ସୁନ୍ଦରଗଡ଼ ତା:୨୩/୩/୨୦୨୬( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ରାଜ୍ୟ ସରକାର ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ରାଜ୍ୟ ରାଜପଥ-୨୪ ର ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି । ଏଠାରେ ଯାତ୍ରୀଙ୍କ ପାଇଁ ନିର୍ମିତ ପ୍ରତୀକ୍ଷାଲୟଗୁଡ଼ିକ ଏବେ ମରଣଯନ୍ତା ପାଲଟିଛି । କେଉଁଠି ଛାତରୁ ସିମେଣ୍ଟ ଚୋପା ଛାଡ଼ୁଛି ତ କେଉଁଠି ଜଙ୍ଗଲ ଆବୃତ ହୋଇ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ଯାତାୟାତ କରନ୍ତି । କିନ୍ତୁ ଦୁଃଖର ବିଷୟ, ବସକୁ ଅପେକ୍ଷା କରିବା ପାଇଁ ନିର୍ମିତ ହୋଇଥିବା ପ୍ରତୀକ୍ଷାଲୟଗୁଡ଼ିକ ଆଜି ଶୋଚନୀୟ ଅବସ୍ଥାରେ ।ଅଧିକାଂଶ ପ୍ରତୀକ୍ଷାଲୟରେ ଗୋରୁ ଗାଈଙ୍କ ବାସସ୍ଥାନ ସାଙ୍ଗକୁ ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି । କାନ୍ଥରେ ବଡ଼ ବଡ଼ ଫାଟ ସାଙ୍ଗକୁ ଛାତରୁ ଲୁହା ରଡ୍ ଦେଖାଗଲାଣି । ବର୍ଷା ଦିନେ ଛାତରୁ ପାଣି ଗଳୁଥିବାରୁ ଯାତ୍ରୀମାନେ ବାହାରେ ଭିଜିବାକୁ ବାଧ୍ୟ ହେଉଛନ୍ତି । ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ହେଲେ ଏଠାରେ ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବଢୁଛି, ଯାହା ମହିଳା ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ପରିବେଶ ସୃଷ୍ଟି କରୁଛି । ଏଠି ବସିବାକୁ ଜଗା ନାହିଁ । ଚାରିଆଡ଼େ ଗନ୍ଧ ହେଉଛି ଆଉ କେତେବେଳେ ଛାତ ପଡ଼ିବ ତା’ର ଗ୍ୟାରେଣ୍ଟି ନାହିଁ । ଯାତ୍ରୀ ଖରା ସମୟରେ ବାହାରେ ଛିଡା ହୋଇରହିଥିବା ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଚୁପ୍ ପଡିଛନ୍ତି, ତାହା ଏବେ ବଡ଼ ପ୍ରଶ୍ନ । କେବେ ଏହି ପ୍ରତୀକ୍ଷାଲୟଗୁଡ଼ିକର ନବୀକରଣ ହେବ ନା କୌଣସି ବଡ଼ ଦୁର୍ଘଟଣାକୁ ପ୍ରଶାସନ ଅପେକ୍ଷା କରିଛି? ତାହା ଦେଖିବାକୁ ବାକି ରହିଛି ।
ବିପଦପୂର୍ଣ୍ଣ ସ୍ଥିତିରେ ରାଜ୍ୟ ରାଜପଥ – ୨୪ ର ଯାତ୍ରୀ ପ୍ରତୀକ୍ଷାଲୟ: ପ୍ରଶାସନର ନିଦ ଭାଙ୍ଗୁଛି କେବେ
|
March 23, 2026 |



