ହେରାପଞ୍ଚମୀ: ନନ୍ଦିଘୋଷ ଚକଭାଙ୍ଗିଲେ ମହାଲକ୍ଷ୍ମୀ

Spread the love

ପୁରୀ, 19/07 (ସନ୍ଧାନ ନିୟୁଜ):  ହେରାପଞ୍ଚମୀ ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଚକ ଭାଙ୍ଗିଛନ୍ତି ମହାଲକ୍ଷ୍ମୀ। ବୁଧବାର ହେରାପଞ୍ଚମୀ ତିଥିରେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିଥିଲେ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ଦେଖି ସେ କ୍ରୋଧାନ୍ବିତ ହୋଇଥିଲେ। ପତିମହାପାତ୍ରଙ୍କ ଦ୍ବାରା ସେଠାରେ ପ୍ରସାଦଲାଗି, ବନ୍ଦାପନା, ଚାମର ଆଲଟଲାଗି, ଘସାବିଡିଆ ଓ ଦହିପଟି ମଣୋହି କରାଯାଇଥିଲା। ଆଡ଼ପମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ପୂଜା ବସିଥିବା ବେଳେ ମହାଲକ୍ଷ୍ମୀ ଜଗମୋହନସ୍ଥିତ ଜୟବିଜୟ ଦ୍ବାର ନିକଟକୁ ବିଜେ କରିଥିଲେ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ପୂଜାପଣ୍ଡା ସେବକ ମା’ଙ୍କୁ ପ୍ରଦାନ କରିଥିଲେ। ଦଶମୀ ତିଥିରେ ଶ୍ରୀମନ୍ଦିରକୁ ଫେରିବାକୁ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ଦେବାପରେ ଲକ୍ଷ୍ମୀଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେରିବା ସମୟରେ ସେ ନନ୍ଦିଘୋଷ ରଥର ଗୋଟିଏ ଚକ ଭାଙ୍ଗିଥିଲେ। ତାଙ୍କୁ ସାଥୀରେ ନନେଇ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବାରୁ ଅଭିମାନ କରିଛନ୍ତି ଜଗତଜନନୀ। ଗୋପନରେ ଗୁଣ୍ଡିଚା ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦେଖିବା ସହ ତାଙ୍କ ରଥଚକ ଭାଙ୍ଗିଛନ୍ତି। ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ହେରାପଞ୍ଚମୀ ତିଥିରେ ଲକ୍ଷ୍ମୀଠାକୁରାଣୀଙ୍କୁ ପାଳିଆ ସେବକ ମାଜଣା କରିଥିଲେ।
ମା’ଙ୍କୁ ପାଟଶାଢି, ଫୁଲ ଏବଂ ସୁବର୍ଣ୍ଣ ଅଳଙ୍କାରରେ ବେଶ କରାଯାଇଥିଲା। ଘଣ୍ଟ, ଛତା ଓ କାହାଳି ସହ ବିମାନରେ ବସି ମହାଲକ୍ଷ୍ମୀ ଶରଧାବାଲିକୁ ବିଜେ କରିଥିଲେ। ଫେରିବା ସମୟରେ ବିଭିନ୍ନ ସ୍ଥାନରେ ମା’ଙ୍କୁ ପଂକ୍ତିଭୋଗ କରାଯାଇଥିଲା।

Related Posts

About The Author

Add Comment