ଧର୍ମଶାଳା, ୨୩/୧୦ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ୍ ହରିଦାସପୁର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଅତିଥି ଭବନ ପୁଣି ବିବାଦ ଘେରକୁ ଆସିଛି । ପାହାଡ ଓ ଅନାବାଦୀ କିସମ ଜମିକୁ ଜବର ଦଖଲ କରି ଏଠାରେ ନିର୍ମାଣ କରାଯାଇଛି ସୁରମ୍ୟ ଅଟ୍ଟାଳିକା । ସେଠାରେ ଚାଲିଥିଲା ବିଜେଡି ଅଫିସ । ସେଠାକୁ ଆସୁଥିଲେ ବହୁ ବିଜେଡି ନେତା । ଖାଲି ଏମାନେ ନୁହେଁ ସ୍ଥାନୀୟ ଏକ କଂପାନୀରେ ବହୁ ଉଚ୍ଛ ପଦସ୍ତ ଅଧିକାରୀଙ୍କ ମଧ୍ୟ ଏଠାକୁ ଯିବା ଆସିବା ଚାଲିଥିଲା । ସେଠାରେ ଦିନ ରାତି ମଦ ମାଂସର ଆସର କରୁଥିବା ଚର୍ଚ୍ଚାହେବା ଯେଉଁ ଗେଷ୍ଟହାଉସରେ ହରିଦାସପୁର ପିଇଓ ସ୍ମିତାରାଣୀଙ୍କର ରହସ୍ୟଜନକ ମୃତୁ୍ୟ ଘଟିଥିଲା । ଆଜି ସେଠାରେ ସରଜମିନ୍ ତଦନ୍ତ ହୋଇଛି । ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗ କର୍ମଚାରୀ ତଦନ୍ତ କରି ବହୁ ତଥ୍ୟର ପର୍ଦ୍ଦାଫାସ କରିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ବାଲିଗରୀ ମୈାଜାର ଖାତା ନଂ – ୧୦୯ ଓ ୧୧୦ ର ପଟ୍ ନଂ – ୨୯୦ ଓ ୨୯୩ ଯଥାକ୍ରମେ ୧୩ ଡିସ୍ମିଲ୍ ଓ ୪ ଡିସ୍ମିଲ୍ ଜମି ଅନାବାଦୀ ହୋଇଥିବା ବେଳେ ୪ ଡିସ୍ମିଲ୍ ପାହାଡ ୨୦୧୭-୧୮ ମସିହାରେ ରୂପେଶଙ୍କ ନାମରେ ଏକ ଜବର ଦଖଲ ମାମଲା ହୋଇଛି । ସେଥିପାଇଁ ରୂପେଶ ଜରିମାନା ମଧ୍ୟ ଦେଇଛନ୍ତି ବୋଲି ତହସିଲଦାର ସରୋଜ ପଣ୍ଡା କହିଛନ୍ତି । ସରକାରୀ ଜମି ଜବର ଦଖଲ କାରୀଙ୍କ ଉପରେ ସରକାରଙ୍କ କଡା ପଦକ୍ଷେପ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉଚ୍ଛେଦ କରୁଥିବା ବେଳେ ଏ କ୍ଷେତ୍ରରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ସରକାରୀ ଜମିରେ ଗେଷ୍ଟହାଉସ ସରଜମିନ୍ ତଦନ୍ତ କଲେ ତହସିଲଦାର
|
October 23, 2019 |
