ଯାଜପୁର: ୨୫/୧୨/୨୫ (ସନ୍ଧାନ ନ୍ୟୁଜ ) : ୧୫ତମ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା ପୁସ୍ତକ ମହୋତ୍ସବ କମିଟିର ସଭାପତି ସନ୍ତୋଷ କୁମାର ନନ୍ଦଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ମା’ବିରଜାଙ୍କ ଫଟୋରେ ମାଲ୍ୟାର୍ପଣ କରି ଉତ୍ସବର ଉଦ୍ଘାଟନ କରିଥିଲେ । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ସ୍ତୋତ୍ରପାଠ କରିଥିଲେ । କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ମହାପାତ୍ର ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ ସଂଗଠନ ସଂପାଦକ ହୃଷିକେଶ ପତି ପରିଚୟ ପ୍ରଦାନ କରିଥିଲେ । ପୁସ୍ତକ ମହୋତ୍ସବ କମିଟିର ସଂପାଦକ ଡ଼. କାହ୍ନୁ ଚରଣ ମିଶ୍ର ପୁସ୍ତକ ମହୋତ୍ସବ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ବିଷୟର ବିଷଦ୍ ବିବରଣୀ ପ୍ରଦାନ କରିଥିଲେ । ଉଦ୍ଘାଟକ ଅତରିକ୍ତ ଜିଲ୍ଲାପାଳ ଯୁଧିଷ୍ଠରି ନାୟକ ମହୋତ୍ସବ ଭାଷା ସାହିତ୍ୟ ଓ ସଂସ୍କୃତିର ଏକ ଅପୁରନ୍ତ ସମାହାର; ବିକଶିତ ଜୀବନର ପ୍ରତ୍ୟେକଟି ଇସ୍ତାହାର ପୁସ୍ତକ ସହ ଜଡ଼ିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥିଭାବେ ମାନନୀୟ ରାଜ୍ୟ ସଭା ସାଂସଦ ସୁଲତା ଦେଓ ଯୋଗଦେଇ ପୁସ୍ତକର ଅଦୃଶ୍ୟ ଶକ୍ତି ମାନବକୁ ମାନବୋତ୍ତର ଅବସ୍ଥାରେ ପହଞ୍ଚାଇବା ସଙ୍ଗେ ସଙ୍ଗେ ଗୋଟିଏ ଦେଶ ଓ ଜାତିର ବିବର୍ତ୍ତନ ବାଦରେ ନୂତନ ଇତିହାସ ଲେଖିଥାଏ ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ଯାଜପୁରର ମାନ୍ୟବର ବିଧାୟିକା ସୁଜାତା ସାହୁ ଯୋଗଦେଇ ଡିଜିଲାଇଜେସନ ମାଧ୍ୟମରେ ଆମେ ଯେତେ ତଥ୍ୟ ଉପଲବ୍ଧ କରୁଛୁ ତାହା ପରେମଧ୍ୟ ବହୁ ତଥ୍ୟ ପୁସ୍ତକ ମାଧ୍ୟମରେ ଆମକୁ ମିଳିପାରୁଛି । ସେଥିନିମନ୍ତେ ପୁସ୍ତକର ବହୁଳ ଆବଶ୍ୟକତା ଅଛି ବୋଲି ସେ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିଭାବେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଉପାଧ୍ୟକ୍ଷ ରାଜୀବ ମହାନ୍ତି ଯୋଗଦେଇ ଜୀବନକୁ ସରସ ସୁନ୍ଦର ଓ କର୍ମଠ କରିବାକୁ ହେଲେ ବହିହିଁ ସବୁଠାରୁ ଭଲ ସହଚର ବନ୍ଧୁ ହିସାବରେ ସହଯୋଗ ଦେଇଥାଏ ବୋଲି ପ୍ରକାଶ କରିଥିଲେ । ଅପରାହ୍ନ ଅଧିଶେନରେ ଯାଜପୁର ଇନ୍ଟାକ୍ ଚାପ୍ଟର ତରଫରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ବଳରାମ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ନାୟକ, ପ୍ରଫେସର ଉଦୟ ନାରାୟଣ ପରିଡ଼ା, ପ୍ରାକ୍ତନ ଅଧ୍ୟକ୍ଷ ଅନିଲ୍ କୁମାର ମହାନ୍ତି, ଆବସର ପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ଦାଶ, ପ୍ରାକ୍ତନ ଅଧ୍ୟକ୍ଷ ଡ. କ୍ଷୀରୋଦ ଚନ୍ଦ୍ର ବେହେରା, ଡ଼. ଦାମୋଦର ବେହରା, ପ୍ର. ପ୍ରସନ୍ନ କୁମାର ରାଉତ, ଡ଼. ଦୁଷ୍ମନ୍ତ ନାୟକ, ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ପ୍ରମୁଖ ଐତିହ୍ୟ ସଂସ୍କୃତି ଓ ପରଂପରାରେ ଯାଜପୁର ଶୀର୍ଷକ ଆଲୋଚନା ଚକ୍ରରେ ଆଲୋଚନା କରିଥିଲେ । ଡିଏବି ଡ୍ୟାନ୍ସ ଗ୍ରୁପ ତରଫରୁ ଶ୍ରୀୟା ରାଣୀ ପାଢ଼ୀ ସ୍ୱାଗତ ନୃତ୍ୟ କରିଥିଲେ । ବଲାଙ୍ଗୀର ଢ଼ୋଲ ମହୁରୀ ବାଦ୍ୟ ତରଫରୁ ନୀଳାଞ୍ଜଳ ନନ୍ଦଙ୍କର ନେତୃତ୍ୱରେ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଭୁବନେଶ୍ୱରର କଳାକାର ସଂସ୍ଥା ତରଫରୁ ବାଦ୍ୟ ବିଚିତ୍ରା ପରିବେଷଣ କରିଥିଲେ । ଗଣ ମାଧ୍ୟମର ସଂଯୋଜକ ଆଦିତ୍ୟ ନାରାୟଣ ମହାନ୍ତି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସନ୍ତୋଷ କୁମାର ମିଶ୍ର, ଅଧିକାରୀ ନବକିଶୋର ଦାସ, ଡକ୍ଟର ହରିଶ୍ଚନ୍ଦ୍ର ପଣ୍ଡା, ଦୁର୍ଯ୍ୟୋଧନ ବେହେରା, ସଂଗ୍ରାମ ସାହାଣୀ, ସଂଗ୍ରାମ ଜେନା ପ୍ରମୁଖ ସହଯୋଗ କରିଥିଲେ । ଉପସଭାପତି ବିଭୂତି ଭୂଷଣ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ମାନିତ ଅତିଥିଭାବେ ପ୍ରଫେସର ବଟକୃଷ୍ଣ ମହାପାତ୍ର, ଅଧ୍ୟାପକ କୁଳମଣି ଜେନା, ଶିକ୍ଷାବିତ୍ ରଣଜିତ କର ପ୍ରମୁଖ ବହି ମଣିଷର ଜୀବନକୁ ଅନ୍ଧକାରର ଅତଳ ଗର୍ଭରୁ ଆଲୋକର ଉଜ୍ୱଳ ବର୍ତ୍ତିକା ଆଡକୁ ନେଇ ସମାଜରେ ପ୍ରତିଷ୍ଠିତ କରିଥାଏ ବୋଲି ପ୍ରକାଶ କରିଥିଲେ । (ଫଟୋ ଅଛି)
୧୫ତମ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା
|
December 25, 2025 |



