ବେକାର ସଂଖ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ୱର, ୨୧/୨/୨୦ (ସନ୍ଧାନ ନିଉଜ) : ବିଧାନସଭାରେ ବେକାରୀ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳର ସଭ୍ୟ ମୁହାଁମୁହିଁ ହୋଇଛନ୍ତି।

ଗୁରୁବାର ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବେକାରୀ ପ୍ରସଙ୍ଗ ଉଠାଇଥିଲେ। ସେ ଅଭିଯୋଗ କରିଥିଲେ ରାଜ୍ୟରେ ୨୨ଲକ୍ଷ ୫୭ ହଜାର ବେକାରଙ୍କ ନାଁ ପଞ୍ଜୀକରଣ ହୋଇଥିଲେ ହେଁ ମାତ୍ର ୨୬ ହଜାରଙ୍କୁ ନିଯୁକ୍ତି ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ୫୫ ହଜାର ୫୫୬ଜଣ ବେକାର ଅଛନ୍ତି। ଏହାଛଡା କେନ୍ଦ୍ର ଦେଉଥିବା ଅର୍ଥର ସୁଧରେ ରାଜ୍ୟ ସରକାର ଯୋଜନା କରୁଛନ୍ତି। ୩୦ଟି ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଅର୍ଥ ସୁଧରେ ଚାଲିଛି ବୋଲି ଶ୍ରୀ ନାୟକ କହିଥିଲେ।

ଏହା ଉପରେ ଆପତ୍ତି ଉଠାଇ ବିଜେଡି ବିଧାୟକ ପ୍ରଦୀପ ଅମାତ, ଅମର ଶତପଥୀ ଓ ଭୁପିନ୍ଦର ସିଂ କହିଲେ ବିରୋଧୀ ଦଳ ନେତା ଅସତ୍ୟ ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରନ୍ତୁ ନାହିଁ। ଫଳରେ ଏହାକୁ ନେଇ ଗୃହରେ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା। ବାଚସ୍ପତି ରୁଲିଂ ଦେବା ସହ ବିରୋଧୀ ଦଳ ନେତାଙ୍କୁ ଏ ସମ୍ପର୍କିତ ତଥ୍ୟ ସମ୍ପର୍କିତ ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Related Posts

About The Author

Add Comment