ରସୁଲପୁର, ୬/୩ (ସନ୍ଧାନ ନିୟୁଜ) ସମଗ୍ର ରାଜ୍ୟରୁ ଚିଟଫଣ୍ଡ, ଘରୋଇ ଅର୍ଥ ଲଗାଣକାରୀ ଭଳି ଠକ ସଂସ୍ଥାର କଳା ବାଦଲର ଛାଇ ଦୂର ହୋଇନାହିଁ । ଏ ସବୁ ସଂସ୍ଥା ଦ୍ୱାରା ବହୁ ଗରୀବ ଲୋକ ଶିକାର ହୋଇ ନ୍ୟାୟ ପାଇଁ ଲଢେଇ କରୁଛନ୍ତି । ସେମାନଙ୍କୁ ନ୍ୟାୟ ମିଳି ନଥିବା ବେଳେ ମାନବାଧିକାର ନାଗରିକ କମିଶନ ନାମକ ଏକ ସଂସ୍ଥାର କାର୍ଯ୍ୟକଳାପକୁ ନେଇ ଅଭିଯୋଗ ଉଠିଛି । ସଂସ୍ଥାର ସୁପରଭାଇଜର ଓ ଅନ୍ୟ କେତେକ ସହଯୋଗୀଙ୍କ କାର୍ଯ୍ୟକଳାପରେ ସାଧାରଣରେ ସନେ୍ଦହ ଉପୁଯିଛି । ସଂସ୍ଥା ପକ୍ଷରୁ ଇ-ସୁବିଧା କାର୍ଡ(ଇମରଜେନ୍ସି ସୁବିଧା କାର୍ଡ) ପ୍ରଦାନ ଆଳରେ ଅର୍ଥ ଆଦାୟକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଟଙ୍କା ଆଦାୟରେ ନିୟୋଜିତ କର୍ମଚାରୀଙ୍କୁ ଲୋକେ ଘେରି ଯିବାରୁ ସେମାନଙ୍କୁ ହଇରାଣହରକତ ହେବାକୁ ପଡିଛି । କର୍ମଚାରୀମାନେ ସାଧାରଣ ଜନତାଙ୍କ ନାନା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ହଟହଟା ହୋଇଥିଲେ । ଶେଷରେ କାର୍ଡ ବଦଳରେ ଆଦାୟ ଅର୍ଥକୁ ପରିବାର ଲୋକଙ୍କୁ ଫେରସ୍ତ କରିବାକୁ ବାଧ୍ୟ ହୋଇଥିଲେ ।
ସଂସ୍ଥା ସୁତ୍ରରୁ ପ୍ରକାଶ ଯେ ମାନବାଧିକାର ନାଗରିକ କମିସନ ନାମକ ଏକ ସଂସ୍ଥା ଯାଜପୁର ଜିଲାର ୧୦ଗୋଟି ବ୍ଲକରେ ଜନହିତକର କାର୍ଯ୍ୟ କରିବା ପାଇଁ ନିୟୋଜିତ ହୋଇଛି । ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ଏକ ସଂସ୍ଥା ସେତୁ ଭଳି କାର୍ଯ୍ୟକରିବ । ସରକାରୀ ଯୋଜନାରୁ ବଂଚିତ ଓ ଅସଚେତନ ଲୋକଙ୍କର ସ୍ୱର ବ୍ୟବସ୍ଥାପକ ଓ ପ୍ରଶାସକଙ୍କ ନିକଟରେ ପହଁଚାଇବ । ଏ ଦିଗରେ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଉଛି । ମାତ୍ର ଏ ଦିଗରେ ସଂସ୍ଥା ପକ୍ଷରୁ ପ୍ରତ୍ୟେକ ପରିବାରକୁ ଗୋଟିଏ ଇ-ସୁବିଧା କାର୍ଡ ପ୍ରଦାନ କରାଯାଉଛି । ପ୍ରତି ପରିବାରଠାରୁ କାର୍ଡ ପିଛା ୪୦ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ଏ ବାବଦରେ କମ୍ପାନୀ କର୍ମଚାରୀମାନେ ଦଶରଥପୁର ବ୍ଲକ ଓ ଯାଜପୁର ବ୍ଲକର ଜନସାଧାରଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଛି । ସଂସ୍ଥା ପକ୍ଷରୁ କାର୍ଡ ବଦଳରେ ଟଙ୍କା ଆଦାୟକୁ ନେଇ ଯାଜପୁର ବ୍ଲକର ଝାଲପଡା ପଂଚାୟତରେ ବିରୋଧ କରାଯାଇଛି । ଏହି ପଂଚାୟତରେ ସଂସ୍ଥା ପକ୍ଷରୁ ସୁପରଭାଇଜର ହିମାଳୟ ବେହେରା, କ୍ଷେତ୍ରାଧିକାରୀ ମହେଶ କଅଁର, ସୋମ୍ୟରଂଜନ ପଣ୍ଡା ଝାଲପଡା ଓ ସାନବାଗ ସାହି ଗାଁର ୩୦୦ରୁ ଉର୍ଦ୍ଧ ପରିବାରକୁ କାର୍ଡ ପ୍ରଦାନ କରି ଅନୁ୍ୟନ ଟ୧୨,୦୦୦/-ଙ୍କା ଆଦାୟ କରିଥିଲେ । ଏହାକୁ ଗାଁ ଲୋକେ ବିରୋଧ କରିଥିଲେ । ଫଳରେ ସଂସ୍ଥାର କର୍ମଚାରୀମାନେ ଆଦାୟ ଟଙ୍କାକୁ ଫେରାଇବାକୁ ବାଧ୍ୟ ହୋଇଥିଲେ । ଏ ଦିଗରେ ଅଧିକ ଅନୁସନ୍ଧାନରୁ ଜଣାଯାଇଛି ଆପତ୍ତିଜନକ ସଂସ୍ଥାର ନାମ ୭ମାସ ପୂର୍ବର୍ୁ ମାନବାଧିକାର କମିଟିର ନାଁରେ ପରିଚିତ ଥିଲା । ଏବେ ଏହାର ନାମ ବଦଳି ଯାଇ ମାନବାଧିକାର ନାଗରିକ କମିଶନ ହୋଇଛି । ମାତ୍ର ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ପୁରୁଣା ପରିଚୟ ବଦଳି ନାହିଁ ।
ଲୋକଙ୍କ ହିତ ପାଇଁ ଗଠନ ହୋଇଥିବା କମିଶନ କାର୍ଡ ବଦଳରେ ଟଙ୍କା ଆଦାୟ, ଓ ସଂସ୍ଥାର ନାଁ ଘନ ଘନ ପରିବତ୍ତନ ହେବାକୁ ନେଇ ପରିଚାଳକଙ୍କ ଭୂମିକାକୁ ସନେ୍ଦହ ଘେରକୁ ଟାଣି ଆଣିଛି । ଏହାଛଡା ସରକାରୀ ସୁବିଧା ସୁଯୋଗ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଁଚିବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । । ପ୍ରଶାସନିକସ୍ତରରେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରତ୍ୟେକ ସୋମବାର(ଛୁଟିଦିନ ବ୍ୟତୀତ) ଜିଲାପାଳଙ୍କୁ ଜନଶୁଣାଣି କରାଯାଉଛି । ଏହି ଜରିଆରରେ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସତ୍ୱେ ବି ଲୋକଙ୍କ ସମସ୍ୟାକୁ ନେଇ ସରକାର ଓ ପ୍ରଶାସନକୁ ଅବଗତ କରାଇବା ପାଇଁ ଏକ କମିଶନକୁ କେଉଁ ଆଧାରରେ ଦାଇତ୍ୱ ଦିଆଯାଇଛି । ଏଥିସହ ଏକ ମୁଲ୍ୟହୀନ କାର୍ଡ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରିବାକୁ ନେଇ ସାଧାରଣରେ ଆଉ ଏକ ଚିଟଫଣ୍ଡ ସଂସ୍ଥାର ଭ୍ରମ ସୃଷ୍ଟି କରୁଛି । ଏ ସଂପର୍କରେ କମିଶନର ସଭାପତି ଅନିଲ ବାନାର୍ଜୀଙ୍କୁ ପଚାରିବାରୁ ତାଙ୍କ ସଂସ୍ଥାର କାର୍ଯ୍ୟଶୈଳି ସଂପର୍କରେ ସ୍ପଷ୍ଟ ସୂଚନା ଦେଇଥିଲେ ମଧ୍ୟ ଇ-କାର୍ଡ ପ୍ରଦାନ କରି ଟଙ୍କା ଆଦାୟ କରିବା ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରିନାହାଁନ୍ତି ।
Report- Jagamohan Rout
Share and Subscribe