କେନ୍ଦ୍ରାପଡା ,୧୩/୬, (ସନ୍ଧାନ ନିୟୁଜ୍) – କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଶେଷରେ ସାଂସଦ ପଦବୀରୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି। ସେ ଲୋକସଭା ବାଚଷ୍ପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ଟୁଇଟ କରି ଜଣାଇଛନ୍ତି। ସାଂସଦ ଶ୍ରୀ ପଣ୍ଡାଙ୍କୁ ବିଜୁଜନତା ଦଳରୁ ପୂର୍ବରୁ ନିଲମ୍ବିତ କରାଯାଇଥିବା ବେଳେ ଶ୍ରୀ ପଣ୍ଡାଙ୍କ ବିରୋଧରେ ମାହାଙ୍ଗାର ଗୋପାଳ ଚନ୍ଦ୍ର ଲେଙ୍କା ଓ ଉଦୟନଗରର ଦିଲ୍ଲିପ ଦାସ ନାମକ ଦୁଇଜଣ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ପୃଥକ ପୃଥକ ଭାବେ ଦୁଇଟି ମିଥ୍ୟା ସତ୍ୟପାଠ ମାମଲା ଦାଏର କରିଥିଲେ। ଦୁଇଟି ଯାକ ମାମଲା କୋର୍ଟରେ ବିଚାରାଧିନ ରହିଥିବା ବେଳେ ଦିଲ୍ଲିପ ଦାସଙ୍କ ଅଭିଯୋଗ ଉପରେ ଏସ.ଡି.ଜେ.ଏମ.ଙ୍କ ନିର୍ଦେଶରେ କେନ୍ଦ୍ରାପଡା ଟାଉନ ଥାନାରେ ୪୧୯, ୪୨୦ ଦଫା ଓ ଜନପ୍ରତିନିଧି ଆଇନର ୧୨୫(କ)ଧାରାରେ ମାମଲା ରୁଜୁ ହୋଇ କେନ୍ଦ୍ରାପଡା ଲୋକସଭା ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଶ୍ରୀ ପଣ୍ଡା ଦାଖଲ କରିଥିବା ଆଫିଡେଭିଟକୁ ପୋଲିସ ଜବତ କରିଛି। ସାଂସଦ ଶ୍ରୀ ପଣ୍ଡା କହିଛନ୍ତି ଯେ ତାଙ୍କ ପିତା ବଂଶୀଧର ପଣ୍ଡାଙ୍କ ବିୟୋଗ ପରେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରି ନବୀନ ପଟ୍ଟନାୟକ କିମ୍ବା ଦଳର କୈାଣସି କାର୍ଯ୍ୟକର୍ତ୍ତା ଯୋଗନଦେବା ତାଙ୍କୁ ବ୍ୟଥିତ କରିଥିଲା। ଯେଉଁଥି ପାଇଁ ସେ ପୂର୍ବରୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ବେଳେ ଆଜି ସାଂସଦ ପଦରୁ ଇସ୍ତଫା ଦେଇଥରବା ଜଣାପଡିଛି। ସାଂସଦ ଶ୍ରୀ ପଣ୍ଡାଙ୍କ ଇସ୍ତଫା ସମ୍ପର୍କରେ ବିଜେଡି ଜିଲ୍ଲା ସଭାପତି ଧୃବ ସାହୁ ପ୍ରତିକ୍ରିୟାରେ କୁହନ୍ତି ଯେ ଶ୍ରୀ ପଣ୍ଡାଙ୍କ ବିରୋଧରେ ଦଳର କର୍ମୀମାନେ ଦଳ ଓ କର୍ମୀମାନଙ୍କୁ ପ୍ରତାରିତ କରିଥିବା ଯେଉଁ ଅଭିଯୋଗ ଆଣିଥିଲେ ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି। ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ବିଚାରାଧିନ ଥିବା ମାମଲାର ଫଳାଫଳ ତାଙ୍କ ବିରୋଧରେ ଯିବ ବୋଲି ଜାଣିବା ପରେ ସେ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି। ଏଥିରୁ ପ୍ରମାଣିତ ହୋଇଛି ଯେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ସତ୍ୟ। ତେଣୁ ଶ୍ରୀ ପଣ୍ଡା କେବଳ ଇସ୍ତଫା ଦେଇଦେଲେ ହେବ ନାହିଁ କେନ୍ଦ୍ରାପଡାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଜିଲ୍ଲା ବିଜେଡି ସଭାପତି ଶ୍ରୀ ସାହୁ କହିଛନ୍ତି। ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ପୂର୍ବତନ ଅଧ୍ୟକ୍ଷ ସଲୀମ ଖାନ କହିଛନ୍ତି ଯେ ସାଂସଦ ଶ୍ରୀ ପଣ୍ଡାଙ୍କୁ ବାଧି ଥିବାରୁ ସେ ଇସ୍ତଫା ଦେଇଛନ୍ତି। ଯାହା ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ତାଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ଯେଉଁ ବିକାଶ ଚାଲିଥିଲା ସେଥିରେ ବାଧା ସୃଷ୍ଟି ହେବ ବୋଲି ସଲୀମ କହିଛନ୍ତି। ଆଉ ଏଥିନିମନ୍ତେ ବିଜେଡି ସମ୍ପୂର୍ଣ୍ଣ ଦାୟି ବୋଲି ସେ କହିଛନ୍ତି। ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରାପଡା ଲୋକଙ୍କ ସାଥିରେ ଥିଲେ ଓ ରହିବେ ବୋଲି କହିଛନ୍ତି ସଲୀମ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ଜ୍ଞାନଦେବ ବେଉରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେଡିରେ ସମସ୍ତେ ଭୟଭୀତ ହୋଇ ରହିଛନ୍ତି। ସେହି ଦଳର କେହି ଜନସେବା ପାଇଁ ରାଜନୀତି କରୁନାହାଁନ୍ତି ନିଜର ବ୍ୟକ୍ତିଗତ ସ୍ୱାର୍ଥ ପୁରଣ ସହିତ ଭୟଭୀତ ହୋଇ ଦଳ ମଧ୍ୟରେ ରହିଥିବା ଏଥିରୁ ପ୍ରମାଣିତ ହୋଇଛି। ପ୍ରଫୁଲ୍ଲ ଘଡେଇଙ୍କ ଠାରୁ ଆରମ୍ଭକରି ଦାମ ରାଉତଙ୍କ ପର୍ଯ୍ୟନ୍ତ ବିଜେଡିର ବରିଷ୍ଠ ନେତାଙ୍କ ପ୍ରତି ଅତୀତରେ ଯେଉଁ ଭଳି କରାଯାଇଛି ଠିକ ସେହିଭଳି ବୈଜୟନ୍ତ ପଣ୍ଡାଙ୍କ ପ୍ରତି କରାଯାଇଥିବା ଇଂ ବେଉରା କହିଛନ୍ତି। ରାଜ୍ୟ ବିଜେଡି ଲିଗାଲ ଫ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନା କହିଛନ୍ତି ଯେ ଦଳ, କର୍ମୀ ଓ କେନ୍ଦ୍ରାପଡା ଜନସାଧାରଣଙ୍କ ସହିତ ବିଶ୍ୱାସ ଘାତକତା କରିଥିବା ସାଂସଦ ଶ୍ରୀ ପଣ୍ଡାଙ୍କ ଇସ୍ତଫା ଆମେ ଦାବି କରିଥିଲୁ। ଶ୍ରୀ ପଣ୍ଡାଙ୍କୁ କେନ୍ଦ୍ରାପଡା ଜନସାଧାରଣ କେବେବି କ୍ଷମା ଦେବେ ନାହିଁ ବୋଲି କହିବା ସହିତ ତାଙ୍କ ଇସ୍ତଫା ଦ୍ୱାରା ଜନସାଧାରଣଙ୍କ ବିଜୟ ହୋଇଛି ବୋଲି ଶ୍ରୀ ଜେନାଙ୍କ ସହିତ ଧିରେନ୍ଦ୍ର କୁମାର ଦାସ କହିଛନ୍ତି। ତେବେ ସମୟ କହିବ ଶ୍ରୀ ପଣ୍ଡାଙ୍କ ଇସ୍ତଫା ବିଜେଡିକୁ ଫାଇଦା ଦେଉଛି କି ମହଙ୍ଗା ପଡୁଛି।
Report by- ଚିତ୍ତରଞ୍ଜନ ଦାସ