ନୂଆଦିଲ୍ଲୀ, ୧୮/୧୧ (ସନ୍ଧାନ ନିୟୁଜ) : ଆଜି ସୁପ୍ରିମକୋର୍ଟ ୪୭ତମ ପ୍ରଧାନ ବିଚାରପତିଭାବେ ଶପଥ ନେବେ ବିଚାରପତି ଶରଦ ଅରବିନ୍ଦ ବୋବଡେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଭାବେ ୧୭ ମାସ ରହିବ ବୋବଡେଙ୍କ କାର୍ଯ୍ୟକାଳ। ଏପ୍ରିଲ ୨୩,୨୦୨୧ରେ ସେ ଅବସର ନେବେ ।
ଏସ ଏ ବୋବଡେ ଏପ୍ରିଲ ୨୪,୧୯୫୬ରେ ନାଗପୁରରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୦ ମସିଆରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ପରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ବୋବଡେ, ୨୦୧୩ରେ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ। ଯେତେବେଳେ ଦୀପକ ମିଶ୍ରଙ୍କ ବିରୋଧରେ ଅନ୍ୟ ବିଚାରପତିମାନେ ବିଦ୍ରୋହ କରିଥିଲେ ସେତେବେଳେ ଜଷ୍ଟିସ ବୋବଡେ ହିଁ ମଧ୍ୟସ୍ଥତା କରି ନିଆଁରେ ପାଣି ଢାଳିଥିଲେ।
ସୁପ୍ରିମକୋର୍ଟ ବିଚାରପତି ଭାବେ ୬ ବର୍ଷରେ ସେ ଅନେକ ଐତିହାସିକ ଫଇସଲା ଶୁଣାଇଛନ୍ତି ଏବେ ପ୍ରଧାନ ବିଚାରପତି ଭାବେ ତାଙ୍କ ଆଗରେ ମଧ୍ୟ ରହିଛି ଏମିତି କିଛି ମାମଲା ଯାହା ଉପରେ ସାରା ଦେଶ ନଜର ରଖିବ। ସେମଧ୍ୟରେ ସୋସିଆଲ ମିଡିଆର ଆଧାର ଲିଙ୍କ, ସାବରିମାଲାରେ ମହିଳାଙ୍କ ପ୍ରବେଶ, ଏମିତି କି ଯଦି ରାମମନ୍ଦିର ମାମଲାର ପୁନର୍ବିଚାର ଆବେଦନ ଆସେ ତାହା ସୁପ୍ରିମକୋର୍ଟ ପୁଣି ଥରେ ଫୈସଲା ଶୁଣାଇବେ।
ସିଜେଆଇ ଭାବେ ମାଷ୍ଟର ଅଫ ରୋଷ୍ଟର ହେବେ ବିଚାରପତି ଏସ ଏ ବୋବଡେ। ତେଣୁ କେଉଁ ମାମଲା କେଉଁ ବିଚାରପତିଙ୍କ ଅଦାଲତକୁ ଯିବ ସେନେଇ ନିଷ୍ପତ୍ତି ନେବେ ବିଚାରପତି ବୋବଡେ। ସର୍ବୋଚ୍ଚ ଅଦାଲତରେ ଦେଶର ଖ୍ୟାତନାମା ବିଚାରପତି ରହିଛନ୍ତି। ତେଣୁ ଗୁରୁତ୍ବପୂର୍ଣ୍ଣ ମାମଲାକୁ କୌଣସି ନିର୍ଦ୍ଧିଷ୍ଟ ଅଦାଲତରେ ଫଇସଲା ନ କରି ଯେକୈଣସି ଅଦାଲତରେ ଏହାର ଫଇସଲା କରାଯାଇପାରେ। ବିଚାରପତି ବୋବଡେ ଯଦି ଏହି ଧାରାକୁ ବଦଳାଇପାରନ୍ତି ତେବେ ସର୍ବୋଚ୍ଚ ଅଦାଲତର ଗାରିମା ଏହାର ସ୍ବାଧୀନତା ପୁଣି ଅତୁଟ ରହିପାରିବ।
ଲୋକଙ୍କୁ ତୁରନ୍ତ ନ୍ୟାୟ ଦେବାରେ ଭିତ୍ତିଭୁମି ଓ ଅଦାଲତରେ ବିଚାରପତିଙ୍କ ଅଭାବ ସାଜିଛି ବାଧକ। ତେଣୁ ସିଜେଆଇ ଭାବେ ବିଚାରପତି ନିଯୁକ୍ତି ଓ ଭିତ୍ତିଭୂମି ବିକାଶ ଉପରେ ସେ କଣ ଠୋସ ପଦକ୍ଷେପ ନେବେ ତାରି ଉପରେ ରହିବ ସମସ୍ତଙ୍କ ନଜର।