ବିଆଇଇଟି ସୋସାଇଟି ପକ୍ଷରୁ ବିଧାୟକ ସଂଜୀବ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା

Spread the love

ଭଦ୍ରକ, ୬/୬ (ସନ୍ଧାନ ନିୟୁଜ) ଆଗାମୀ ଦିନରେ ଭଦ୍ରକକୁ ଏକ ସ୍ମାର୍ଟ ସିଟି ଭାବେ ପରିଣତ କରିବା ପୂର୍ବରୁ ଶିକ୍ଷାର ବିକାଶ ଦିଗରେ ସମଗ୍ର ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିବା ବରପଦାସ୍ଥିତ ବିଆଇଇଟି କଲେଜର ଐତିହ୍ୟକୁ ଫେରାଇ ଆଣି ଏଠାରେ ଏକ ଟେକ୍ନିକାଲ ହବ୍ ପ୍ରତିଷ୍ଠା ଦିଗରେ ସମସ୍ତ ପ୍ରୟାସ ଜାରି ରଖିବେ ବୋଲି ଆଜି ଭଦ୍ରକର ନବ ନିର୍ବାଚିତ ବିଧାୟକ ସଂଜୀବ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଳ ସାମଲଙ୍କ ଭଦ୍ରକର ନୂଆବଜାରସ୍ଥିତ ବାସଭବନରେ ବିଆଇଇଟି ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ସଭାପତି ତଥା ଭଦ୍ରକର ପୂର୍ବତନ ପୌରପାଳ ଇଂ ପ୍ରୟାସକାନ୍ତି ସାମଲ ଅଧ୍ୟକ୍ଷତା କରି ଭଦ୍ରକ ଶ୍ରୀ ମଲ୍ଳିକଙ୍କ ଭଳି ଜଣେ ଯୁବ ସମାଜସେବୀଙ୍କୁ ବିଧାୟକ ରୂପେ ପାଇଥିବାରୁ ତାଙ୍କ ଦ୍ୱାରା ଏହି ନିର୍ବାଚନ ମଣ୍ଡଳୀର ବିକାଶର ଧାରା ସୃଷ୍ଟି ହେବ ବୋଲି ଆହ୍ୱାନ ଦେଇଥିଲେ । ବିଶେଷକରି ବିଆଇଇଟି ଅତୀତରେ ତାର ନାମକୁ ଯେଭଳି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିଲା, ସେଥିରେ ଏବେ ସାମାନ୍ୟ ଦାଗ ଲାଗିଥିଲେ ବି ତାହାକୁ ଲିଭାଇ ପୂର୍ବ ଐତିହ୍ୟକୁ ଫେରାଇ ଆଣିବା ଦିଗରେ ସେ ବିଧାୟକ ଶ୍ରୀ ମଲ୍ଲିକଙ୍କ ସହଯୋଗ ଲୋଡିଥିଲେ । ଏବଂ ଏ ଦିଗରେ ଅନୁଷ୍ଠାନର ସମସ୍ତ ସଦସ୍ୟ, ଛାତ୍ରଛାତ୍ରୀ ଓ ଭଦ୍ରକର ଜନସାଧାରଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ବିଧାୟକ ଶ୍ରୀ ମଲ୍ଲିକ ସମ୍ବର୍ଦ୍ଧନା ଜ୍ଞାପନର ଉତ୍ତରରେ ଆଗାମୀ ଦିନରେ ସେ ଭଦ୍ରକକୁ ଏକ ସ୍ମାର୍ଟ ସିଟି କରିବାରେ ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେଥିରେ ବରପଦା ଇଂଜିନିୟରିଂ କଲେଜକୁ ଏକ ଟେକ୍ନିକାଲ ହବ୍ରେ ପରିଣତ କରିବା ସହ ଭଦ୍ରକ କଲେଜକୁ ଏକକ ବିଶ୍ୱ ବିଦ୍ୟାଳୟ ଭାବେ ପ୍ରତିଷ୍ଠା କରି ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘଦିନର ଦାବି ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ସେ ଗୁରୁତ୍ୱ ଦେବେ ବୋଲି କହିଥିଲେ । ମାତ୍ର ଏ ଦିଗରେ ସେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଶେଷରେ ବିଆଇଇଟିର ଅଧ୍ୟକ୍ଷ ଡ. ମୋହନ ଚରଣ ପଣ୍ଡା ବିଧାୟକ ଶ୍ରୀ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସମ୍ବର୍ଦ୍ଧନା ସଭାରେ ବିଆଇଇଟି ସୋସାଇଟିର ପୂର୍ବତନ ସଂପାଦକ ମନୋଜ ଗୋସ୍ୱାମୀ, ଡିପ୍ଲୋମା ଅଧ୍ୟକ୍ଷ ଗଂଗାଧର ଧଳ, ସିନିୟର ଆକାଉଣ୍ଟଟାଣ୍ଟ ଭୀମସେନ ସାମଲ, ସିନିୟର ଆସିଷ୍ଟାଣ୍ଟ ଗଦାଧର ରାଉତ, ପୂର୍ବତନ ସୋସାଇଟି ସଦସ୍ୟ ଗୋପାଳ ଦାସ, ସଦସ୍ୟ ମାନଗୋବିନ୍ଦ ପାତ୍ର, ଜ୍ୟୋତିଶଙ୍କର ମହାନ୍ତି, ତି୍ରଲୋଚନ ପ୍ରଧାନ, ମୁରଲୀଧର ନାୟକ, ମୁନା ରାଉତ, ମେହେବୁବ ଖାଁ, ନାସିର ଅଲ୍ଲୀ ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା ବିଜେଡି ଛାତ୍ର ସଭାପତି ରାକେଶ ପଣ୍ଡା, ବିଜେଡି ଜିଲା ଛାତ୍ର ସଭାପତି ତଥାଗତ ସାମଲ, ସୋମନାଥ ସାହୁ, ଶ୍ୟାମସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Report- Ramesh Nayak

Related Posts

About The Author

Add Comment