ଭଦ୍ରକ/ତିହିଡି, ୧୦/୦୨ (ସନ୍ଧାନ ନିୟୁଜ): ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ଅଧିନ ନିଶ୍ଚନ୍ତପୁର ସେବା ସମବାୟ ସମିତିର ଚାଷୀମାନେ ସଂପ୍ରତି ଧାନ ବିକ୍ରୟ କରିବା ସମୟରେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି । ସମିତିରେ ଗୋଦାମ ଗୃହ ନଥିବା ତଥା ଚାଷୀଙ୍କ ଧାନ ବାହାରେ ପଡିରହି ନଷ୍ଟ ହେଉଥିବା ବେଳେ ମିଲର ମଧ୍ୟ ସମିତି ପରିସରରକୁ ଟ୍ରକ ପଠାଉ ନାହିଁ । ଯାହା ଫଳରେ ସୁଦୂର ୭ କି.ମି ପର୍ଯ୍ୟନ୍ତ ଚାଷୀମାନେ ନିଜ ଖର୍ଚ୍ଚରେ ଧାନ ଆଣି ତିହିଡି ସଦର ବଜାରରେ ଧାନ ଦେବାକୁ ବାଧ୍ୟ ହେଉଛନ୍ତି । ଶନିବାର ମଧ୍ୟାହ୍ନରେ ଝିପଝିପ୍ ବର୍ଷାକୁ ଖାତିର ନକରି ଚାଷୀମାନେ ଧାନ ଦେବା ପାଇଁ ଭିଡ ଜମାଇଥିବା ପରିଲକ୍ଷିତ ହୋଇଛି । ଅନ୍ୟପଟେ ଟୋକନ ପାଇବା ପରେ ଚାଷୀମାନେ ଧାନ ଦେବାରେ ବିଳମ୍ବ କଲେ ସମସ୍ୟା ହେବାର ସମ୍ଭାବନା ଥିବାନେଇ ସମିତି କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ ଧାନକୁ ତିହିଡି କଲେଜ ଛକରେ ଓଜନ କରିବାକୁ ବାଧ୍ୟ ହେଉଥିବା ଜଣାଯାଇଛି । ଗତ ସାମୂଦ୍ରିକ ଝଡବାତ୍ୟା ବୁଲବୁଲରେ ଫସଲ ଯାହାବି ନଷ୍ଟ ହୋଇଥିଲା ପରେ ଅମଳ ସମୟରେ ବର୍ଷା ମଧ୍ୟ ବାଧକ ସାଜିଥିଲା । ତଥାପି ଚାଷୀ ଅମଳ ଧାନକୁ ବାଡି ଘରେ ସାଇତି ରଖି ସମବାୟ ସମିିତିର ଟୋକନକୁ ଅପେକ୍ଷା କରିଥିଲା । ମାତ୍ର କିଛି ଦିନ ତଳେ ଏହି ସମିତିର ଧାନ ବୋଝେଇ ଗାଡିକୁ ତିହିଡି ବଜାରରେ ଅଟକାଇ ଚାନ୍ଦା ମାଗିବା ଘଟଣାରେ ଜଣେ ବ୍ୟକ୍ତି ଗିରଫ୍ ମଧ୍ୟ ହୋଇଥିଲା । ପରେ ତିହିଡି ଗ୍ରାମର କେତେକ ବ୍ୟକ୍ତି ଉକ୍ତ ସମିତିରୁ ଧାନ ଆଣିବା ଟ୍ରକ ଉପରେ ଅଙ୍କୁଶ ଲଗାଇଥିବା ନେଇ ମିଲରମାନେ ଟ୍ରକ ପଠେଇବାରେ ଅମଙ୍ଗ ହେଉଥିବା ମଧ୍ୟ ଏକ କାରଣ ସାଜିଛି । କିଛି ଦିନ ଧରି ମିଲରମାନେ ଉକ୍ତ ସମିତିରୁ ଧାନ ଲିପ୍ଟିଂ କରିଥିବାରୁ ବହୁ ସମସ୍ୟା ଦେଖା ଦେଇଥିଲା । ଟୋକନ ପାଇ ମଣ୍ଡିରେ ଧାନ ପକାଇ ଥିବାରୁ ଚାଷୀଙ୍କ ଧାନ ନଷ୍ଟ ହୋଇଥିଲା । ପରେ ବାଧ୍ୟହୋଇ ମିଲରଙ୍କ ସହ ସମଝୋତା କରି ତିହିଡି ସଦର ବଜାରରୁ ଧାନ ଦେବା ଲାଗି ଆଲୋଚନା କରିଥିଲେ । ଏହା ଫଳରେ ଚାଷୀମାନେ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଥିବା ବାରି ହୋଇଛି । ଜିଲ୍ଲା ପ୍ରଶାସନ ଏହାକୁ ବିଚାର କରିବା ସହିତ ସମବାୟ ବିଭାଗ ସମିତିରେ ଏକ ଗୋଦାମ ଗୃହ ନିର୍ମାଣ କରିବା ଲାଗି ସମିତି ସଭାପତି ସୁବାଶ ମଳିକ, ଚାଷୀ ପୂର୍ଣ୍ଣଚନ୍ଦ୍ର ନାୟକ, ସୁରେନ୍ଦ୍ର ନାୟକ, ବିଜୟ ନାୟକ, ମୁକ୍ତିକାନ୍ତ ନାୟକ, ବିଶ୍ୱନାଥ ପୃଷ୍ଟି, ବଳରାମ କବି, ଶଶଧର ନାୟକ, ସୁରେନ୍ଦ୍ର ବେହେରା, ନିରଞ୍ଜନ ନାୟକ, ପ୍ରବିତ ଦାସ, ଜିତେନ୍ଦ୍ର ମଲ୍ଲିକ ଓ ମାଗୁଣି ଚରଣ ନାୟକ ପ୍ରମୁଖ ଦାବୀ କରିଛନ୍ତି ।
ମଣ୍ଡିର ସୁବିଧା ନାହିଁ, ରାସ୍ତା ସମସ୍ୟା ନେଇ ସମିତିକୁ ଟ୍ରକ୍ ଯାଉନାହିଁ; ମାତ୍ରାଧିକ ଖର୍ଚ୍ଚାନ୍ତ ହେଉଛନ୍ତି ନିଶ୍ଚନ୍ତପୁର ସମିତିର ଚାଷୀ
|
February 10, 2020 |