ନୂଆଦିଲ୍ଲୀ, ୫/୮(ସନ୍ଧାନ ନିୟୁଜ): ଜିଏସ୍ଟି(ଦ୍ରବ୍ୟ ଓ ସେବା କର) ପରିଷଦର ବୈଠକରେ ଶନିବାର ହୋଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ସରକାର ଡିଜିଟାଲ ପେମେଣ୍ଟ ଉପରେ ଜିଏସ୍ଟିରେ ୨୦ ପ୍ରତିଶତ ରିହାତି ଦେବା ପାଇଁ ଘୋଷଣା କରିଛନ୍ତି। ଜିଏସ୍ଟି ପରିଷଦର ବୈଠକ ପରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ରିପୋର୍ଟ ଅନୁସାରେ ସରାକାରଙ୍କ ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଇ ଡିଜିଟାଲ ପେମେଣ୍ଟରେ ଜିଏସ୍ଟି ଉପରେ ରିହାତି ଲାଗୁ କରାଯିବ। ଏହାରି ମାଧ୍ୟମରେ ଗ୍ରାହକଙ୍କୁ କ୍ୟାସ୍ବ୍ୟାକ୍ ମିଳିବ। ଏହି ରିହାତି କେବଳ ୟୁପିଆଇ, ଭୀମ ଆପସ୍, ୟୁଏସ୍ଏସ୍ଡି ଓ ରୂପେ କାର୍ଡ ଦ୍ୱାରା ପେମେଣ୍ଟ କଲେ ମିଳିବ। ଏଥି ସହିତ ଅଧିକ ଭାବରେ ୧୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ସରକାର ମନେ କରୁଛନ୍ତି ଯେ, ଦେଶର ନିମ୍ନ ଓ ମଧ୍ୟମ ବର୍ଗର ଲୋକେ ଏହି ଆପସ୍ଗୁଡ଼ିକ ବ୍ୟବହାର କରୁଛନ୍ତି। ସେହିଭଳି ଗ୍ରାମାଞ୍ଚଳର ଲୋକେ ୟୁପିଆଇ, ଭୀମ ଆପସ୍, ୟୁଏସ୍ଏସ୍ଡି ଓ ରୂପେ କାର୍ଡ ଅଧିକ ବ୍ୟବହାର କରୁଛନ୍ତି। ଏହା ଦ୍ୱାରା ଦେଶର କମ ଆୟ କରୁଥିବା ଲୋକଙ୍କୁ ଲାଭ ମିଳିବ।