ଭୁବନେଶ୍ୱର(ସନ୍ଧାନ ନ୍ୟୁଜ୍) :ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନେଇ ସସପେନ୍ସ ଲାଗି ରହିଛି । ଆସନ ଭାଗବଂଟା ଅଙ୍କ ଛିଣ୍ଡି ନ ଥିବାରୁ ମେଂଟ ଘୋଷଣା ବିଳମ୍ବ ହେବାରେ ଲାଗିଛି । ଗତକାଲି ନୂଆଦିଲ୍ଲୀରେ ରାଜ୍ୟ ବିଜେପି ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ମାରାଥନ ବୈଠକ ଚାଲିଥିଲା । ଦିନ ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ମିଟିଂ ହୋଇଥିବା ବେଳେ ବିଳମ୍ବିତ ରାତି ଯାଏ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବାସଭବନରେ ମିଟିଂ ବସିଥିଲା । ତେବେ ମିଟିଂରୁ ମେଂଟ ନେଇ କୌଣସି ନିଷ୍କର୍ସ ବାହାରିଛି କି ନାହିଁ ତାହା ଜଣା ପଡିନାହିଁ । କିନ୍ତୁ ଆଗାମୀ ୪୮ ଘଂଟା ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ଅନ୍ୟପକ୍ଷେ ରାଜ୍ୟ ବିଜେପି ଓ ବିଜେଡିର ନେତା ଏକା ଲଢିଲେ ଭଲ କରିବୁ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି ।ଉଭୟ ଦଳର ନେତା ଦାବି କରୁଛନ୍ତି ଯେ, ଏକା ଲଢିଲେ ଭଲ ଆସନ ଜିତିବୁ । ତେବେ ଏହି ମେଂଟ କିଏ ଚାହୁଁଛି । ଗତକାଲି ବିଜେଡିର ସାଧାରଣ ସଂପାଦକ ସୁଧୀର ସାମଲ କହିଥିଲେ, ରାଜ୍ୟରେ ୧୪୭ ବିଧାନସଭା ସିଟରୁ ବିଜେଡି ୧୨୫ଟିରେ ଜିତିବ । ପଂଚାୟତ ନିର୍ବାଚନରେ ବିଜେଡି ନିଜର ଦମ ଦେଖାଇ ୯୦ ପ୍ରତିଶତ ଭୋଟ୍ ସହ ୩୦ ଜିଲ୍ଲା ପରିଷଦ ଗଠନ କରିଥିଲା । କିଛି ଦିନ ତଳେ ବିଧାୟକ ନୃସିଂହ ସାହୁ କହିଥିଲେ, ବିଜେଡି ଏକା ଲଢିଲେ ୧୨୦ରୁ ଅଧିକ ସିଟ୍ ଜିତିବ । ଯଦି ବିଜେଡି ଏକା ଲଢିଲେ ୧୦୦ ପାର ଆସନ ଜିତି ପାରୁଛି ତେବେ ମେଂଟ ପାଇଁ ଦଳ ସୁପ୍ରିମୋ ଏତେ ଆଗଭର କାହିଁକି ବୋଲି ରାଜନୈତିକ ସମୀକ୍ଷକ ଓ ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି ।ସେପଟେ ରାଜ୍ୟ ବିଜେପି ମେଂଟ ସପକ୍ଷରେ ନ ଥିବା ଜଣା ପଡୁଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହି ସାରିଛନ୍ତି ଯେ, ରାଜ୍ୟରେ ଆମେ ସମସ୍ତ ୧୪୭ ସିଟ୍ ଓ ୨୧ ଲୋକସଭା ସିଟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ଏକା ଲଢିଲେ ଦଳ ବିଧାନସଭାରେ ୫୦ରୁ ଅଧିକ ସିଟ୍ ଓ ଲୋକସଭାରେ ୧୪ରୁ ଅଧିକ ସିଟ୍ ଜିତି ପାରିବ । ଦଳ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ । ବିଜୟ ପାଲ ସିଂ ତୋମାର ମଧ୍ୟ ସେହି ସମାନ କଥା କହିଛନ୍ତି । କୁହାଯାଉଛି ଦୁଇ ଦିନ ତଳେ ଦିଲ୍ଲୀରେ ସରିଥିବା ସିଇସି ବୈଠକରେ ଓଡିଶାରୁ କେଉଁ ଆସନରୁ କିଏ ଲଢିବ ତାର ତାଲିକା ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ରୀୟ ନେତାଙ୍କୁ ଦିଆଯାଇଛି । ରାଜ୍ୟ ବିଜେପି ନେତା ମଧ୍ୟ କହି ଆସିଛନ୍ତି ଯେ, ଆମେ ମେଂଟ ଚାହୁଁନୁ ।ସେପଟେ ବିଜେଡି ବାହାସ୍ପୋଟ ମାରୁଛି ଏକା ଲଢିଲେ ଐତିହାସିକ ବିଜୟ ହାସଲ କରିବୁ । ଏପଟେ ରାଜ୍ୟ ବିଜେପି ମେଂଟ ସପକ୍ଷରେ ପ୍ରଥମରୁ ହିଁ ନାହିଁ । ତେବେ ଏ ମେଂଟ ଚାହୁଁଛି କିଏ । କଣ କୌଣସି ତୃତୀୟ ପକ୍ଷ ରହିଛି କି ? ଯିଏ ବାହାରୁ ଥାଇ ମେଂଟ କରିବାକୁ ମସୁଧା ଚଳାଇଛି । ଏହି ଅଦୃଶ୍ୟ ତୃତୀୟ ପକ୍ଷ କିଏ ? ଆଉ କଉ ପକ୍ଷ ଅଛି କି ଯିଏ ମେଂଟ ପାଇଁ ଗୋଟିଚାଳନା କରୁଛି । କୁହାଯାଉଛି ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଓଡିଶାରେ ମେଂଟ ସପକ୍ଷରେ ନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଂଟ ଚାହୁଁଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ଏମିତି ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ନିକଟରେ ଏମିତି କଣ ଦେଖିବାକୁ ପାଇଲେ ଯେ, ବିଜେଡି ସହ ମେଂଟ କରିବାକୁ ଏତେ ଆତୁର ହୋଇ ପଡିଛନ୍ତି । ରାଜ୍ୟ ବିଜେପି ନେତୃବୃନ୍ଦଙ୍କ କଥା ମଧ୍ୟ ରହୁନାହିଁ । ମେଂଟ କରିବାକୁ ମୋଦୀ ଓ ନବୀନ କେତେ ବ୍ୟଗ୍ର ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବଲପୁର ଓ ଚଣ୍ଡିଖୋଲ ଗସ୍ତରୁ ସ୍ପଷ୍ଟ ହୋଇ ବାରି ପଡୁଛି । ମେଂଟ ହେଲେ କାହାକୁ ଫାଇଦା ମିଳିବ ତାହା ସମୟ କହିବ ।
ରାଜ୍ୟ ବିଜେପି ଚାହୁଁନି, ବିଜେଡି ନେତା କହୁଛନ୍ତି ଏକା ଲଢିଲେ ଇତିହାସ ରଚିବୁ, ତେବେ ମେଂଟ ଚାହୁଁଛି କିଏ?
|
March 13, 2024 |