ଯାଜପୁର, ୨୮/୦୬(ସନ୍ଧାନ ନିୟୁଜ/ମାନସ ରାଉତ)- ବଡଚଣା ବ୍ଳକ ଅନ୍ତର୍ଗତ ଶାଳପଡା ଗ୍ରାମରେ ପ୍ରାୟ ୩ହଜାର ଜନସଂଖ୍ୟା ଲୋକଙ୍କ ପାଇଁ ଏକଲକ୍ଷ ଲିଟର ବିଶିଷ୍ଟ ଏକ ପାନୀୟ ଜଳ ପ୍ରକଳ୍ପର ପାଣିଟାଙ୍କି ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଉଦଘାଟନ ପୂର୍ବରୁ ତାହା ଫାଟି ଯାଇଥିବା ଦେଖାଯାଇଛି । ଏହି ପାଣି ଟ୍ୟାଙ୍କି ନିର୍ମଣ ପାଇଁ ୨୦୧୬ ମସିହାରେ କାର୍ଯ୍ୟ ।ଆରମ୍ଭ କରାଯାଇ ୨୦୧୭ମସିହାରେ ଶେଷ ହେବାର ଥିଲା । ଏହି ଟ୍ୟାଙ୍କି ନିର୍ମାଣ ପାଇଁ ୨୫ଲକ୍ଷ ଓ ଜଳ ଯୋଗାଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଅବଧି ସରିବା ପରେ ମଧ୍ୟ କାର୍ଯ୍ୟ ନସାରି ବର୍ଷକ ପରେ କାର୍ଯ୍ୟ ଶେଷ ହୋଇଥିଲା । ଠିକାଦାର ସମୀର କୁମାର ମହାନ୍ତିଙ୍କୁ ଏହାର ନିର୍ମାଣ ଦାୟିତ୍ୱ ଚଣ୍ଡିଖୋଲ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା ।
ତେବେ ସଂପୃକ୍ତ ଠିକାଦାର ମନମୁଖୀ ଭାବେ ଆକଳନ ବାହାରେ ନିମ୍ନମାନର ଚିପ୍ସ ସିମେଂଟ, ବାଲି ଓ ରଡ ବ୍ୟବହାର କରି ବହୁ ବିଳମ୍ବରେ ଏହି କାର୍ଯ୍ୟକୁ ସାରିଥିଲେ । ତେବେ ନିମ୍ନମାନର କାର୍ଯ୍ୟ ନେଇ ସେତେବେଳେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଇ ନଥିଲେ । ବିିଛାଯାଇଥିବା ପାଇପ ଗୁଡିକ ନିୟମ ମୁତାବକ ୩ଫୁଟ ଗଭୀର ତଳେ ପୋତାନଯାଇ କେଉଁଠାରେ ଏକଫୁଟ ତ ଅନ୍ୟ କେଉଁଠାରେ ୨ ଫୁଟ ଗଭୀର କରି ପାଇପ ଗୁଡାକ ପୋତାଯାଇଅଛି । ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଯାଗାରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ପାଇଁ ବ୍ୟବସ୍ଥା ଥିଲେ ବି ସେସବୁ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇନାହିଁ । ଅଧାପାନ୍ତରିଆ କାମ କଲାପରେ ନିର୍ମାଣ ହୋଇଥିବା ଓଭରହେଡ ଟ୍ୟାଙ୍କକୁ ପାଣି ସପ୍ଳାଇ କଲାପରେ ଟାଙ୍କି ଫାଟି ପାଣି ଝରିବା ଲୋକମାନେ ଦେଖିବାକୁ ପାଇଥିଲେ । ନିଯୁକ୍ତ ହୋଇଥିବା ମଟର ଚାଳକ ଟାଙ୍କିକୁ ପାଣି ନଦେଇ ସିଧାସଳଖ ଭାବେ ପାଇପ ଯୋଗେ ପାଣି ସପ୍ଳାଇ କରୁଥିବା ଦେଖା ଦେଇଛି । ଏହି ପ୍ରକଳ୍ପକୁ ଆସନ୍ତା ସପ୍ତାହରେ ଉଦଘାଟନ ପାଇଁ ବିଭାଗ ପକ୍ଷରୁ ଦିନଧାର୍୍୍ୟ କରାଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ପ୍ରତି ଦୃଷ୍ଟି ଦିଆଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଅନିୟମିତତା କାର୍ଯ୍ୟ ସଂପର୍କରେ ଚଣ୍ଡିଖୋଲ ଗ୍ରାମ୍ୟ ଜଳେଯାଗାଣ ନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ପରିଡାଙ୍କୁ ପଚାରିବାରୁ ସେ କହିଥିଲେ ଅନିୟମିତତା ସଂପର୍କରେ ଆମେ ଅଭିଯୋଗ ପାଇଛୁ । ସଂପୃକ୍ତ ଠିକାଦାରଙ୍କୁ ସଂପୂର୍ଣ୍ଣ ପ୍ରାପ୍ୟ ପ୍ରଦାନ କରିନାହୁଁ । ଆବଶ୍ୟକତା ଥିବା ଦୃଷ୍ଟିରୁ ଅନ୍ୟ ଠୀକାଦାରଙ୍କ ଜରିଆରେ ଆମ୍ଭେ ଏହାର ପୁନ ମରାମତି କାର୍ଯ୍ୟ କରୁଅଛୁ ବୋଲି କହିଥିଲେ ।