ଭଣ୍ଡାରିପୋଖରୀ ୨ ପଞ୍ଚାୟତରୁ ହଟିଲା କଣ୍ଟେନମେଣ୍ଟ

Spread the love

ଭଦ୍ରକ,୪ା୫ (ସନ୍ଧାନ ନିୟୁଜ): ଆଜି ଅପରାହ୍ନରେ ଜିଲ୍ଲାରେ ୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ବାସୁଦେବପୁର ବ୍ଲକର ଏବଂ ଅନ୍ୟଜଣେ ଧାମନଗର ବ୍ଲକର । ଏହାଛଡା ପୂର୍ବରୁ କଣ୍ଟେନମେଣ୍ଟ ଜୋନ କଟକଣାରେ ରହିଥିବା ଭଣ୍ଡାରିପୋଖରୀ ବ୍ଲକର ରହଣିଆ ଏବଂ ତେସିଙ୍ଗା ପଞ୍ଚାୟତକୁ କଣ୍ଟେନମେଣ୍ଟ କଟକଣାମୁକ୍ତ କରାଯାଇଛି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୧୯ ଥିବା ବେଳେ ଆଜି ୨ ନୂଆ ରୋଗୀଙ୍କୁ ମିଶାଇ ଏହି ସଂଖ୍ୟା ୨୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ବାହାର ରାଜ୍ୟରୁ ଯେଉଁ ପ୍ରବାସୀମାନେ ଭଦ୍ରକକୁ ଆସୁଛନ୍ତି, ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ କରାଯାଉଛି । ପ୍ରଥମେ ସେମାନଙ୍କୁ ଭଣ୍ଡାରିପୋଖରୀ ଆଇଟିଆଇ ଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ପରେ ସେମାନଙ୍କ ମଧ୍ୟରୁ ସନ୍ଦିଗ୍‌ଧଙ୍କ ସ୍ୱାବ ଗ୍ରହଣ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଉଛି । ଆଜିସୁଦ୍ଧା ମୋଟ ୫୮୪ଜଣ ପ୍ରବାସୀ ଭଦ୍ରକକୁ ଆସି ସାରିଛନ୍ତି । ସେମାନଙ୍କ ମଧ୍ୟରୁ ୪୮୫ ଜଣ ସୂରଟରୁ ଆସିଥିବା ବେଳେ ୯୮ଜଣ କେରଳ ଏବଂ ଜଣେ ପଶ୍ଚିମବଙ୍ଗରୁ ଆସିଛନ୍ତି । ଏବେ ସମସ୍ତ ପ୍ରବାସୀ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ସଂଗରୋଧ ଭାବେ ରହିଛନ୍ତି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ଭଣ୍ଡାରିପୋଖରୀ ଆଇଟିଆଇକୁ ଯାଇ ସେଠାରେ କ୍ୱାରେଣ୍ଟାଇନରେ ଥିବା ସମସ୍ତ ପ୍ରବାସୀଙ୍କ ସ୍ୱସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଆଜିଠାରୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ରେଡ ଜୋନ ଅନ୍ତର୍ଗତ ହୋଇଥିବାରୁ ଆଜି ଏ ନେଇ ଏକ କଟକଣା ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରେଡ ଜୋନ ନିୟମାନୁଯାୟୀ କଣ୍ଟେନମେଣ୍ଟ ଜୋନ ଓ ଅଣକଣ୍ଟେନମେଣ୍ଟ ଜୋନ ପାଇଁ ଅଲଗା ଅଲଗା ନିୟମ ଲାଗୁ ରହିଛି । କଣ୍ଟେନମେଣ୍ଟ ଜୋନ ଗୁଡିକରେ ପୂର୍ବଭଳି ସବୁ କଟକଣାକୁ ବଳବତ୍ତର ରଖା ଯାଇଛି । କେବଳ ସ୍ୱାସ୍ଥ୍ୟକର୍ମୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଘରୁ ପଦାକୁ ବାହାରିବାକୁ ମନା କରାଯାଇଛି । ୧୦ ବର୍ଷରୁ କମ୍‌, ୬୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ଗର୍ଭବତୀ ମହିଳା ଉଭୟ କଣ୍ଟେନମେଣ୍ଟ ଏବଂ ଅଣକଣ୍ଟେନମେଣ୍ଟ ଅଞ୍ଚଳରେ ଘରେ ରହିବାକୁ ପରାମର୍ଶ ଦିଆ ଯାଇଛି । ଅଣକଣ୍ଟେନମେଣ୍ଟ ଅଞ୍ଚଳର ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ବଜାର ଖୋଲା ରହିବ, ମାତ୍ର ସେଲୁନ, ସ୍ପା ସେଣ୍ଟର, ମଲ, ସପିଙ୍ଗ ମଲ ଏ ସବୁ ବନ୍ଦ ରହିବ । ଦୋକାନ ଗୁଡିକରେ ସାମାଜିକ ଦୂରତା ବାଧ୍ୟତା ମୂଳକ ରହିଛି । ସହରାଞ୍ଚଳରେ ମଲ, ମାର୍ଟ, ସେଲୁନ, ସ୍ପା, ଲୁଗା ଦୋକାନ, ଜିମ୍ ସେଣ୍ଟର, ରିକ୍‌ସା, ଅଟୋରିକ୍‌ସା ଆଦି ଚଳାଚଳକୁ ବନ୍ଦ ରଖାଯାଇଛି । ସେହିପରି ଅନୁମତି ପ୍ରାପ୍ତ ହୋଇଥିବା କାର୍‌ରେ ଡ୍ରାଇଭର ସମେତ ୩ଜଣ ଓ ମୋଟର ସାଇକେଲରେ ଜଣେ ଯାତାୟତ କରି ପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଜି ଜିଲ୍ଲାର ବହିରାଗତ ଶ୍ରମିକ ମୋଟ ୩୫୧୮ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟାନ୍ୟ ୧୬ ହଜାର ୭୩୮ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଣ ହୋଇଛି ।

Related Posts

About The Author

Add Comment