ସୁନ୍ଦରଗଡ ତା:୨୨/୧/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁ ବ୍ଲକ୍ ଅନ୍ତର୍ଗତ ବାରିଲେପ୍ଟା ପଞ୍ଚାୟତର ପହାଡ଼ଟୋଲି ଗାଁ ରେ ଜଙ୍ଗଲି ହାତୀର ଆକ୍ରମଣରେ ଜଣେ ଗ୍ରାମବାସୀଙ୍କ ର ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ୪୨ ବର୍ଷୀୟ ଲୋବୋ ସିଂହ ବୋଲି ଜଣାପଡିଛି। ଏହି ଘଟଣା ପରେ ଗାଁରେ ଭୟ ର ବାତାବରଣ ରହିଛି। ଲୋବୋ ସିଂହ ଙ୍କୁ ମାରି ସାରିବା ପରେ ହାତୀ ଟି ସେଠାରେ ଜଗି ରହିଥିବା ଦେଖା ଯାଇଥିଲା।ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲ ରୁ ଗୋଟିଏ ଜଙ୍ଗଲି ହାତୀ ଗାଁ ଭିତରକୁ ପଶି ଆସିଥିଲା। ହାତୀଟି ପ୍ରଥମେ ଗାଁର କ୍ଲବ୍ ଘରକୁ ଯାଇ ସେଠାରେ ରଖା ଯାଇଥିବା ଧାନ ଖାଇ ଦେବା ସହ ଘରର ଝରକା ଆଦି ଭାଙ୍ଗି ଦେଇଥିଲା। ଏହି ସମୟରେ ଲୋବୋ ସିଂହ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହାତୀଟି ହଠାତ୍ ଆକ୍ରମଣ କରି ତାଙ୍କୁ ପାଦରେ ଦଳିଦେଇଥିଲା। ଘଟଣାସ୍ଥଳରେ ଲୋବୋ ସିଂହ ଙ୍କ ମୃତ୍ୟୁ ହୋଇ ଥିଲା ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଭୟ ର ବାତାବରଣ ସୃଷ୍ଟି ହୋଇ ଥିଲା। ଗ୍ରାମବାସୀମାନେ ତୁରନ୍ତ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ। ସୂଚନା ପାଇ ଜଙ୍ଗଲ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଜଙ୍ଗଲ ଅଧିକାରୀମାନେ ଗ୍ରାମବାସୀଙ୍କୁ ସତର୍କ ରହିବା ଓ ରାତି ସମୟରେ ଏକା ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି।ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଜଙ୍ଗଲି ହାତୀଙ୍କ ଗତିବିଧି ଦେଖା ଯାଉଥିଲା ଗ୍ରାମବାସୀ ମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା କୁ ଦାବି କରିଛନ୍ତି।ଲୋବୋ ସିଂହଙ୍କ ଅକାଳ ମୃତ୍ୟୁରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ସମଗ୍ର ଗାଁରେ ଶୋକ ର ଛାୟା ଖେଳି ଯାଇଛି ଏବଂ ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଗ୍ରାମବାସୀ ବନ ବିଭାଗକୁ ନିବେଦନ କରିଛନ୍ତି।
ହାତୀ ଆକ୍ରମଣରେ ଯୁବକର ମୃତ୍ୟୁ
|
January 22, 2026 |



