ଭୁବନେଶ୍ୱର, ୦୭/୦୪ (ସନ୍ଧାନ ନିୟୁଜ) : କରୋନା ସଂକ୍ରମଣ ରୋକିବାକୁ ଦେଶରେ ଜାରି ରହିଥିବା ଲକ୍ଡାଉନ୍ ସମୟରେ ହୋଲସେଲ ମାର୍କେଟକୁ ସାଧାରଣ ଲୋକେ ଯାଇପାରିବେନି। ସଉଦା ପାଇଁ ବଜାରକୁ ଗଲେ ବାଇକ୍ ଓ କାର ନେବା ସମ୍ପୂର୍ଣ୍ଣ ମନା। ଯଦି କେହି ଗ୍ରୋସରି ଓ ପରିବା କିଣିବାକୁ ଯାଆନ୍ତି ତେବେ ଘର ପାଖ ବଜାରକୁ ଚାଲି ଚାଲି କିମ୍ବା ସାଇକେଲରେ ଯିବାକୁ ନିବେଦନ ସରକାର କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍ରେ ଘରୁ ନବାହାରିବାକୁ କୁହାଯାଇଛି। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ।
ସୋମବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଲେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ କରୋନା ପରୀକ୍ଷା ଆରମ୍ଭ ଉପରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଆଇସିଏମଆରର ଅନୁମତି ପରେ ବ୍ରହ୍ମପୁର ମେଡିକାଲ କଲେଜ ଓ ବୁର୍ଲା ମେଡିକାଲ କଲେଜରେ ପରୀକ୍ଷଣ ଆରମ୍ଭ କରାଯିବ। ବର୍ତ୍ତମାନ ରାଜ୍ୟର ୩ଟି ସ୍ଥାନ ଏମ୍ସ, ଆରଏମଆରସି ଓ କଟକ ବଡ଼ ମେଡିକାଲରେ ଦୈନିକ ପ୍ରାୟ ୩୦୦ଟି ନମୁନା ପରୀକ୍ଷା କରାଯାଉଛି। ଆସନ୍ତା ୫ ଦିନ ମଧ୍ୟରେ ଏହାକୁ ଏକ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।