ଯାଜପୁର (ସନ୍ଧାନ ନିୟୁଜ୍/ସନ୍ତୋଷ ରାଉତ): ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ତଥା ଅନନ୍ୟ ପର୍ଯ୍ୟଟନ ସ୍ଥଳି ଭାବେ ବେଶ ପରିଚିତଥିବା ଚଣ୍ଡିଖୋଲସ୍ଥିତ ଚଣ୍ଡିମନ୍ଦିରର ପରିଚାଳନା ପାଇଁ ଗଠିତ ଟ୍ରଷ୍ଟ ବୋର୍ଡକୁ ନେଇ ଗତ ୩ ବର୍ଷ ହେବ ତୀବ୍ର ବିବାଦ ଉପୁଜିବା ସହ ଇତି ମଧ୍ୟରେ ବିବାଦୀୟ ଟ୍ରଷ୍ଟ ବୋର୍ଡ କାର୍ଯ୍ୟକାଳ ପୁରିଯାଇଛି । ଏହି ବିଭାଗୀୟ ଟ୍ରଷ୍ଟ ବୋର୍ଡ ଦ୍ୱାରା ମନ୍ଦିରର ପରିଚାଳନା କରାନଯାଇ ନୂଆ ଟ୍ରଷ୍ଟ ବୋର୍ଡ ଗଠନ ହେବା ପର୍ଯ୍ୟନ୍ତ ଦେବୋତ୍ତର ଇନସପେକ୍ଟର ମନ୍ଦିର ପରିଚାଳନା କରିବା ସହ ଦେବୀଙ୍କ ଦୈନଦିନ ନୀତିି ବୁଝିବା ପାଇଁ ରାଜ୍ୟଦେବୋତ୍ତର କମିଶନର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
ଗତ ୩ ବର୍ଷ ତଳେ ମନମୁଖୀ ଭାବେ ଏକ ଟ୍ରଷ୍ଟ ବୋର୍ଡ ଗଠନ ହୋଇଥିବାରୁ ତାକୁ ନେଇ ତୀବ୍ର ବିବାଦ ଉପୁଜିଥିଲା । ଟ୍ରଷ୍ଟ ବୋର୍ଡ ଗଠନ ବେଳେ ମନ୍ଦିର ପ୍ରତିଷ୍ଠାତା ବାବା ଭୈରାବାନନ୍ଦ ବ୍ରହ୍ମଚାରୀଙ୍କ ଉତରାଧିକାରୀ ବାବା ସନ୍ତୋଷାନନ୍ଦ ବ୍ରହ୍ମଚାରୀଙ୍କୁ ମଧ୍ୟ ପଚରାଯାଇ ନଥିଲା । ଫଳରେ ମୁରଲୀ ମଲିକ ନାମକ ଜଣେ ଭକ୍ତଙ୍କ ପକ୍ଷରୁ ଓଡିଶା ଉଚ୍ଚ ନ୍ୟାୟଳୟରେ ଗତ ୨୦୧୬ ମସିହାରେ ଏକ ରିଟ ପିଟସନ ଦାୟାର କରାଯାଇଥିଲା । ଉକ୍ତ ରିଟ ପିଟସନର ବିଚାର କରି ହାଇକୋର୍ଟ ତା ୩୦.୧୨.୨୦୧୬ରେ ନବ ଗଠିତ ଟ୍ରଷ୍ଟ ବୋର୍ଡକୁ ବେଆଇନ ଦର୍ଶାଇବା ସହ ଯଥାଶୀଘ୍ର ମନ୍ଦିର ପରିଚାଳନା ଭାର ନିର୍ବାହ ନିମନ୍ତେ ଉଚିତ ପଦକ୍ଷେପ ନେବାକୁ ରାଜ୍ୟ ଦେବତ୍ତର କମିଶନରଙ୍କୁ ନିର୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ପରେ ଦେବୋତ୍ତର କମିଶନର ଯଥାଶୀଘ୍ର ଦେବୋତ୍ତର ଇନସପେକ୍ଟରଙ୍କୁ ମନ୍ଦିର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିବାକୁ ତତକାଳୀନ ମ୍ୟାନେଜିଂ ଟ୍ରଷ୍ଟିକୁ ନିଦେ୍ର୍ଦଶ ଦେଇଥିଲେ । ସେତେବେଳେ ମ୍ୟାନେଜିଂ ବିଭିନ୍ନ ଆଳ ଦେଖାଇ ଦାୟିତ୍ୱ ହସ୍ତାନ୍ତର ନକରି ଉକ୍ତ ନିର୍ଦେଶ ନାମାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଖଣ୍ଡପୀଠରେ ୧୨୩୮/୧୭ରେ ଏକ ରିଭିଜନ ପିଟିସନ ଦାୟାର କରିଥିଲେ । ଖଣ୍ଡପୀଠ ଏହାକୁ ଶୁଣାଣି କରି ପୂର୍ବ ଆଦେଶକୁ ବାତିଲ କରି ମଧ୍ୟବର୍ତୀ ସମୟରେ ଟ୍ରଷ୍ଟ ବୋର୍ଡକୁ ମନ୍ଦିର ପରିଚାଳନା କରିବାକୁ ସୁଯୋଗ ଦେଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ପୁର୍ନବାର ରାଜ୍ୟ ଦେବୋତ୍ତର କମିଶନରଙ୍କୁ ନିଦେ୍ର୍ଦଶନାମା ଜାରି କରିଥିଲେ । ଖଣ୍ଡପୀଠଙ୍କ ଆଦେଶ ପରେ ରାଜ୍ୟ ଦେବୋତ୍ତର କମିଶନର ଓ.ଏଚ.ଆର.ସି.ଆଇନର ଧାରା ୨୭ ଅନୁଯାଇ ଏହି ମମାଲାର ଶୁଣାଣି କରିବା ସହ ସାକ୍ଷ୍ୟ ପ୍ରମାଣ ଓ ବିଭିନ୍ ଦସ୍ତାବିଜ ତଦାରଖ କରିବା ପରେ ଗତ ୮/୫/୧୮ରେ ଓ.ଏଚ.ଆର.ସି. ଆଇନର ଧାରା ୭ ଅନୁ୍ୟାଇ ଏହି ରାୟ ଦେଇଛନ୍ତି । ଇତି ମଧ୍ୟରେ ଟ୍ରଷ୍ଟ ବୋର୍ଡର କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ନୂଆ ଟ୍ରଷ୍ଟ ବୋର୍ଡ ଗଠନ ପର୍ଯ୍ୟନ୍ତ ଦେବୋତ୍ତର ଇନିସପେକ୍ଟର ମନ୍ଦିର ପରିଚାଳନା ଆଦେଶ ଦେଇଛନ୍ତି । ଏହି ଆଦେଶ ନାମା ଗତ ୨୧ ତାରିଖ ଦିନ ବୋର୍ଡର ପ୍ରାକ୍ତନ ମ୍ୟାନେଜିଂ ଟ୍ରଷ୍ଟି ସତ୍ୟ ରାୟ ପ୍ରତିବାଦୀ ମୁରଲୀ ମଲିକ ଓ ବାବା ସନ୍ତୋଷାନନ୍ଦ ବ୍ରହ୍ମଚାରୀଙ୍କୁ ପ୍ରଦାନ କରାଯାଇଛି ।