ନୂଆଦିଲ୍ଲୀ, ୨୬/୪ (ସନ୍ଧାନ ନିୟୁଜ) : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ହେଲିକପ୍ଟରକୁ ଛିନ୍ଦୱାଡ଼ାର ଉମରେଥରେ ଅବତରଣ ଅନୁମତି ମିଳିନାହିଁ। ଗତକାଲି ଅପରାହ୍ନ ୫.୩୦ରେ ଏକ ରାଲି ପାଇଁ ଶିବରାଜଙ୍କ ହେଲିକପ୍ଟର ଉମରେଥରେ ଅବତରଣ କରିବାର ଥିଲା। କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। ଅପରାହ୍ନ ୫ଟା ମଧ୍ୟରେ ହିଁ ଶିବରାଜଙ୍କ ହେଲିକପ୍ଟର ଅବତରଣ କରିପାରିବ ଏବଂ ଏହି ସମୟ ଅତିକ୍ରମ କଲେ ଆଉ ଅନୁମତି ମିଳିବ ନାହିଁ ବୋଲି ଭୋପାଳ ଅଧିକାରୀମାନେ କହିବାପରେ ଏଥିରେ ଶିବରାଜ କ୍ଷୁବ୍ଧ ହୋଇ ଜିଲ୍ଲାପାଳଙ୍କୁ ଧମକାଇଥିଲେ। ଶିବରାଜ କହିଥିଲେ ଯେ ପଶ୍ଚିମବଙ୍ଗରେ ମମତା ଦିଦି ଆମ ହେଲିକପ୍ଟର ଅବତରଣ କରାଇ ଦେଲେନି।
ଏହାପରେ କମଳନାଥ ବି ସମାନ କାର୍ଯ୍ୟ କଲେ। ତେବେ ମନେ ରଖ ଆମର ଦିନ ଫେରିଲେ ତୁମର ଅବସ୍ଥା କ’ଣ ହେବ। ଅନ୍ୟପକ୍ଷେ ଜିଲ୍ଲାପାଳ ଶ୍ରୀନିବାସ ଶର୍ମା କହିଛନ୍ତି ଯେ ସେମାନେ ନିୟମ ଅନୁଯାୟୀ କାର୍ଯ୍ୟ କରିଛନ୍ତି। ପୂର୍ବାହ୍ନ ୧୦ଟାରୁ ୫ଟା ମଧ୍ୟରେ ହେଲିକପ୍ଟର ଅବତରଣର ଅନୁମତି ମିଳୁଛି କିନ୍ତୁ ଶିବରାଜଙ୍କ ହେଲିକପ୍ଟର ଅବତରଣ ପାଇଁ ୫.୨୦ରେ ଅନୁମତି ମଗାଯାଇଥିବାରୁ ଏଥିପାଇଁ ଅନୁମତି ମିଳିନଥିବା ସେ କହିଛନ୍ତି।