ନୂଆଦିଲ୍ଲୀ, ୩୦ /୦୩ (ସନ୍ଧାନ ନିୟୁଜ) : କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ୍ ଲାଗୁ କରିଛନ୍ତି। ଏହି କାରଣରୁ ପ୍ରବାସୀ ଶ୍ରମିକମାନେ ପ୍ରଭାବିତ ହୋଇଛନ୍ତି। କମଧନ୍ଦା ବନ୍ଦ ହୋଇଯାଇ ଥିବାରୁ ଖାଇବା ପାଇଁ ପାଖରେ ପଇସା ନାହିଁ। ଏଭଳି ପରିଷ୍ଟିତିରେ ବାହାର ରାଜ୍ୟରେ ରହୁଥିବା ଶ୍ରମିକମାନେ ଘରମୁହାଁ ହୋଇଛନ୍ତି। କିନ୍ତୁ ପରିବହନ ସେବା ନଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ମର୍ମରେ ଟେଲିକମ୍ କମ୍ପାନୀମାନଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ମାନବିକତା ଆଧାରରେ ଶ୍ରମିକଙ୍କୁ ସାହାଯ୍ୟ ପାଇଁ ସେ ଅନୁରୋଧ କରିଛନ୍ତି।
ପ୍ରିୟଙ୍କା ଗାନ୍ଧୀ ଚିଠିରେ ଲେଖିଛନ୍ତି ଏହି ସଙ୍କଟ ସମୟରେ ଦେଶବାସୀଙ୍କୁ ସାହାଯ୍ୟ କରିବା ଆମର ରାଷ୍ଟ୍ରୀୟ ଦାୟିତ୍ଵ। ତେଣୁ ଟେଲିକମ୍ କମ୍ୟୁନିକେସନ କମ୍ପାନୀ ସଂପ୍ରତି ସ୍ଥିତିରେ ସକରାତ୍ମକ ପଦକ୍ଷେପ ନେଇ ପାରିବ। ବଡ ସଂଖ୍ୟାରେ ଲୋକ ଏବେ ନିଜ ଘର ଅଭିମୁଖେ ବାହାରିଛନ୍ତି। ସେମାନଙ୍କର ମୋବାଇଲ ରିଚାର୍ଜ ଶେଷ ହୋଇ ସାରିଛି। ଏହାର ଅର୍ଥ ସେମାନେ ନିଜର ପରିଜନଙ୍କ ପାଖକୁ ଫୋନ୍ ମଧ୍ୟ କରି ପାରୁ ନାହାନ୍ତି କିମ୍ବା କଲ୍ ରିସିଭ୍ କରି ପାରୁନାହାନ୍ତି। ଏଭଳି ସ୍ଥିତିରେ ମୋବାଇଲ ସେବାରେ ଇନକମିଙ୍ଗ ଓ ଆଉଟ୍ ଗୋଇଙ୍ଗ ବ୍ୟବସ୍ଥା ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ଫ୍ରି କରି ଦିଅନ୍ତୁ।