ସୂଚନାଯୋଗ୍ୟ ଯେ ଓଡିଶାରେ ଅନ୍ୟ ରାଜ୍ୟମାନଙ୍କ ପରି ଏକ ବିଧାନ ପରିଷଦ ଗଠନ କରିବାପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। ବିହାର, ଜାମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ପରି ରାଜ୍ୟ ମାନଙ୍କରେ ବିଧାନ ପରିଷଦ ଗଠନ କରାଯାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ଆଇନ ପ୍ରଣୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଧାନ ସଭାରେ ଏକ ସଂକଳ୍ପ ମଧ୍ୟ ଉପସ୍ଥାପିତ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୫ ମସିହାରେ ଡଃ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ ଭୁଜବଳ ମାଝୀ, ଶ୍ରୀ ମନୋହର ରନ୍ଧାରୀ ଓ ଶ୍ରୀ ନିତିଶ ଗଙ୍ଗଦେବ ପ୍ରମୁଖ ବିଧାୟକମାନେ ସଦସ୍ୟ ରହିଛନ୍ତି। ପୂର୍ବରୁ ସେମାନେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତରେ ଯାଇ ସେ ରାଜ୍ୟ ମାନଙ୍କରେ ବିଧାନ ପରିଷଦର କାର୍ଯ୍ୟଧାରା ସଂକ୍ରାନ୍ତରେ ଅନୁଧ୍ୟାନ କରିଛନ୍ତି।
ଏ ବିଷୟରେ ଅଧିକ ଅନୁଧ୍ୟାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆନ୍ଧ୍ର ଓ ବିହାର ଗସ୍ତରେ ଯାଇ ସେଠାରେ ବିଧାନ ପରିଷଦ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିବାପାଇଁ କମିଟିର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ସୂଚନାଯୋଗ୍ୟଯେ ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରଖାଯାଇଛି। କିନ୍ତୁ ଓଡ଼ିଶା ପରି ଅଳ୍ପ କେତେକ ରାଜ୍ୟକୁ ବାଦ ଦେଲେ ଅଧିକାଂଶ ବଡ ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି। ବିଧାନ ପରିଷଦରେ ସଦସ୍ୟ ମାନେ ସାଧାରଣତଃ ପରୋକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥାନ୍ତି ଏବଂ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ମାନେ ଆଇନ ପ୍ରଣୟନ ପ୍ରକ୍ରିୟାରେ ସେମାନଙ୍କ ମହତ୍ଵପୂର୍ଣ୍ଣ ଯୋଗଦାନ ରଖିବାର ସୁଯୋଗ ପାଇଥାନ୍ତି।