୨୦୨୦ ସୁଦ୍ଧା ମହାକାଶକୁ ପଠାଯିବ ଜିଏସ୍‌ଏଟି ୭ଆର ସାମରିକ ଉପଗ୍ରହ

Spread the love

ନୂଆଦିଲ୍ଲୀ ୧୯/୭ (ସନ୍ଧାନ ନିଉଜ) : ନିଜର କ୍ଷମତା ବଢ଼ାଇବା ପାଇଁ ଭାରତୀୟ ନୌସେନା ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌(ଇସ୍ରୋ)କୁ ଏକ ନୂଆ ସାମରିକ ଉପଗ୍ରହ ବରାଦ କରିଛି। ଏହି ଉପଗ୍ରହର ନାମ ଜିଏସ୍‌ଏଟି ୭ଆର୍‌। ଏହି କୃତ୍ରିମ ଉପଗ୍ରହଟିକୁ ମହାକାଶକୁ ପଠା ଗଲେ ଏହା ନୌସେନାର ଯୁଦ୍ଧପୋତ, ବିମାନ ଓ ଉପକୂଳ ତଟ ଘାଟୀଗୁଡ଼ିକୁ ଶତ୍ରୁପକ୍ଷର ଉପସ୍ଥିତି ନେଇ ସୂଚନା ପ୍ରଦାନ କରିବ।

ରିପୋର୍ଟ ଅନୁସାରେ, ଏହି ଉପଗ୍ରହଟିକୁ ଇସ୍ରୋ ଦ୍ୱାରା ୨୦୨୦ ସୁଦ୍ଧା ମହାକାଶକୁ ପ୍ରେରଣ କରାଯିବ। ଏଥିପାଇଁ ପ୍ରକଳ୍ପରେ ସମୁଦାୟ ୧,୫୮୯ କୋଟି ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି। ଭାରତର ପ୍ରଥମ ଉତ୍ସର୍ଗୀକୃତ ସାମରିକ ଉପଗ୍ରହ ‘ଜିଏସ୍‌ଏଟି ୭’ର ଏହି ନୂଆ ଉପଗ୍ରହ ବିକଳ୍ପ ବୋଲି କୁହାଯାଉଛି। ‘ଜିଏସ୍‌ଏଟି ୭’ ଉପଗ୍ରହ ୨୦୧୩ ମସିହାରେ ମହାକାଶକୁ ପଠାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଇସ୍ରୋକୁ ଏହି ନୂତନ ଉପଗ୍ରହ ନିର୍ମାଣ ପାଇଁ ଭାରତୀୟ ନୌସେନା ଜୁନ୍‌ ୧୧ ତାରିଖରେ ବରାଦ ଦେଇସାରିଛି। ଭବିଷ୍ୟତରେ ନୌସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ‘ଜିଏସ୍‌ଏଟି ୭ଆର୍‌’ ଉପଗ୍ରହକୁ ତିଆରି କରାଯିବ।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବରରେ ଶ୍ରୀହରିକୋଟାରେ ଥିବା ସତିଶ ଧାଓ୍ଵନ ସ୍ପେସ୍‌ ସେଣ୍ଟର୍‌ରୁ ଇସ୍ରୋ ସଫଳତାର ସହ ‘କମ୍ୟୁନିକେସନ ସାଟେଲାଇଟ୍‌ ଜିଏସ୍‌ଏଟି ୭ ଏ ଅନ୍‌ବୋର୍ଡ ଜିଏସ୍‌ଏଲ୍‌ଭି-ଏଫ୍‌୧୧’ ପ୍ରେରଣ କରିସାରିଛି। ଏହାର ନାମ ରଖାଯାଇଛି ‘ଇଣ୍ଡିଆନ୍‌ ଆଙ୍ଗ୍ରିବାର୍ଡ’। ସେହିପରି ମାର୍ଚ ଓ ଏପ୍ରିଲ୍‌ ମାସରେ ମଧ୍ୟ ଇସ୍ରୋ ମହାକାଶକୁ ୨ଟି ପୃଥକ ଉପଗ୍ରହ ପ୍ରେରଣ କରିଥିବା ସୂଚନା ରହିଛି।

Related Posts

About The Author

Add Comment