୫୦ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି

Spread the love

କଟକ, 29.01.2021 (ସନ୍ଧାନ ନିଉଜ୍) : କଟକରେ ୫୦ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଖବର ପଛର ଅସଲ କାହାଣୀ କ, ବୁଝିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍‌ ୭ଟିମ୍‌ । ତେବେ ପରିବାର ଲୋକେ ଶିଶୁକନ୍ୟା ବିକ୍ରି କଥାକୁ ଅସ୍ବିକାର କରିଥିବା ବେଳେ ସାମ୍ନାକୁ ଆସିଛି ଅସହାୟତାର କରୁଣ କାହାଣୀ । ଯାହାକୁ ଆମ ବ୍ୟବସ୍ଥା, ଆମ ପ୍ରଶାସନ ଗୁରୁତର ସହ ବୁଝିବା ଦରକାର । କଟକରୁ ଗୋଟେ ବ୍ରେକିଂ ନ୍ୟୁଜ୍‌ ଆସିଲା । ୫୦ହଜାର ଟଙ୍କାରେ ବିକ୍ରି ହୋଇଛି ଶିଶୁକନ୍ୟା । ଏହି ଖବର ପଛର ମୂଳ ସହ ଜଡ଼ିତ ଦୁଇ ଚରିତ୍ର ବନିତା ଆଉ ତାଙ୍କ ସ୍ବାମୀ କୈଳାଶ ନାୟକ ଆମ ପାଇଁ ନୂଆ ନଥିଲେ । କାରଣ ଗଲାବର୍ଷ ଅର୍ଥାତ୍‌ ୨୦୨୦ ଜୁଲାଇ ୧୦ରେ ନ୍ୟୁଜ୍‌ ୭ ଏହି ଶିଶୁକନ୍ୟାର ଅସହାୟ ଦମ୍ପତ୍ତିଙ୍କ ଖବର ପ୍ରଶାରଣ କରିଥିଲା ।ସେମାନଙ୍କ ଅଭାବ ଅସୁବିଧା ପ୍ରସଙ୍ଗକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ନଜରକୁ ଆଣିବାକୁ ଚେଷ୍ଟା କରିଥିଲା । ତଥାପି ନାନେତା ନାପ୍ରଶାସନ କେହି ଏଥିପ୍ରତି ଦୃଷ୍ଟି ଦେଇନଥିଲେ । କଟକ କାଠଯୋଡ଼ି ବିହାର ବସ୍ତିରେ ଧୁଳିଧୁଷର ହୋଇ ବୁଲୁଛନ୍ତି ୪ ଝିଅ । ଏମାନେ ସମସ୍ତେ ହେଉଛନ୍ତି  ଶିଶୁକନ୍ୟା ବିକ୍ରି ଅଭିଯୋଗ ଆସିଥିବା ଶିଶୁକନ୍ୟାର ମାଆ ବନିତାଙ୍କ ସନ୍ତାନ । ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନଥିବା ବେଳେ ଏକ ଦୁର୍ଘଟଣାର ଶିକାର ବନିତା ଓ ତାଙ୍କ ସ୍ବାମୀ ଏବେ ଅକର୍ମଣ୍ୟ । ରୋଜଗାର ବୋଲି କିଛି ନାହିଁ । ଏମିତିରେ ୪ ଚାରିଟା ସନ୍ତାନଙ୍କ ଲାଳନପାଳନ ଦାୟିତ୍ବ । କେମିତି ଏହି ପିଲାମାନଙ୍କୁ ପାଳିବେ ତାକୁ ନେଇ ସନ୍ଦିହାନ୍‌ ହୋଇପଡ଼ିଛନ୍ତି ବନିତା ଓ ତାଙ୍କ ସ୍ବାମୀ । ସାହି ପଡ଼ିଶା ହାତଟେକି କେହି କିଛି ଖାଦ୍ୟ ଦେଲେ ପିଲାଙ୍କ ପେଟରେ ପଡ଼େ, ନହେଲେ ଉପାସରେ ଦିନ କଟେ । କେତେ ଦିନ ଏମିତି ଅଭାବ ଅନଟନ ଭିତରେ ଚଳିବେ ତାର ବି କିଛି ହିସାବ ନାହିଁ । ଏମିତିରେ ପିଲାଙ୍କ ପେଟର ଭୋକ ଏହି ଦମ୍ପତ୍ତିଙ୍କୁ ଡହଳ ବିକଳ କରୁଛି । ପିଲା ପାଳିବାକୁ ଅସହାୟ ବନିତା ଶେଷରେ ଏକ ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେବାକୁ ବାଧ୍ୟ ହୋଇଥିଲେ । ଭାବିଥିଲେ ତାଙ୍କ ପାଖରେ ଭୋକ ଉପାସରେ ରହୁଥିବା ଶିଶୁକନ୍ୟା ପରଘରେ ଅନ୍ତତଃ ଖାଦ୍ୟ ଟିକେ ତ ପାଇବ । କୌଣସି ଟଙ୍କା ଲୋଭରେ ସେ ତାଙ୍କ ଶିଶୁକନ୍ୟାକୁ ବିକ୍ରି କରିନାହାନ୍ତି । ବରଂ ନିଜର ଅସହାୟତା ପାଇଁ  ଅନ୍ୟ ଉପରେ ଭରସା କରିବାକୁ ବାଧ୍ୟ ହୋଇଛନ୍ତି ।  ନିଜ ଅସହାୟତା ପାଇଁ ପରହାତକୁ ନିଜ ସନ୍ତାନକୁ ଟେକି ଦେବାକୁ ବାଧ୍ୟ ହୋଇଥିଲେ ଏହି ଦମ୍ପତ୍ତି । ପୂର୍ବରୁ ଯେତେବେଳେ ନ୍ୟୁଜ୍‌ ୭ ଏହି ଅସହାୟ ପରିବାରର କାହାଣୀ ଦେଖାଇଥିଲା, ପ୍ରଶାସନର ସହାୟତା ଲୋଡ଼ିଥିଲା, ସେତେବେଳ ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଥାନ୍ତା, ତାହେଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ସରକାରଙ୍କ ମାଳ ମାଳ ଗରିବ କଲ୍ୟାଣ ଯୋଜନା ଥିବା ସତ୍ବେ କାହିଁକି ଏହା ବନିତା ଓ କୈଳାଶଙ୍କ ଭଳି ଅସହାୟଙ୍କ ପାଖରେ ପହଞ୍ଚୁନି ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।

Related Posts

About The Author

Add Comment