ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ଉଦଳା,୧୦.୦୨.୨୦୨୧( ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-  ଉଦଳା ବ୍ଲକ୍ କୋଚିଳାଡିହା ପଞ୍ଚାୟତ କୁଶଳଦା ଫାଣ୍ଡି ଅନ୍ତର୍ଗତ ମଣ୍ଡଳସାହି ଗ୍ରାମରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଦିନ ପ୍ରାୟ ସାଢ଼େ ୩ଟା ସମୟରେ ପ୍ରଫୁଲଚନ୍ଦ୍ରପୁର- ଭିମଗଡିଆ ରାସ୍ତାରେ ଯାଉଥିବା କିଛି ଲୋକ ରାସ୍ତପାର୍ଶ୍ବ ବିଲ ମଝିରେ ଏକ ଗଛରେ ଜଣେ ଯୁବତୀଙ୍କ ଶବ ଝୁଲିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଛାନ୍‌ଭିନ୍ କରିବା ପରେ ମୃତ ଯୁବତୀ ଜଣକ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ବରହପୁର ଥାନା ଅନ୍ତର୍ଗତ ସାନ ନୂଆଗାଁର ସ୍ଵର୍ଗତ ମଙ୍ଗଲ ସିଂଙ୍କ ଝିଅ ବର୍ଷା ବୋଲି ଜଣାପଡ଼ିଥିଲା। ପ୍ରାୟ ଦେଢ ବର୍ଷ ପୂର୍ବେ ବର୍ଷାଙ୍କର କୋଚିଳାଡ଼ିହା ପଞ୍ଚାୟତର ପଟରାସାହି ଗ୍ରାମର କୁଅଁର ଟୁଡୁଙ୍କ ପୁଅ ଲେଦରାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ପରେ ଦୁହେଁ ସାଙ୍ଗରେ ରହୁଥିଲେ। ଭଦ୍ରକ ଅଞ୍ଚଳରେ ଦୁହେଁ କାମ କରି ପେଟ ପୋଷୁଥିବା ବେଳେ ଗତ ମକର ସଂକ୍ରାନ୍ତିରେ ଘରକୁ ଆସିଥିଲେ। ଗତ ଶୁକ୍ରବାର ଦିନ ବର୍ଷା ତାଙ୍କ ବାପ ଘରକୁ ଯାଇଥିବା ବେଳେ ଆଜି ସକାଳୁ ଆସି ପଟରାସାହିରେ ପହଞ୍ଚିଥିଲେ। ତେବେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ବର୍ଷା ଘରୁ ରାଗି ପଳାଇ ଆସିଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି କୁଶଳଦା ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ଦାସ।

Related Posts

About The Author

Add Comment