ପ୍ରଭୁ ଲିଙ୍ଗରାଜଙ୍କୁ ନୀତିକାନ୍ତି ବନ୍ଦ ଘଟଣା; ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ଏତଲା

Spread the love

ଭୁବନେଶ୍ୱର: ୧୬/୧/୨୬ (ସନ୍ଧାନ ନ୍ୟୁଜ )  ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିବା ସହ ମକର ସଂକ୍ରାନ୍ତିରେ ଦିଅଁଙ୍କୁ ଅପୂଜା ଓ ଉପାସ ରଖିବା ଘଟଣାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତିଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ହୋଇଛି। ଏହାସହିତ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, କମିସନରେଟ୍‌ ପୁଲିସ ଆୟୁକ୍ତ ଓ ଉପାୟୁକ୍ତଙ୍କୁ ଅଭିଯୋଗ କରାଯାଇଛି। ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ନିବାସୀ ଅମରେନ୍ଦ୍ର ଗରାବଡୁ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୧୩ ତାରିଖ ସନ୍ଧ୍ୟାରୁ ୧୫ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ହିନ୍ଦୁ ସମାଜର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଭୋଗ ଉପବାସରେ ରଖାଯାଇଛି। କ୍ଷୀର ଆଉଟା ନୀତିକୁ ନେଇ ବ୍ରାହ୍ମଣ ନିଯୋଗ ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁର ଉପାସ ଥିଲେ। ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନଥିଲା। ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ତାଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ଷ୍ଟେସନ ଡାଇରୀ କରାଯାଇଥିବା ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଅପୂଜା ରହିବାର ୩୪ଘଣ୍ଟା ପରେ ସ୍ୱାଭାବିକ ହୋଇଛି ନୀତିକାନ୍ତି। ଗୁରୁବାର ଭୋର ୬ଟାରେ ମନ୍ଦିର ପହଡ଼ ଖୋଲି ମଙ୍ଗଳଆଳତି ଅବକାଶ ନୀତି ହୋଇ ସାଢ଼େ ୬ଟାରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଏହାପରେ ଦିଅଁଙ୍କ ଅନ୍ୟାନ୍ୟ ନୀତି ହୋଇଥିଲା। ଆଦେଶକୁ ଉଚ୍ଚ ନ୍ୟାୟାଳୟ ସ୍ଥଗିତ ରଖିବା ସହ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା ୪୧ରେ ଦେବୋତ୍ତର ସହକାରୀ ଆୟୁକ୍ତ ଦିଅଁଙ୍କ ନୀତିକାନ୍ତି ସ୍ୱାଭାବିକ କରିବାକୁ କହିଥିଲେ ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା ଉଚ୍ଚ ନ୍ୟାୟାଳୟଙ୍କ ସ୍ଥଗିତ ଆଦେଶ ପାଇବା ମାତ୍ରେ ଦିଅଁଙ୍କ ନୀତିକାନ୍ତି ସ୍ୱାଭାବିକ କରିବାକୁ ଟ୍ରଷ୍ଟବୋର୍ଡ, ବଡୁ ଓ ବ୍ରାହ୍ମଣ ନିଯୋଗ ମିଳିତ ଭାବେ ପଦକ୍ଷେପ ନେବାକୁ କହିଥିଲେ। ଅନ୍ୟପକ୍ଷରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି ଦିଅଁଙ୍କ ନୀତିକାନ୍ତି ବିଭ୍ରାଟ ତଥା ଦିଅଁଙ୍କୁ ଅପୂଜା ଓ ଉପବାସ ରଖାଯିବା ଘଟଣାରେ ପାଳିଆ ସେବାୟତ, ମନ୍ଦିର ସୁପରଭାଇଜର ଓ ଚର୍ଚ୍ଚିତ ସେବାୟତଙ୍କୁ ଗୁରୁବାର କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

Related Posts

About The Author

Add Comment