ନୂଆଦିଲ୍ଲୀ ୭/୮ (ସନ୍ଧାନ ନିୟୁଜ): ଏନଡିଏ ସରକାରରେ ଭାରତୀୟ ଜନତା ପାର୍ଟିର ସହଯୋଗୀ ‘ଶିବସେନା’ ପୁଣି ଥରେ ନରେନ୍ଦ୍ର ମୋଦି ସରକାରଙ୍କୁ ଆକ୍ରମଣ କରିଛି। ଜମ୍ମୁ କଶ୍ମୀରର ଗୁରେଜ ସେକ୍ଟରରେ ମଙ୍ଗଳବାର ଏନ୍କାଉଣ୍ଟରରେ ୪ ଜଣ ଯବାନ ସହିଦ ହେବା ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି, ଆମର ଯବାନ ୪ ବର୍ଷରେ ଯେତିକି ସହିଦ ହୋଇଛନ୍ତି, ବିଗତ ୫୦ ବର୍ଷରେ ଏତିକି ହୋଇ ନାହାନ୍ତି।
ଗୁରେଜ ସେକ୍ଟରରେ ଆଜି ପାଖାପାଖି ୮ ଆତଙ୍କବାଦୀ ପାକିସ୍ତାନ ପଟରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସେନାର ଏକ ଟିମ୍ ଆତଙ୍କବାଦୀଙ୍କୁ ସମ୍ମୁଖୀନ ହୋଇଥିଲେ। ଉଭୟ ସେନା ଓ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଗୁଳିବିନମୟରେ ସେନାର ଜଣେ ମେଜର ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ସେହିଭଳି ସେନାର ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ। ଅନ୍ୟ ୪ ଜଣ ଆତଙ୍କବାଦୀ ଭୟରେ ପାକିସ୍ତାନ ଫେରି ଯାଇଥିଲେ।