ବାରିପଦା, ୨୯/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ଖୁଣ୍ଟା ଥାନା ଅଧୀନ ଜୁରାଡିହି ଗ୍ରାମ ନିକଟରୁ ପୁଲିସ ଆଜି ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ମୃତ ମହିଳା ହେଲେ ସଂପୃକ୍ତ ଗ୍ରାମର ଲୋଦ ମୁର୍ମୁଙ୍କ ପତ୍ନୀ ସିଙ୍ଗା(୫୨) ସେ ଗତ ୨୨ ତାରିଖରୁ ନିଖୋଜ ଥିଲେ। ତେବେ ଆଜି ତାଙ୍କ ଘର ପଛପଟେ ପ୍ରାୟ ଚାରିଶହ ମିଟର ଦୂରରେ ଥିବା ଚାଷଜମି ନିକଟ ଏକ ବୁଦା ମୂଳରେ ତାଙ୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଓ ପୁଲିସକୁ ସୂଚନା ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଛୁଟିଥିଲେ ଶହଶହ ଲୋକା ଖବର ପାଇ ଥାନା ଏଆଇ ସୌମ୍ୟଜିତ ଭୋଳଙ୍କ ନେତୃତ୍ବରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ଉଦ୍ଧାରବେଳେ ମହିଳା ଜଣଙ୍କ ପିନ୍ଧିଥିବା ଶାଢ଼ିର କିଛି ଅଂଶ ତାଙ୍କ ବେକରେ ଗୁଡାଯିବା ସହିତ ଗଣ୍ଡି ପଡ଼ିଥିବା ଦେଖାଯାଇଥିଲା। ତେଣୁ ସିନ୍ଗୋଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଏ ନେଇ ଥାନାରେ କେସ୍ ନଂ ୭୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏଥିସହ ତଦନ୍ତକୁ ଦ୍ବାରାନ୍ବିତ କରିବାକୁ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଉଛି ପୁଲିସ ।
ବାରିପଦା ଟାଉନ ଥାନା ଅନ୍ତର୍ଗତ ବାବୁସାହିରେ ଅଘଟଣ। ବିବାହର ମାତ୍ର ୯ ମାସ ପରେ ନବବଧୂର ମୃତ୍ୟୁ ମୃତକ ହେଉଛନ୍ତି ସୁମିତ ମହାପାତ୍ରଙ୍କ ପତ୍ନୀ ମନସ୍ମିତା। ସେ ଆଜି ନିଜ ଶୋଇବା ଘର ଭିତରେ ଶାଢ଼ୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ମାତ୍ର ତାଙ୍କ ମୃତଦେହ ଝୁଲିବା ପରିବର୍ତ୍ତେ ବେଡ୍ ଉପରେ ବସିବା ସ୍ଥିତିରେ ଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଛି। ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବାରିପଦା ଟାଉନ ପୁଲିସ କହୁଛି। ସୂଚନାଯୋଗ୍ୟ; ଗତ ମାର୍ଚ୍ଚ ମାସରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଚାନ୍ଦପଡା ଗ୍ରାମର କୈଳାସ ସାମଲଙ୍କ ଝିଅ ମନସ୍ମିତାଙ୍କୁ ବିବାହ କରିଥିଲେ ସୁମିତ ।
ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ସାପ୍ତାହିକ ହାଟ ଚାଳିଆରୁ ଆଜି ସକାଳେ ବଡ଼ସାହି ପୁଲିସ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି । ମୃତକ ହେଲେ ପ୍ରତାପପୁର ଗ୍ରାମର କାଶୀନାଥ ନାଏକଙ୍କ ପୁଅ ଶଙ୍କର୍ଷଣ(୪୪) । ସବୁଦିନ ଭଳି ଗତକାଲି ମଧ୍ୟ ହାଟରେ ବ୍ରଏଲର କୁକୁଡ଼ା କାଟି ବିକ୍ରି କରୁଥିଲେ ଶଙ୍କର୍ଷଣ ହେଲେ ହାଟ ପରେ ଘରକୁ ଫେରି ନଥିଲେ । ଘରଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ତେବେ ଆଜି ସକାଳେ ହାଟ ଚାଳିଆରେ ଶଙ୍କର୍ଷଣଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ଘରକୁ ଖବର ଦେଇଥିଲେ। ଏ ନେଇ ବଡ଼ସାହି ଥାନାକୁ ଜଣାଇବା ପରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ୍ୟୁର କାରଣ ଜଣାପଡ଼ିନି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କଣ୍ଠ କହିଛନ୍ତି।