ଭୁବନେଶ୍ବର, ୧୦/୧୦(ସନ୍ଧାନ ନିୟୁଜ) : ଉଗ୍ର ରୂପ ନେଉଛି ବାତ୍ୟା ତିତଲି। ଏହା ଫଳରେ ଘଣ୍ଟାକୁ ୧୦୦ରୁ ୧୧୦ କିମି ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହୁଛି ପାଣିପାଗ ବିଭାଗ। ଅନେକ ପ୍ରକାରର ବିପର୍ଯ୍ୟୟ ଘଟିପାରେ ବୋଲି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ କେଉଁ କେଉଁ ଘଟଣାରେ ସାବଧାନତା ଅବଲମ୍ବନ କରିବେ ଜାଣି ନିଅନ୍ତୁ। ମୁଖ୍ୟତଃ ବଡ ବଡ ଗଛ, ବିଜୁଳି ଖୁଣ୍ଟ ଉପୁଡିଯାଇପାରେ। ଦୁର୍ବଳ ଘର ଭାଙ୍ଗିଯାଇପାରେ। ଗଛ ପଡିବା ଏବଂ ବଜୁଳି ଖୁଣ୍ଟ ଉପୁଡିଯିବା ଯୋଗୁଁ ପାଓ୍ବାର କଟ୍ ହେବ। ଜଳ ଯୋଗାଣ ବନ୍ଦ ହୋଇପାରେ। ବାତ୍ୟା ଭୟରେ ଦୋକାନ ବଜାର ବନ୍ଦ ରହିବା ସମ୍ଭାବନା ଅଛି। ଭୀଷଣ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଅବଶ୍ୟ ଓଡିଶା ପାଇଁ ବନ୍ୟା, ବାତ୍ୟା ଭଳି ପରିସ୍ଥିତି କିଛି ନୂଆକଥା ନୁହେଁ। ମହାବାତ୍ୟା, ଫାଇଲିନ, ହୁଡୁହୁଡୁ ଆଦିକୁ ଓଡ଼ିଶାର ଲୋକ ନିକଟରେ ଦେଖିଛନ୍ତି। ଏହାର ଅନୁଭୂତି ସମସ୍ତଙ୍କର ରହିଛି। ତେଣୁ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ବ୍ୟକ୍ତିଗତସ୍ତରରେ ଆମମାନଙ୍କୁ କେତୋଟି ବିଷୟରେ ସଜାଗ ହେବାକୁ ପଡିବ। ତିତ୍ଲି ଆଉ ପ୍ରୟ ୪୦୦ କିଲୋମିଟର ଦୂରରେ ରହିଛି। ୧୧ ତାରିଖସକାଳେ ଗୋପାଳପୁର ନିକଟରେ ମାଡ଼ ହେବ ତିତ୍ଲି। ପବନର ବେଗ ୧୨୫ କିଲୋମିଟର ଛୁଇଁପାରେ। ୪୮ ଘଣ୍ଟା ଧରି ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ। ଘଣ୍ଟାକୁ ୮ କିଲୋମିଟର ବେଗରେ ଆଗେଇ ଆସୁଛି ଓଡ଼ିଶାର ଉପକୂଳକୁ।
୧୧ ତାରିଖ ସକାଳ ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ ଏହା ଏଭଳି ଭୀଷଣ ଅବସ୍ଥାରେ ରହିବ। ପାଣିପାଗ ବିଭାଗର ଅଙ୍କ ଠିକ୍ ହେଲେ ୧୧ ତାରିଖ ସକାଳେ ଗାପାଳପୁର ନିକଟବର୍ତ୍ତୀ ଉପକୂଳରେ ବାତ୍ୟା ମାଡ଼ ହେବ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତାକାଲି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ େକନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଏସବୁ ଜିଲ୍ଲା ବ୍ୟତୀତ ରାୟଗଡା, େକାରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, େଢଙ୍କାନାଳ, ଭଦ୍ରକ, ବାଲେଶ୍ବରରେ ଭୀଷଣ ବର୍ଷା ହେବ।
ସୁରକ୍ଷା ପାଇଁ କ’ଣ କରିବେ:
୧. ଦୁର୍ବଳ ଘର ହୋଇଥିଲେ ସୁରକ୍ଷିତ ସ୍ଥାନ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ଯାଆନ୍ତୁ।
୨.ପରିବାରର ସମସ୍ତେ ଏକାଠି ରହିବାକୁ ଚେଷ୍ଟା କରନ୍ତୁ।
୩.ଅତି ଜରୁରୀ ନଥିଲେ ଦୂରସ୍ଥାନକୁ ଯାତ୍ରା କରନ୍ତୁନାହିଁ।
୪.ପାଓ୍ବାର କଟ୍ ହେବାର ସମ୍ଭାବନା ଥିବାରୁ ଘରେ ମହମବତୀ, କିରୋସିନି ମହଜୁଦ ରଖନ୍ତୁ। ଚାର୍ଜର ଲାଇଟ୍ ଥିଲେ ଫୁଲ୍ ଚାର୍ଜ କରି କରନ୍ତୁ। ମୋବାଇଲକୁ ମଧ୍ୟ ଫୁଲ୍ ଚାର୍ଜ କରି ରଖନ୍ତୁ।
୫.ଜରୁରୀ ଔଷଧ, ଶୁଖିଲା ଖାଦ୍ୟ ଏବଂ ଦିନେ ଦୁଇ ଦିନ ପାଇଁ ରାସନ କିଣି ପାଖରେ ରଖନ୍ତୁ।
୬. ବନ୍ୟା ଓ ବାତ୍ୟା ସମୟରେ ବିଷଧର ସାପ ଘର ଭିତରକୁ ପଶିପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ।
୭ .ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଉପଦେଶକୁ ମାନନ୍ତୁ। ଜରୁରୀକାଳୀନ ଟେଲିଫୋନ ନମ୍ବର ପାଖରେ ରଖନ୍ତୁ। ନିୟମିତ ବାତ୍ୟା ସଂପର୍କୀତ ଅପଡେଟ୍ ଖବର ରଖିବାକୁ ଚେଷ୍ଟା କରନ୍ତୁ।
୮.ଗୃହପାଳିତ ପଶୁମାନଙ୍କୁ ଗୁହାଳରେ ନବାନ୍ଧି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ ଓ ଦିନେ ଦୁଇ ଦିନ ପାଇଁ ସେମାନଙ୍କ ଲାଗି ଖାଦ୍ୟ ସାଇତି ରଖନ୍ତୁ।
୯.ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟଜଳ ମଧ୍ୟ ଘରେ ମହଜୁଦ ରଖନ୍ତୁ।
୧୦.ଘରେ ପାଣି ପଶିବାର ସମ୍ଭାବନା ଥିଲେ ଜରୁରୀ କାଗଜପତ୍ର ଏବଂ ଟଙ୍କାପଇସା ଜରିରେ ଭର୍ତ୍ତି କରି ଉଚ୍ଚସ୍ଥାନରେ ରଖନ୍ତୁ। ଏଟିଏମରୁ କିଛି ନଗଦ ଟଙ୍କା ବାହାର କରି ନିଜ ପାଖରେ ରଖନ୍ତୁ।
୧୧.ଗାଡି ମଟର ଥିଲେ ସେଥିରେ ପେଟ୍ରୋଲ, ଡିଜେଲ ଭର୍ତ୍ତି କରି ରଖନ୍ତୁ। ଆବଶ୍ୟକତା ଦୃଷ୍ଟିରୁ ଯାତାୟତ କରୁଥିବା ବେଳେ ଜୋରରେ ପବନ ବହିଲେ ଗଛ ବା ଖୁଣ୍ଟଠାରୁ ଦୂରରେ ରୁହନ୍ତୁ।
୧୨.ସାହିପଡିଶାଙ୍କ ସହ ଯୋଗାଯୋଗରେ ରୁହନ୍ତୁ। ଏହି ସମୟରେ ଗୁଜବ ଉଠିବାର ଆଶଙ୍କା ରହିଥାଏ ତେଣୁ ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ।
୧୩.କୌଣସି କଥାରେ ବିଶେଷ ଭୟଭୀତ ନହୋଇ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରନ୍ତୁ।
୧୪.ବାତ୍ୟା ଦେଖିବା ପାଇଁ ଉତ୍ସୁକ ହୋଇ ସମୁଦ୍ରକୂଳକୁ ଯାଆନ୍ତୁନାହିଁ। ପବନର ବେଗ ବଢିଲେ ଘରର ଝରକା କବାଟ ଭଲଭାବେ ବନ୍ଦ କରି ରଖନ୍ତୁ। ଘରକୁ ଲାଗି ଦୁର୍ବଳ ଗଛ ଥିଲେ ତାହା ଯେମିତି ଭାଙ୍ଗି ନଯାଏ ସେଥିପ୍ରତି ସଜାଗ ରୁହନ୍ତୁ। ଗଛକୁ ଶକ୍ତ ଦଉଡିରେ ଚାରିପଟୁ ବାନ୍ଧି ରଖନ୍ତୁ।