ଦୂରଦୂରାନ୍ତରୁ ଆସି ବିଭିନ୍ନ ସ୍ଥାନରେ ରହି କାର୍ଯ୍ୟ କରୁଥିବା ଅତିଥି ଅଧ୍ୟାପକମାନେ ଅଧିକ ଆର୍ଥିକ ଚାପର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଘରଭଡ଼ା, ଯାତାୟାତ, ଦୈନନ୍ଦିନ ଖର୍ଚ୍ଚ ଓ ପରିବାରିକ ଦାୟିତ୍ୱ ମଧ୍ୟରେ ମାସ ମାସ ଧରି ପାରିଶ୍ରମିକ ନମିଳିବା ଅତିଥି ଅଧ୍ୟାପକଙ୍କ ପାଇଁ ଗୁରୁତର ସମସ୍ୟା ବୋଲି ସେମାନେ କହିଛନ୍ତି ଏହି ପରିସ୍ଥିତିରେ ୨୦୨୫-୨୬ ଶିକ୍ଷାବର୍ଷର ମାର୍ଚ୍ଚ ଓ ଏପ୍ରିଲ ମାସର ବକେୟା ପାରିଶ୍ରମିକ କେବେ ପ୍ରଦାନ କରାଯିବ, କେଉଁ କାରଣରୁ ବିଳମ୍ବ ହୋଇଛି ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆବଶ୍ୟକ ଅର୍ଥ ଆବଣ୍ଟନ କେବେ କରାଯିବ, ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ସହିତ ଶୀଘ୍ର ପଦକ୍ଷେପ ନିଆଯିବାକୁ ଅତିଥି ଅଧ୍ୟାପକମାନେ ଦାବି କରିଛନ୍ତି ସେମାନଙ୍କ ଦାବି ହେଉଛି, ପ୍ରତ୍ୟେକ କଲେଜରେ କେତେ ମାସର ପାରିଶ୍ରମିକ ବକେୟା ରହିଛି ତାହା ଚିହ୍ନଟ କରି ମହାବିଦ୍ୟାଳୟୱାରୀ ବକେୟା ତାଲିକା ପ୍ରସ୍ତୁତ କରାଯାଇ ଶୀଘ୍ର ଅର୍ଥ ଆବଣ୍ଟନ ଓ ପାରିଶ୍ରମିକ ପ୍ରଦାନ କରାଯାଉ। ଏଥିସହ ଭବିଷ୍ୟତରେ ଅତିଥି ଅଧ୍ୟାପକମାନଙ୍କ ପାରିଶ୍ରମିକ ସମୟୋପଯୋଗୀ ଭାବେ ପ୍ରଦାନ ପାଇଁ ଏକ ସ୍ପଷ୍ଟ ଓ ନିୟମିତ ବ୍ୟବସ୍ଥା କରାଯିବାକୁ ମଧ୍ୟ ଦାବି ହୋଇଛି।
ଅତିଥି ଅଧ୍ୟାପକଙ୍କ ମାର୍ଚ୍ଚ-ଏପ୍ରିଲ ପାରିଶ୍ରମିକ ଏଯାଏଁ ବକେୟା: ଉଚ୍ଚଶିକ୍ଷା ବିଭାଗର ସ୍ପଷ୍ଟୀକରଣ ଦାବି
|
September 28, 2026 |



