ନୂଆଦିଲ୍ଲୀ, ୩/୧ (ସନ୍ଧାନ ନିୟୁଜ) : ମାଗି ନୁଡୁଲସ୍ କ’ଣ କ୍ଷତିକାରକ? ଆଜି ପୁଣି ଥରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟରେ ଉଠିଛି ଏହି ପ୍ରଶ୍ନ। ପୂର୍ବରୁ ଭାରତୀୟ ପିଲାମାନଙ୍କର ସବୁଠାରୁ ପସନ୍ଦ ଯୋଗ୍ୟ ଖାଦ୍ୟ ମାଗି ନୁଡୁଲସ୍ରେ ବିଷାକ୍ତ ‘ଲିଡ୍’ ଓ ‘ଏମ୍ଏସ୍ଜି’ ମହଜୁଦ୍ ରହିଥିବା ପ୍ରମାଣ ମିଳିବା ପରେ ମାଗିର ପ୍ରସ୍ତୁତକର୍ତ୍ତା ବହୁରାଷ୍ଟ୍ରୀୟ କମ୍ପାନି ନେସ୍ଲେ ବିରୋଧରେ ଏକ ଅପରାଧିକ ମାମଲା ଆଗତ ହୋଇଥିଲା। ଏଥିସହ ସରକାର ଏହି ଘଟଣାର ତଦନ୍ତ କରୁବାକୁ ଚାହୁଁଥିବା ବେଳେ ନେସ୍ଲେ କମ୍ପାନି ସୁପ୍ରିମ୍ କୋର୍ଟର ଦ୍ୱାରସ୍ଥ ହୋଇ ମମାଲା ଉପରେ ରହିତାଦେଶ ଆଣିଥିଲା।
ତେବେ, ନେସ୍ଲେ ବିରୋଧରେ ଆଗତ ହୋଇଥିବା ଅପରାଧିକ ମାମଲାକୁ ପ୍ରତ୍ୟାହାର କରିନେବା ପାଇଁ କମ୍ପାନି ପକ୍ଷରୁ ଆଗତ ଏକ ଯାଚିକାର ଶୁଣାଣି କରି ସୁପ୍ରିମ୍ କୋର୍ଟ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ ଜାତୀୟ ଖାଉଟି ବିବାଦ ସମାଧାନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି, ‘ଲିଡ୍ ଓ ଏମ୍ଏସ୍ଜି ଭଳି ବିଷାକ୍ତ ପଦାର୍ଥ ରହିଥିବା ନୁଡୁଲସ୍କୁ ଆମେ ଖାଇବା କାହିଁକି?’ ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି ଯେ ମହୀଶୂର ପରୀକ୍ଷାଗାରରେ ମାଗିର ଯେଉଁ ପରୀକ୍ଷା କରାଯାଇଥିଲା ସେଥିରେ ମାଗିରେ ଅନୁମତି ରହିଥିବା ପରିମାଣ ମଧ୍ୟରେ ଲିଡ୍ ମହଜୁଦ୍ ଥିବା ଜଣା ପଡ଼ିଥିଲା।
ତେବେ, ମାଗିର ପ୍ରସ୍ତୁତକର୍ତ୍ତା କମ୍ପାନି ନେସ୍ଲେ ଦାବି କରି କହିଥିଲା ଯେ ମାଗିରେ ଏମ୍ଏସ୍ଜି ବା ମୋନୋସୋଡ଼ିୟମ ଗ୍ଲୁଟାମେଟ୍ ନଥିବା ପରୀକ୍ଷାରୁ ପ୍ରମାଣିତ ହୋଇଛି। ଏହାସତ୍ତ୍ୱେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ଏହି ମାମଲାରେ ନେସ୍ଲେ କମ୍ପାନିକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହାର ବିକ୍ରୟ, ପ୍ରସାର ଓ ବିଜ୍ଞାପନ ଉପରେ ନିଷେଧାଦେଶ ଲଗାଇବା ସହ ଖାଉଟି ସୁରକ୍ଷା ଆଇନ୍ର ୧୨ (୧) (ଘ) ଦଫାରେ ୬୪୦ କୋଟିର ଜରିମାନା ଲଗାଇଥିଲା। ଏହା ବିରୋଧରେ ନେସ୍ଲେ କମ୍ପାନି ସୁପ୍ରିିମ୍ କୋର୍ଟର ଦ୍ୱାରସ୍ଥ ହୋଇ ତା’ ବିରୋଧରେ ଆଗତ ହୋଇଥିବା ଅପରାଧିକ ମାମଲାକୁ ଉଠାଇ ନେବାକୁ ଏକ ଯାଚିକା ଆଗତ କରିଥିଲା।