ହରପ୍ପା ସମୟରେ ପ୍ରେମ

Spread the love

ଏହି ସଦ୍ୟ ଆବିଷ୍କୃତ ଯୁଗ୍ମ ସମାଧିଟି ହରପ୍ପା ସଭ୍ୟତାର। ହରପ୍ପା ସଭ୍ୟତାର ସମୟକାଳ ଖ୍ରୀପୂ ୨୫୦୦ ରୁ ଖ୍ରୀପୂ ୧୫୦୦ର ମଧ୍ୟବର୍ତ୍ତୀ ସମୟ।

ହରପ୍ପା ସଭ୍ୟତାରେ ଅନେକ ସମାଧି ଆବିଷ୍କୃତ ହୋଇଛି।ମାତ୍ର ଏହି ଭଳି ଏକାଠି ଦୁଇଟି କଂକାଳ ଆଗରୁ କେଉଁ ସମାଧି ସ୍ଥାନରେ ପୂର୍ବରୁ ମିଳି ନଥିଲା।

ପରୀକ୍ଷାଗାରରେ ବିଧିବଦ୍ଧ ପରୀକ୍ଷାପରେ ପ୍ରତ୍ନତତ୍ତ୍ୱବିତ୍ ମାନେ ଏହି ନିଷ୍କର୍ଷରେ ପହଂଚିଛନ୍ତି ଯେ ଏହି ଉଭୟ କଂକାଳ ଭିତରେ ରହିଛି ଜଣେ ପୁରୁଷ ଓ ଜଣେ ସ୍ତ୍ରୀ।ସେମାନଙ୍କର ବୟସ ଛବିଶ ରୁ ପଇଁତିରିଶ ମଧ୍ୟରେ ହେବ।ଯଦିଓ ସେମାନଙ୍କର ମୃତ୍ୟୁର କାରଣ ଜଣାପଡୁନାହିଁ ତଥାପି ଏକଥା ସ୍ପଷ୍ଟ ଯେ ଉଭୟଙ୍କର ମୃତ୍ୟୁ ସମାନ ସମୟରେ ଘଟିଅଛି।

ଆବିଷ୍କାର ହେବା ସମୟରେ ପୁରୁଷ କଂକାଳଟି ସ୍ତ୍ରୀ କଂକାଳକୁ ଚାହିଁ ରହିଥିଲା।

କଂକାଳ ହେଉ କି କୌଣସି ଶରୀରଧାରୀ ହେଉ ପୁରୁଷଟିଏ ଅପଲକ ନୟନରେ ତାହାର ପ୍ରେମାସ୍ପଦାକୁ ଅନ୍ୟୁନ୍ୟ ଚାରି ହଜାର ବର୍ଷ ଧରି ଚାହିଁ ରହିବାର କଥାଟି ଶୁଣିଲେ ସମସ୍ତେ ବିହ୍ବଳ ହେବାକୁ ବାଧ୍ୟ।

(ଏଠାରେ ଏକ ବ୍ୟକ୍ତିଗତ କଥା କହିବାର ଲୋଭ ସଂଚରଣ କରିପାରୁନାହିଁ।ଉପସ୍ଥିତ ଚରିତ୍ରଟି ଛାତ୍ରଜୀବନରୁ ଯଥେଷ୍ଟ ଉର୍ବର ମସ୍ତିଷ୍କଧାରୀ ଥିଲା।ସପ୍ତମ କି ଅଷ୍ଟମ ଶ୍ରେଣୀରେ ସେ ତାହାର ଘନିଷ୍ଠ ବଂଧୁକୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ତତ୍ତ୍ବ ପ୍ରଦାନ କରିଥିଲା।ତାହାର ସେହି ବଂଧୁଜଣକ ତାହାର କଥାକୁ ବେଦବାକ୍ୟ  ବୋଲି ସବୁବେଳେ ମାନେ।ସେ କହିଥିଲା,ଦେଖ୍ ଏହି କଥାଟି ତୋ ଆଉ ମୋ ଭିତରେ।କାହାକୁ କହିବୁ ନାହିଁ।ଇଂଲଣ୍ଡରେ (ସେତେବେଳେ କେଉଁ କଥାରେ ଇଂଲଣ୍ଡ ବୋଲି କହିଲେ କଥାଟା ଅଧିକ ଓଜନଦାର ଶୁଭୁଥିଲା)ଗୋଟିଏ ଗବେଷଣାରୁ ଜଣାପଡିଛି ଯେ ତୁ ଯଦି କେଉଁ ସୁନ୍ଦରୀ ଝିଅର ମୁହଁକୁ ଘଣ୍ଟାଏ ଚାହିଁବୁ ତେବେ ତୋର ଆୟୁଷ ସତର ମିନିଟ୍ ବଢିଯିବ।ବୁଝିଲୁ।

ତାହାପରେ ସେହି ବଂଧୁ ଜଣକ ତାହାପରଦିନ ବଡ ମନଦୁଃଖରେ କହିଥିଲା,ବୟସଟା ଅଧଘଂଟେ ବି ବଢିଲା ନାହିଁ।

ମୋର ସେହି ବଂଧୁର ବୟସ ଏବେ ଅନେକ ବଢିଛି।ରମ୍ଭା ମେନକାଙ୍କ  ମୁହଁକୁ ଚାହିଁ ବସିଲେ କାହାର କ’ଣ କେବେ ମରଣ ହୋଇପାରେ ?

ଯେଉଁଠି ଅଛୁ ସେଇଠି ଭଲରେ ଥା, ଦୋସ୍ତ ।)

ଚାରି ହଜାର ବର୍ଷ ଧରି ଚାହିଁରହିଥିବା ଏହି ପୁରୁଷ କଂକାଳ ଓ ସ୍ତ୍ରୀ କଂକାଳକୁ ଏକାଠି ଆବିଷ୍କାର କରାଯାଇଥିବା ସ୍ଥାନକୁ ଏବେ ‘କପଲ୍ ବ୍ୟୁରିଆଲ୍’ ବୋଲି କୁହାଯାଉଛି ।

ଏହି ଘଟଣାକୁ ନେଇ ପ୍ରତ୍ନତତ୍ତ୍ୱବିତ୍ ଙ୍କର ମତ ହେଉଛି ଯେ ସ୍ବାମୀ ଜଣକ ର ଅପଘାତ ମୃତ୍ୟୁ ପରେ ସ୍ତ୍ରୀ ଜଣକ ଦୁଃଖରେ ମ୍ରିୟମାଣ ହୋଇ ଆତ୍ମଘାତିନୀ ହୋଇଛି। ଏହା ଆଦ୍ୟନ୍ତ ଏକ ପ୍ରେମ କଥା।

ଡେକାନ୍ କଲେଜ୍,ପୁନେ ର ପ୍ରତ୍ନତତ୍ତ୍ଵ ବିଭାଗର ଛାତ୍ରମାନେ ଦିଲ୍ଲୀ ଠାରୁ ଉତ୍ତରପଶ୍ଚିମ ଦିଗରେ  ଶହେ ପଚାଶ କିଲୋମିଟର ଦୂରରେ ହରିଆଣାର ରାଖିଗଡ ବୋଲି ଏକ ସ୍ଥାନରେ ପ୍ରତ୍ନତାତ୍ତ୍ଵିକ ଖନନ କରି ଏହି ଯୁଗ୍ମ ସମାଧି ଟି ନିକଟରେ ଆବିଷ୍କାର କରିଛନ୍ତି।

ବିଦ୍ର:

ବଂଧନୀ ଭିତରେ ନିଜର ଆୟୁଷକୁ ବଢାଇବା ପାଇଁ ଯେଉଁ ସରଳ ସୂତ୍ରଟି ପ୍ରଦାନ କରାଯାଇଛି ତାହାକୁ ଆପଣମାନେ ନିଜ ନିଜର ଯଥୋଚିତ ସୁରକ୍ଷାବଳୟରେ ରହି ପ୍ରୟୋଗ କରିବାକୁ ଅନୁରୋଧ।ଏଥି ନିମନ୍ତେ ଉପସ୍ଥିତ ଲେଖକ କୌଣସି ପ୍ରକାରେ ଦାୟି ହେବ ନାହିଁ।

Written by Jyoti Nanda

Related Posts

About The Author

Add Comment