ମାନବ ଚାଲାଣ ରୋକିବା ପାଇଁ ସୁରକ୍ଷିତ ସମାଜ ଗଠନରେ ସମସ୍ତଙ୍କ ସହଯୋଗ ଜରୁରୀ: ଅତିରିକ୍ତ ଜିଲ୍ଲାପାଳ
ପୀଡ଼ିତଙ୍କ ଉଦ୍ଧାର, ସୁରକ୍ଷା ଓ ଥଇଥାନ ପାଇଁ ଆଇନଗତ ସଚେତନତା ଉପରେ ଗୁରୁତ୍ୱ
ଯାଜପୁର, : ୧୯/୧୧/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଯାଜପୁର ପରିଚାଳନାରେ ଆଜି (୧୭.୧୧.୨୦୨୬) ପୂର୍ବାହ୍ନ ୧୧ ଘଟିକା ସମୟରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲା ସ୍ତରୀୟ ମାନବ ଚାଲାଣ ବିରୋଧୀ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ବକ୍ତବ୍ୟରେ ମାନବ ଚାଲାଣର ଭୟାବହତା, ଏହାର ପ୍ରତିରୋଧ ଏବଂ ଏକ ସୁରକ୍ଷିତ ସମାଜ ଗଠନରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମତାମତ ରଖିଥିଲେ। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)ର ପ୍ରମୁଖ, ଆଡ଼ଭୋକେଟ ଶୁଭ୍ରାଂଶୁ କୁମାର ମହାନ୍ତି , ଶିଶୁ କଲ୍ୟାଣ ସମିତି (CWC)ର ଅଧ୍ୟକ୍ଷ ଦିବ୍ୟ ଭୂଷଣ ମହାନ୍ତି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU)ର POIC ତପନ କୁମାର ପାତ୍ର ଯୋଗ ଦେଇଥିଲେ। ସେମାନେ ମାନବ ଚାଲାଣ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥା, ପୀଡ଼ିତଙ୍କ ଉଦ୍ଧାର, ସୁରକ୍ଷା, ଥଇଥାନ ଓ ପୁନର୍ବାସ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ ଓ ଅଂଶୀଦାରମାନେ ଯଥା: ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), ପି.ଓ (PO), ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO), ଜିଲ୍ଲା ମଙ୍ଗଳ ଅଧିକାରୀ (DWO), ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO), ସ୍ୱାସ୍ଥ୍ୟ ବିଭାଗ (Health), ଜିଲ୍ଲା ଶ୍ରମ ଅଧିକାରୀ (DLO), ଶିକ୍ଷକ (Teacher), ସିଡିପିଓ (CDPO), ମହିଳା ସୁପରଭାଇଜର (Lady Supervisor), ଅଙ୍ଗନୱାଡ଼ି କର୍ମୀ (AWW), ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ (NGOs) ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଦସ୍ୟାମାନେ ଉପସ୍ଥିତ ଥିଲେ।
ଯାଜପୁରରେ ଜିଲ୍ଲା ସ୍ତରୀୟ ମାନବ ଚାଲାଣ ବିରୋଧୀ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
|
November 19, 2026 |



