ବୀରମହାରାଜପୁର,୨୩/୧୨ (ସନ୍ଧାନ ନିୟୁଜ) : ସୋନପୁର ଜିଲ୍ଲା କ୍ରିକେଟ ଆସୋସିଏସନ୍ (ଏସ୍ଡିସିଏ)କୁ ପରାସ୍ତ କରି ରାୟପୁର ବି.ବି. ସ୍ପୋଟିଙ୍ଗ ସେମି ଫାଇନାଲରେ ପ୍ରବେଶ କରିଛି। ସୁବର୍ଣ୍ଣପୁର ଜିଲ୍ଲାର ଲୁତୁରପଙ୍କ ଠାରେ ୨୩ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ରବିବାର ଟି-୨୦ ଏବଂ ଟି-୧୦ ଫର୍ମାଟରେ ଖେଳାଯାଇଥିଲା।
ଦର୍ଶକପୂର୍ଣ୍ଣ ମ୍ୟାଚ୍ରେ ଟସ୍ ଜିଣି ରାୟପୁର ପ୍ରଥମେ ଟି-୨୦ ଫର୍ମାଟରେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୨୨୧ ରନ୍ କରିଥିଲା। ଶଶାଙ୍କ ଚନ୍ଦ୍ରାକର ୨୯ ବଲ ଖେଳି ବିସ୍ଫୋରକ ୯୨ ରନ୍, ତୁଷାର ୧୭ ବଲ ଖେଳି ୨୫ ରନ ଓ ଅବିନାଶ ୧୮ ବଲ ଖେଲି ୪୪ ରନ କରିଥିଲେ। ସୋନପୁର ଟିମ୍ର ଆକାଶ ପାତ୍ର ୪ ଓ ପୁରୁଷୋତ୍ତମ ପାତ୍ର ୨ ଓ୍ଵିକେଟ ନେଇଥିଲେ।
ଜବାବରେ ସୋନପୁର ୧୩.୧ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୬୪ ରନ୍ ସଂଗ୍ରହ କରିବାକୁ ସଫଳ ହୋଇଥିଲା। ପୁରୁଷୋତ୍ତମ ପାତ୍ର ସର୍ବାଧିକ ୨୭ ରନ କରିଥିଲେ। ରାୟପୁର ଟିମ୍ର ହମିଦ ରାଜା ୫ ଓ୍ଵିକେଟ ନେଇଥିଲେ। ପରେ ସୋନପୁର ଟିମ୍ ଟି-୧୦ ଫର୍ମାଟରେ ଟି-୧୦ ଫର୍ମାଟରେ ୯ ଓ୍ଵିକେଟ ହରାଇ ୮୦ ରନ ଯୋଡ଼ିଥିଲା। ନିରଂଜନ ପଣ୍ଡା ୨୭ ବଲ ଖେଳି ୪୨ ରନ ଯୋଡ଼ିଥିଲେ। ରାୟପୁରର ହମିଦ ରାଜା ଏବଂ ତୁଷାର ଗୌରବ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ।
ରାୟପୁର ଟି-୧୦ ଫର୍ମାଟରେ ୧୦ ଓଭରରେ ୮ ଓ୍ଵିକେଟ ହରାଇ ୧୦୭ ରନ୍ କରିଥିଲା। ଟିମ୍ର ଅଜୟ ପାଠକ ୨୮ ରନ୍ ଏବଂ ଶଶାଙ୍କ ଚନ୍ଦ୍ରାକର ୨୫ ରନ୍ କରିଥିଲେ।
ପିତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ବୀରମହାରାଜପୁର ଉପଖଣ୍ଡିୟ ପୁଲିସ ଅଧିକାରୀ ଧୀରଜ ଚୋପଦାର ରାୟପୁର ଟିମ୍ର ହମିଦ ରାଜାଙ୍କୁ ଶ୍ରେଷ୍ଠ ବୋଲର ଓ ଶଶାଙ୍କ ଚନ୍ଦ୍ରାକରଙ୍କୁ ‘ପ୍ଲୋୟାର ଅଫ୍ ଦ ମ୍ୟାଚ୍’ ପୁରସ୍କାର ଦେଇଥିଲେ। ଡ. ଅମିତ ମୁୁଦୁଲି ଓ ସ୍ଥାନୀୟ ସରପଂଚ ପ୍ରତିନିଧି ରାଧାମାଧବ ବେହେରା ସମ୍ମାନୀତ ଅତିଥି ଥିଲେ।