ସରକାରଙ୍କ ଜଳଯୋଗାଣ ଚିନ୍ତା : ରାଜ୍ୟରେ ସ୍ଥାପନ ହେବ ୫୮୦ଟି ସୋଲାର ଡୁଆଲ ପମ୍ପ

Spread the love

ଭୁବନେଶ୍ୱର, ୨/୬ (ସନ୍ଧାନ ନିୟୁଜ)– ରାଜ୍ୟର ୭୧ଟି ବ୍ଳକରେ ୫୮୦ଟି ସୋଲାର ଡୁଆଲ ପମ୍ପ ପ୍ରକଳ୍ପ ସ୍ଥାପନ ହେବ। ଗ୍ରାମ୍ୟ ଜଳଯେଗାାଣ ବିଭାଗର ଯନ୍ତ୍ରୀମୁଖ୍ୟଙ୍କ ଦପ୍ତରରୁ ଏଥିନେଇ ଚିଠି ଜିଲାସ୍ତରରେ ପହଂଚିଛି। ଗ୍ରାମ୍ୟ ଜଳଯୋଗାଣ ବିଭାଗର ଭୁବନେଶ୍ୱର, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଆଠଗଡ, ଭଦ୍ରକ ଓ ବାଲେଶ୍ୱର ଡିଭିଜନ ଅନ୍ତର୍ଗତ ୭୧ଟି ବ୍ଳକରେ ସ୍ଥାପନ ହେବ ଏହିସବୁ ସୋଲାର ଡୁଆଲ ପମ୍ପ। ଏହାର ବିଶେଷତ୍ୱ ହେଉଛି ଯେ; ଡୁଆଲ ପମ୍ପ ଜରିଆରେ ଗ୍ରାମାଂଚଳର ଲୋକେ ଉଭୟ ଟ୍ୟୁବୱେଲ ସାହାଯ୍ୟରେ ଓ ପାଣି ଟାଙ୍କି ଜରିଆରେ ପାନୀୟ ଜଳ ସଂଗ୍ରହ କରିପାରିବେ। ପ୍ରକଳ୍ପ ଅଧୀନରେ ଏକ ଟ୍ୟୁବୱେଲ ରହିବ ଏବଂ ସୋ÷ରଶକ୍ତି ପରିଚାଳିତ ମୋଟର ରହିବ। ଉକ୍ତ ମୋଟର ସାହାଯ୍ୟରେ ୨ହଜାର ଲିଟର ଯାଏ ପାଣି ଟାଙ୍କିରେ ପହଂଚିବ। ସବୁ ସମୟରେ ଟାଙ୍କିରେ ୨ହଜାର ଲିଟର ଯାଏ ପାଣି ଗଚ୍ଛିତ ରହିବ। ଏବଂ ଉକ୍ତ ମୋଟର ମଧ୍ୟ ସ୍ୱୟଂଚାଳିତ ହେବ। ଯେମିତି ପାଣି ଟାଙ୍କି ଭର୍ତି ହୋଇଗଲା ପରେ ମୋଟରଟି ଆପକୁ ଆପେ ବନ୍ଦ ହୋଇଯିବ। ପୁଣି ପାଣି କମିଗଲେ ମୋଟରଟି ଆପେ ଚାଲିବ। ଏହା ଦ୍ୱାରା ଲୋକଙ୍କୁ ଆଉ ଟ୍ୟୁବୱେଲ ଉପରେ ଅଧିକ ନିର୍ଭର କରିବାକୁ ପଡିବ ନାହିଁ। ତେବେ ଗ୍ରୀଷ୍ମଋତୁରେ ଜଳସଂକଟ ଦୂର ଲାଗି ସରକାରଙ୍କ ପଦକ୍ଷେପର ଏହା ଏକ ଅଂଶବିଶେଷ ବୋଲି କୁହାଯାଉଛି। ମୁଖ୍ୟଯନ୍ତ୍ରୀଙ୍କ ଚିଠି (ନଂ୪୮୬୮) ଅନୁଯାୟୀ; ପୁରୀ ଡିଭିଜନର ୧୧ଟି ବ୍ଲକରେ ୯୦ଟି, ଭୁବନେଶ୍ୱର ଡିଭିଜନର ୧୦ଟି ବ୍ଳକରେ ୮୨ଟି, କଟକ ଡିଭିଜନର ୧୦ଟି ବ୍ଳକରେ ୮୨ଟି, ଜଗତସିଂହପୁର ଡିଭିଜନର ୮ଟି ବ୍ଳକରେ ୬୫ଟି, କେନ୍ଦ୍ରାପଡା ଡିଭିଜନର ୯ଟି ବ୍ଳକରେ ୭୪ଟି, ଆଠଗଡ ଡିଭିଜନର ୪ଟି ବ୍ଲକରେ ୩୩ଟି, ବାଲେଶ୍ୱର ଡିଭିଜନର ୧୨ଟି ବ୍ଳକରେ ୯୮ଟି ଓ ଭଦ୍ରକ ଡିଭିଜନର ୭ଟି ବ୍ଳକରେ ୫୭ଟି ସୋଲାର ଡୁଆଲ ପମ୍ପ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ କେଉଁସବୁ ସ୍ଥାନରେ ଏହି ପମ୍ପ ସ୍ଥାପନ ହେବ ସେଥିନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରିବାକୁ ଯନ୍ତ୍ରୀମୁଖ୍ୟ ନିର୍ବାହୀଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯେଉଁ ଟ୍ୟୁବୱେଲ ଗୁଡିକରୁ ଅତିକମରେ ମିନିଟକୁ ୨୫ରୁ ୩୦ ଲିଟର ପାଣି ଉତୋଳନ ହୋଇପାରୁଥିବ ସେହିସବୁ ଟ୍ୟୁବୱେଲକୁ ପ୍ରଳ୍ପରେ ସ୍ଥାନିତ କରିବାକୁ କୁହାଯାଇଛି।

Related Posts

About The Author

Add Comment