ସୁନ୍ଦରଗଡ ତା:୧୭/୫/୨୦୨୬(ସନ୍ଧାନ ନ୍ୟୁଜ) ଗତକାଲି ମହା ଆଡ଼ମ୍ବରରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି ।। ସାରା ରାଜ୍ୟରେ ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପରିବେଶ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ଅଞ୍ଚଳରେ ମଧ୍ୟ ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ସବଡେଗାର ଶତାଧିକ ସଧବା ମହିଳା ଆଜି ନିଷ୍ଠାର ସହ ବ୍ରତ ରଖିଛନ୍ତି। ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ମହିଳାମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସବଡେଗା ମନ୍ଦିରର ଦୃଶ୍ୟ, ମହିଳାମାନେ ନୂଆ ଶାଢୀ ପିନ୍ଧି ପୂଜା ଥାଳି ଧରି ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।
ଶଙ୍ଖ, ହୁଳହୁଳି ଏବଂ ମନ୍ତ୍ର ଧ୍ୱନିରେ କମ୍ପୁଛି ସବଡେଗା ଅଞ୍ଚଳ। ପତିଙ୍କ କଲ୍ୟାଣ ପାଇଁ ଆଜି ସଧବା ନାରୀଟିଏ ସବୁ କିଛି ସମର୍ପଣ କରିଦେଇଛି ଭଗବାନଙ୍କ ଚରଣରେ। ସବଡେଗାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ମା’ ମଙ୍ଗଳାଙ୍କ ପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି, ହାତରେ ସିନ୍ଦୂର, ଅଳତା ଓ ନାଲି ଚୁଡ଼ି ସହ ପୂଜା ଥାଳି ସଜେଇ ମା’ ସାବିତ୍ରୀ ଓ ସତ୍ୟବାନଙ୍କ ପୂଜାର୍ଚ୍ଚନା କରିଥିଲେ । ଅନ୍ୟପଟେ ସାବିତ୍ରୀ ବ୍ରତ ପାଇଁ ସବଡେଗା ବଜାରରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଫଳମୂଳଠାରୁ ଆରମ୍ଭ କରି ଶାଢୀ ଏବଂ ଶୃଙ୍ଗାର ସାମଗ୍ରୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ବେଶ୍ ଉତ୍ସାହ ଦେଖାଦେଇଥିଲା। ଚଳିତ ବର୍ଷ ବଜାର ଦର ସାମାନ୍ୟ ଅଧିକ ଥିଲେ ବି ନିଜ ପରମ୍ପରା ଓ ନିଷ୍ଠା ଆଗରେ ସେସବୁ ଫିକା ପଡ଼ିଯାଇଛି। ଶାନ୍ତିଶୃଙ୍ଖଳାର ସହ ପୂଜା ସମ୍ପନ୍ନ କରିବା ପାଇଁ ସ୍ଥାନୀୟ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ସବଡେଗା ରେ ସାବିତ୍ରୀ ବ୍ରତ ପାଳିତ
|
May 17, 2026 |



