ବର୍ଷାଦିନେ ବି ମେଣ୍ଟୁନି ଲୋକଙ୍କ ଶୋଷ

Spread the love

ବାରିପଦା , କଳାବାଡ଼ିଆ, ୫/୯/୨୦ (ଲିଙ୍ଗରାଜ ପଣ୍ଡା); ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି  ଖରାଦିନ କଥା ଛାଡ଼ନ୍ତୁ, ବର୍ଷାଦିନରେ ବି ଲୋକେ ପାନୀୟ ଜଳ ପାଉନାହାନ୍ତି। ଏଠିକାର ଅଧିକାଶ ପାନୀୟ ଜଳ ପ୍ରକଳ୍ପ ଏବଂ ପ୍ରକଳ୍ପ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ଲୋକଙ୍କୁ ଧୋକା ଦେଇଛନ୍ତି। ବ୍ଲରେ ମୋଟ ୧୬ଟି ପାନୀୟ ଜଳ ପ୍ରକଳ୍ପ ପଞ୍ଚାୟତଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଏଥିମଧ୍ୟରୁ ୧୦ଟିରୁ ଅଧିକ ପ୍ରକଳ୍ପ ଦୟନୀୟ ଅବସ୍ଥାରେ ରହିଛି । ସାମାନ୍ୟ ମରାମତି,  ରକ୍ଷଣାବେକ୍ଷଣ ଓ ପାଂଚ ଅଭାବରୁ ପଥୁରୀ, କଳାବାଡ଼ିଆ, ଚନ୍ଦନପୁର, ନାଫ୍ରି, ବଣକାଟି, ଧୋବଣୀଶ୍ୱାଳ, ନିଶ୍ଚିନ୍ତା, କୁମ୍ଭାରମୁଣ୍ଡାକଟା,ପୁଢ଼ାଖମାରି, ଭୁଆଶୁଣି ଗୋଲାମୁଣ୍ଢାକଟା ପଞ୍ଚାୟତର ଲୋକେ ଆବଶ୍ୟକ ପାଣି ପାଉନାହାନ୍ତି । କିଛି ସ୍ଥାନରେ ପାଇପ୍ ସଂଯୋଗ ଦିଆଯାଉ ନାହିଁ । ବଣକାଟି ବାଙ୍ଗିରିପୋଷି ପଞ୍ଚାୟତର ଅନେକ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିଯାଇଛି। ବହୁ ସ୍ଥାନରେ ଲୋକେ ପାଇପ୍ କାଟି ଓ ମୋଟର ଦ୍ବାରା ପାଣି ନେଉଥିବାରୁ ଉପର ମୁଣ୍ଡରେ ଥିବା ପରିବାର ପାଣି ପାଉନାହାନ୍ତି। ସେହିପରି ଆଉ କିଛି ପ୍ରକଳ୍ପଗୁଡ଼ିକର ନିର୍ମାଣ କାମ କରିଥିଲେ ବି ଟାଙ୍କିକୁ ପାଣି ଉଠିନି। ପ୍ରକଳ୍ପ ବାବଦକୁ ବିଦ୍ୟୁତ୍ ବିଲ୍‌ ପୈଠରେ ଅନିୟମିତତା ଯୋଗୁ ସମସ୍ୟା ଦେଖାଦେଉଛି । ନିମ୍ନମାନର ସାମଗ୍ରୀ, ପୁରୁଣା ସେକେଣ୍ଡ ହାଣ୍ ପମ୍ପ, ପୁରୁଣା ପାଇପ୍ ଆଦି ବ୍ୟବହାର ହେବା ଅନିୟମିତ ପାଣି ଯୋଗାଣର ଏକ ବଡ଼ କାରଣ ବୋଲି ମଧ୍ୟ ଅଭିଯୋଗ ହେଉଛି । ବ୍ଲକ୍‌ରେ ମୋଟ ୩୫ ଜଣ ଏସିଏମ୍ ବିଭିନ୍ନ ପ୍ରଳଚ୍ଚ ପରିଚାଳନା ଦାୟିତ୍ବରେ ଅଛନ୍ତି। ଯେମିତି କି ମୋଟର ଚଳାଇବା ଓ ତା’ର ରକ୍ଷଣାବେକ୍ଷଣ କରିବା ସେମାନଙ୍କ କାମ ହେଲେ ସେମାନେ ୨ ହଜାର ଟଙ୍କା ମାସିକ ଦରମା ପାଉଥିଲେ ବି ମନମୁଖି କାମ କରୁଛନ୍ତି । ବିଭାଗୀୟ କିଛି ଅଫିସର ଓ କର୍ମଚାରୀ ମଧ୍ୟ ସେମାନଙ୍କ ଦାୟିତ୍ବ ଠିକ୍ ଭାବେ ନିର୍ବାହ କରୁନାହାନ୍ତି । ଜଳ ପରିମଳ ବିଭାଗ ପକ୍ଷରୁ ତଦାରଖ ପାଇଁ ଯନ୍ତ୍ରୀ (କ) ଓ ଯନ୍ତ୍ରୀ (ଖ)ଙ୍କ ସହ ସରପଞ୍ଚମାନେ ଦାୟିତ୍ଵରେ ଥିଲେ ବି କେହି ତାକୁ ଠିକ୍ ଭାବେ ନିର୍ବାହ କରୁନାହାନ୍ତି। ଏନେଇ ସରପଞ୍ଚମାନଙ୍କୁ ପଚାରିଲେ ସେମାନେ ପ୍ରକଳ୍ପ ବାବଦରେ ପଞ୍ଚାୟତ ଅନୁଦାନରୁ ମାତ୍ର ୩୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ପାଇଁ ଅନୁମତି ଅଛି ବୋଲି କହି କଥାକୁ ଏଡ଼ାଇଯାଉଛନ୍ତି। ତେବେ ଏପରି ସମୟରେ ପାନୀୟ ଜଳ ପ୍ରକଳ୍ପଗୁଡ଼ିକରୁ ପାଣି ନ ମିଳିବାର କାରଣ ଖୋଜିବା ସହ ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମାଜସେବୀ ମୋତିଲାଲ ଦାଶ, ରବୀନ୍ଦ୍ର ନାଥ ସେଠୀ, ପୀତାମ୍ବର ନାଏକ, ସନ୍ତୋଷ କଲିଆ, ଶିବଶଙ୍କର ଭୂୟୀ, ଜହର ଶତପଥୀ ପ୍ରମୁଖ ଦାବି କରିଛନ୍ତି ।

Related Posts

About The Author

Add Comment