ନୂଆଦିଲ୍ଲୀ,୫/୩ (ସନ୍ଧାନ ନିୟୁଜ) : ପାକିସ୍ତାନର ବାଲାକୋଟ୍ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ (ଜେଇଏମ୍)ର ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଯେଉଁ ଏୟାର ଷ୍ଟ୍ରାଇକ୍ କଲା, ତାହାର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ପାକିସ୍ତାନ ମାଟିରେ ଯେଉଁ ଏୟାର ଷ୍ଟ୍ରାଇକ୍ କରାଗଲା, ତାହା ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନ ଥିଲା। ପାକିସ୍ତାନ ମାଟିରେ ଭାରତ ବିରୋଧରେ ଆତଙ୍କବାଦୀ ହାମ୍ଲା ପାଇଁ ଯେଉଁ ଷଡ୍ଯନ୍ତ୍ର ଚାଲିଥିଲା ସେ ସଂପର୍କରେ ଗୁଇନ୍ଦା ସୂଚନା ଆଧାରରେ ଏହି ଏୟାର ଷ୍ଟ୍ରାଇକ୍ କରା ଯାଇଥିଲା ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।
ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସତାରମଣ ସ୍ପଷ୍ଟ କରି ଦେଇଛନ୍ତି ଯେ ପାକିସ୍ତାନର ବାଲାକୋଟ୍ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ (ଜେଇଏମ୍)ର ଟ୍ରେନିଂ କ୍ୟାମ୍ପକୁ ଧ୍ୱଂସ କରି ମାଟିରେ ମିଶାଇଦେବା ଲକ୍ଷ୍ୟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ କରିଥିଲା। କୌଣସି ଆତଙ୍କବାଦୀଙ୍କୁ ନିପାତ କରିବା ଏହି ଏୟାର ଷ୍ଟ୍ରାଇକ୍ର ମୂଳ ଲକ୍ଷ୍ୟ ନଥିଲା। ତେବେ, ଯେଉଁ ଲକ୍ଷ୍ୟ ନେଇ ଭାରତୀୟ ବାୟୁସେନା ଏହି ଏୟାର ଷ୍ଟ୍ରାଇକ୍ କରିଥିଲା, ତାହା ସଂପୂର୍ଣ୍ଣ ସଫଳ ହୋଇଛି।
ଏଥିସହ ଭାରତୀୟ ବାୟୁସେନାର ଏହି ଏୟାର ଷ୍ଟ୍ରାଇକ୍ କାଳରେ ଜେଇଏମ୍ର ଟ୍ରେନିଂ କ୍ୟାମ୍ପରେ ଥିବା ଯଦି କିଛି ଆତଙ୍କବାଦୀ ନିପାତ ହୋଇଥାଆନ୍ତି ତାହା ଭଲକଥା। ତେବେ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟାରେ ଆତଙ୍କବାଦୀ ନିପାତ ହେଲେ ତାକୁ ନେଇ ରାଜନୀତି କରା ନଯାଉ। କାରଣ, ଏହି ଏୟାର ଷ୍ଟ୍ରାଇକ୍ର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ସେଥିପାଇଁ ସରକାରୀ ଭାବେ ମୃତକଙ୍କ ସଂଖ୍ୟା ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।