ସ୍ୱାଧୀନତା ଦିବସରେ ଉଦ୍‌ଘାଟିତ ହେବ ୧୦୦ ସ୍ୱାସ୍ଥ୍ୟ ଓ ଓ୍ଵଲନେସ୍‌ ସେଣ୍ଟର

Spread the love

ଭୁବନେଶ୍ୱର 29/7(ସନ୍ଧାନ ନିୟୁଜ୍) : ଆସନ୍ତା ସ୍ୱାଧୀନତା ଦିବସରେ ରାଜ୍ୟରେ ୧୦୦ଟି ସ୍ୱାସ୍ଥ୍ୟ ଓ ଓ୍ଵଲନେସ୍‌ ସେଣ୍ଟର ଉଦ୍‌ଘାଟିତ ହେବ। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବା ପିଏଚ୍‌ସି ଓ ଉପଖଣ୍ଡ ଚିକିତ୍ସାଳୟରେ ଏହି ଓ୍ଵଲନେସ ସେଣ୍ଟର ଖୋଲିବ। ମା’ ଓ ଶିଶୁ ସ୍ୱାସ୍ଥ୍ୟ ସହିତ ଅନ୍ୟ ୧୨ଟି କ୍ଷେତ୍ରରେ ଲୋକମାନେ ଏଠାରେ ଚିକିତ୍ସା ପାଇପାରିବେ ବୋଲି ଜଣାପଡ଼ିଛି। ଏହାସହ ରାଜ୍ୟର ଅପହଞ୍ଚ ଅଞ୍ଚଳଗୁଡ଼ିକରେ ୧୦୦ଟି ଡିଜିଟାଲ ଡିସପେନସାରି ଖୋଲାଯିବାକୁ ନିଷ୍ପତ୍ତି ହୋଇଛି।

ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ହଜାରଟି ସ୍ୱାସ୍ଥ୍ୟ ଓ ଓ୍ଵଲନେସ୍‌ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ସେଥିରୁ ଶହେଟି ଆସନ୍ତା ସ୍ୱାଧୀନତା ଦିବସରୁ କାର୍ଯ୍ୟକ୍ଷମ ହେବ। ଏହି ଓ୍ଵଲନେସ୍‌ ସେଣ୍ଟରଗୁଡ଼ିକରେ ରୋଗ ନିରାକରଣ, ପ୍ରୋତ୍ସାହନାତ୍ମକ, ଉପଚାରାତ୍ମକ ଓ ପୁନର୍ବାସ ଉପରେ ଗୁରୁତ୍ୱ ଦିଆଯିବ। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ସହିତ ନବଜାତକ ଶିଶୁଙ୍କ ଯତ୍ନ ନିଆଯିବ। ଏହାସହ କୈଶୋର ସ୍ୱାସ୍ଥ୍ୟସେବା, ପରିବାର ନିୟୋଜନ ସହିତ ଅନ୍ୟାନ୍ୟ ପ୍ରଜନନ ସମ୍ବନ୍ଧୀୟ ଚିକିତ୍ସା, ଡିଅାଁ ରୋଗ, ଅଣ ସଂକ୍ରମିତ ରୋଗର ସ୍କ୍ରିନିଂ, ଚକ୍ଷୁ ରୋଗ ଓ ଇଏନ୍‌ଟି, ଦନ୍ତ ରୋଗ, ପେଲିଆଟିଭ କେୟାର, ମାନସିକ ରୋଗର ସ୍କ୍ରିନିଂ ଓ ଟ୍ରମା ସୁବିଧା ମିଳିବ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଯେଉଁ ପିଏଚ୍‌ସିରେ ଜଣେ ଏମ୍‌ବିବିଏସ୍‌ ଡାକ୍ତର ସହିତ ନିଜସ୍ୱ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେଉଛି, ସେସବୁ ପିଏଚ୍‌ସିଗୁଡ଼ିକ ଓ୍ଵଲନେସ୍‌ ସେଣ୍ଟର ପାଇଁ ବିଚାରକୁ ନିଆଯାଇଛି। ଉପଖଣ୍ଡ ଚିକିତ୍ସାଳୟଗୁଡ଼ିକରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପାଇଁ ଜଣେ ଲେଖାଏଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବା ସିଏଚ୍‌ଓଙ୍କୁ ନିଯୁକ୍ତି ଦିଆଯିବ। ଯେଉଁ ସରକାରୀ ଷ୍ଟାଫ ନର୍ସ ଏଥିପାଇଁ ଇଚ୍ଛୁକ ହେବେ, ସେମାନଙ୍କ ପରୀକ୍ଷା କରାଯିବା ପରେ ଇଗ୍ନୋରେ ସ୍ୱତନ୍ତ୍ର ଭାବେ ୬ମାସ ପାଇଁ ତାଲିମ ଦିଆଯିବ। ଯେଉଁମାନେ ସଫଳ ହେବେ, ସେମାନଙ୍କୁ ପରବର୍ତୀ ସମୟରେ ସିଏଚ୍‌ଓ ଭାବେ ନିଯୁକ୍ତି ଦିଆଯିବ। ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସେହିପରି ରାଜ୍ୟର ଅପହଞ୍ଚ ଅଞ୍ଚଳଗୁଡ଼ିକରେ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ୫ ହଜାର ଲୋକସଂଖ୍ୟା ଓ ୧୦ କି.ମି ବ୍ୟବଧାନରେ ଯଦି କୌଣସି କାର୍ଯ୍ୟକ୍ଷମ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ, ସେସବୁ ଅଞ୍ଚଳରେ ‘ସ୍ୱାସ୍ଥ୍ୟ ସଂଯୋଗ’ ଯୋଜନାରେ ଡିଜିଟାଲ ଡିସପେନସାରି ଖୋଲାଯାଇଛି। ଏହି ଡିସପେନସାରିରେ ଜଣେ ଫାର୍ମାସିଷ୍ଟ, ଷ୍ଟାଫ ନର୍ସଙ୍କ ସହ ଜଣେ ଲାବୋରେଟାରି ଟେକ୍‌ନିସିଆନ୍‌ ରହିଛନ୍ତି। ଏହି କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ସଂଗ୍ରହ କରାଯିବା ପରେ ଭିଡିଓ କନଫରେନ୍‌ସିଂ ଜରିଆରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତରଙ୍କ ସହ ରୋଗ ସଂପର୍କରେ ଆଲୋଚନା କରାଯିବ। ଡାକ୍ତର ରୋଗୀ ଦେଖିସାରିବା ପରେ ଆବଶ୍ୟକ ଔଷଧ ପ୍ରଦାନ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଏବେ ୨୫ଟି ଡିଜିଟାଲ ଡିସ୍‌ପେନସାରି କାର୍ଯ୍ୟକ୍ଷମ ହେଉଥିବା ବେଳେ କେନ୍ଦୁଝରରେ ୨ଟି ଚାଲୁଛି। ଆଗାମୀ ଦିନରେ ରାଜ୍ୟରେ ୧୦୦ଟି ଡିଜିଟାଲ ଡିସପେନସାରି ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।

Related Posts

About The Author

Add Comment