ଶ୍ରୀନଗର,୨୫/୧୨ (ସନ୍ଧାନ ନିୟୁଜ) : ପ୍ରବଳ ଶୀତ ସାଙ୍ଗକୁ ଥଣ୍ଡା ପବନ ଓ ତୁଷାରପାତ ସମଗ୍ର ଶ୍ରୀନଗର ସମେତ ଜମ୍ମୁ- କଶ୍ମୀରର ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଚଳିତ ଶୀତ ଋତୁରେ ଜମ୍ମୁ- କଶ୍ମୀରରେ ତାପମାତ୍ରାରେ ଯେଉଁ ହ୍ରାସ ପରିଲକ୍ଷିତ ହୋଇଛି, ତାହା ବିଗତ ୧୧ ବର୍ଷ ମଧ୍ୟରେ ଦେଖିବାକୁ ମିଳି ନଥିଲା। ଉପତ୍ୟକାର ପ୍ରାୟ ସର୍ବତ୍ର ତାପାମାତ୍ରା ବିଯୁକ୍ତ ୫ରୁ ୬ ଡିଗ୍ରି ମଧ୍ୟରେ ରହିଥିବା ବେଳେ ଡାଲ୍ ହ୍ରଦ ଠାରୁ ଆରମ୍ଭ କରି ପ୍ରାୟ ଅନ୍ୟ ସମସ୍ତ ହ୍ରଦର ଜଳ ଏବେ ବରଫ ପାଲଟି ଯାଇଛି।
ଖାଲି ହ୍ରଦର ଜଳ ନୁହେଁ ଲୋକଙ୍କ ଘରକୁ ଯାଇଥିବା ପାଇପ୍ ଲାଇନ୍ର ଜଳ ମଧ୍ୟ ବରଫ ପାଲଟି ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳ ବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଶ୍ରୀନଗରରେ ପାରଦ ଗତ ସୋମବାର ରାତିରେ ବିଯୁକ୍ତ ୫.୫ ଡିଗ୍ରି ତଳକୁ ଖସି ଯାଇଥିବା ବେଳେ କଶ୍ମୀରରେ ବିଯୁକ୍ତ ୫.୨ ଡିଗ୍ରି ତଳକୁ ଚାଲି ଆସିଥିଲା।
ସେହିପରି ଗୁଲମର୍ଗର ତାପମାତ୍ରା ବିଯୁକ୍ତ ୭.୬ ଡିଗ୍ରି ତଳେ ରହିଥିବା ବେଳେ ଲେହେର ତାପମାତ୍ରା ରହିଛି ବିଯୁକ୍ତ ୧୪.୭ ଡିଗ୍ରି ଏବଂ କାରଗିଲର ତାପମାତ୍ରା ରହିଛି ବିଯୁକ୍ତ ୧୪.୨ ଡିଗ୍ରି।