କଟକ 28/୧୨ (ସନ୍ଧାନ ନିଉଜ) ବିବେକାନନ୍ଦ ଯୁବ ସଂସଦ ତରଫରୁ ଆୟୋଜିତ ୨୮ ତମ ଇ-ପାଠ୍ୟଚକ୍ରରେ ଏଭଳି ମତ ପ୍ରକାଶ ପାଇଛି, ଯାହା ୨୭.୧୨.୨୦୨୦ ଅପରାହ୍ନ ୪.୦୦-୫.୩୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି, ଯାହାର ଶୀର୍ଶକ ଥିଲା “ସାହିତ୍ୟ-ବିଜ୍ଞାନ ଇଶ୍ୱର”।ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ପଦ୍ମଶ୍ରୀ ସମ୍ମାନିତା ତଥା ଜ୍ଞାନପୀଠ ବିଜୟିନୀ ଡ. ପ୍ରତିଭା ରାୟ । ସାହିତ୍ୟ ହେଉଛି ସମାଜକୁ ଅନୁଭବ କରିବାର ଏକ ଉପାଦେୟ ପନ୍ଥା । ଯାହା ସ୍ୱାଭାବିକ ଭାବରେ ମାନବିକ ଅଭିବ୍ୟକ୍ତିକୁ ଶବ୍ଦରେ ପ୍ରକାଶ କରେ । ବିଜ୍ଞାନ ବିଶ୍ବକୁ ଅନୁଭବ କରିବାର ଅନ୍ୟ ଏକ ଅଭିନବ ଉପାୟ । ଏହା ମନର ଏକ ଭିନ୍ନ ଅଭ୍ୟାସକୁ ପ୍ରତିପାଦିତ କରେ ।ବିଜ୍ଞାନ ବଳରେ ଆମ୍ଭମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିବା ପାଇଁ ସାମର୍ଥ୍ୟବାନ ହୋଇପାରିଛନ୍ତି । ବିଜ୍ଞାନର ଅନୁଶୀଳନରେ ଆମ୍ଭେମାନେ ସର୍ବତ୍ର ଶକ୍ତିର ଅବସ୍ଥିତି, ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଇଥାନ୍ତି । ଈଶ୍ୱର ଏକ ଶକ୍ତିପୁଞ୍ଜ ଅଟନ୍ତି । ସେ ତାଙ୍କ ଅଭିଭାଷଣ ଦ୍ୱାରା ଉପସ୍ଥିତ ଯୁବ ପିଢିଙ୍କୁ ଉଦ୍ ବୁଦ୍ଧ କରିବା ସହ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭାରେ ପୌରହିତ୍ୟ କରିଥିଲେ ଅନୁଷ୍ଠାନର ସଭାପତି ଡ. ସନ୍ତୋଷ କୁମାର ମହାପାତ୍ର । ସଭାରେ ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବସଂସଦର ରାଜ୍ୟ ଆବାହାକ ତଥା ଅଧ୍ୟାପକ ଶ୍ରୀ ବିନାୟକ ଘୋଷ । ପ୍ରାରମ୍ଭରେ ଶିଳ୍ପୀ ବେହେରା ଭରତମାତାଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ସୁନିତା ବେହେରା ବିବେକବାଣୀ ପରିବେଷଣ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିବେକାନନ୍ଦ ଯୁବ ସଂସଦର ରାଜ୍ୟ ସହ-ଆବାହକ ତଥା ଅଧ୍ୟାପକ ଶ୍ରୀ ବିଶ୍ୱେଶ୍ୱର ମହାପାତ୍ର । ସଭାଶେଷରେ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା । ସଂସଦ ଦୀର୍ଘ ସାତ ମାସ ଧରି ସପ୍ତାହ ର ପ୍ରତ୍ୟେକ ରବିବାର ଇ – ପାଠଚକ୍ର ଆୟୋଜନ କରିଆସୁଛି , ଯେଉଁଥିରେ ଓଡିଶା ର ପ୍ରତ୍ୟେକ ଜିଲ୍ଲା ରୁ ବିଦ୍ୟାର୍ଥୀ ଓ ଗବେଷକ ମାନେ ନିୟମିତ ଯୋଗଦାନ କରୁଛନ୍ତି।
ସାହିତ୍ୟର ଦିବ୍ୟଚେତନା ମାଧ୍ୟମରେ ଇଶ୍ୱରଙ୍କୁ ଉପଲବ୍ଧି ସମ୍ଭବ
|
December 28, 2020 |



