ସମ୍ବଲପୁର (ସନ୍ଧାନ ନିୟୁଜ): କ୍ଷେତରାଜପୁର ଥାନା ଅନ୍ତର୍ଗତ ଡିଅର ପାର୍କ ଅଞ୍ଚଳରେ ଥିବା ଦୂରଦର୍ଶନ କେନ୍ଦ୍ର ନିକଟସ୍ଥ ନିର୍ମାଣାଧିନ ଡ୍ରେନ ଭିତରୁ ପୁଲିସ ଜଣେ ଯୁବକର କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ମଙ୍ଗଳବାର ରାତି ୮ଟାରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଲରେ ପହଞ୍ଚିଥିଲା। ପରିଚୟ ମିଳି ନଥିବା ଯୁବକକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରୁଛି। ସଂପୃକ୍ତ ଯୁବକଙ୍କର ମୁହଁ, ପେଟ, ପିଠି ଓ ଅଣ୍ଟାରେ ଛୁରୀ ଦ୍ୱାରା ଆକ୍ରମଣ କରାଯାଇଥିବା ୫ଟି ଚିହ୍ନ ଅଛି। ଆକ୍ରମଣ ଓ ହତ୍ୟା ପରେ ଅଭିଯୁକ୍ତମାନେ ଯୁବକର ମୁଣ୍ଡକୁ ଏକ ବଡ଼ ପଥର କଚାଡି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ପୁଲିସ କହିଛି, ବିଗତ ୮ ଘଣ୍ଟା ମଧ୍ୟରେ ହିଁ ଯୁବକକୁ ହତ୍ୟା କରାଯାଇ ଥାଇ ପାରେ।
ଅନ୍ୟପଟରେ ଯୁବକ ପିନ୍ଧିଥିବା ପକେଟରୁ ଏକ କୋରେକସ୍ ବୋତଲ, ଗୁଟଖା, ଗଞ୍ଜେଇ ଚିଲମ, ମାଚିସ ଆଦି ମିଳିଛି। ସେହିଭଳି ହତ୍ୟାକାଣ୍ଡ ଘଟଣାର ଅତି ନିକଟରୁ ଛୁରୀର ୨ଟି କଭର ମିଳିଛି।