ନୟାଗଡ଼ ୦୨/୦୯ (ସନ୍ଧାନ ନିଉଜ) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କିଆଝର ଗାଁରେ ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ମାୟାଙ୍କ ଜୀବନ । ପଲିଥିନ ଟିଏ ପାଇଁ ଦୌଡ଼ୁଛନ୍ତି ତହସିଲଦାରଙ୍କ ପାଖକୁ । ତଥାପି ମିଳୁନାହିଁ ପଲଥିନି । ସିମେଣ୍ଟ ବସ୍ତା ହୋଇଛି ପଲଥିନି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକା ଆବାସ ଯୋଜନା ଗରିବ ଗୁରୁବାଙ୍କ ପାଇଁ ଭେଳିକି ସାଜିଛି । ପକା ଘର ଖଣ୍ଡେ ପାଇବାକୁ ଚାହିଁ ବର୍ଷ ବର୍ଷ ଗଡି ଚାଲିଛି । ପାଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ଥକି ପଡ଼ିଲେଣି ବିଧବା ମହିଳା ମାୟା ରାଉତ । ଭଲକରି ଏହି ଘରର ଦୃଶ୍ୟକୁ ନଜର ପକାନ୍ତୁ । ଉପହାସ ହୋଇଛି ସରକାରଙ୍କ ଆବାସ ଯୋଜନା । ତେବେ ଭଙ୍ଗା କୁଡ଼ିଆକୁ ନିଜର କରିଛନ୍ତି ମାୟା ।ମାୟା ରାଉତ ଦୁଇ ପୁଅ ଙ୍କୁ ନେଇ ଏହି ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ଦିନ କାଟୁଛନ୍ତି । ଗତ ବର୍ଷ ଫନିରେ ମାୟାଙ୍କ ଘରର ଛପର ଉଡିଯାଇଥିଲା କିନ୍ତୁ ଏବେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡିଥିବା ବେଳେ ସିମେଣ୍ଟ ବସ୍ତା ପାଲଟିଛି ପାଲିଥିନି । ଫନି ସହାୟତା ପାଇଁ ମାୟା ରାଉତ ଦୌଡୁଛନ୍ତି ତହସିଲଦାରଙ୍କ ପାଖକୁ । ତେବେ ତହସିଲଦାର ଶୁଣିଲେ ନାହିଁ ମାୟାଙ୍କ ଦୁଃଖ । ପ୍ରଶାସନ ମାୟା ରାଉତଙ୍କ ପାଇଁ ନିଦା ବିଷ୍ଣୁ ସାଜିଥିବା ବେଳେ ଦୁଃଖକୁ ପାଥୟ କରି ଝାଟି ମାଟି ଘରେ ଜୀବନ ବିତାଉଛନ୍ତି । ଏଠି ପ୍ରଶ୍ନ ହେଉଛି ଭୋଟ ସମୟରେ ମାୟା ରାଉତ ପରିଚିତ ହେଉଥିବା ବେଳେ ଭୋଟ ସରିବା ପରେ ସେ ଅଲୋଡ଼ା ହୋଇ ପଡୁଛନ୍ତି କିପରି ??
ଘଟଣା ସମ୍ପର୍କରେ ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷ କହିଛନ୍ତି ମୁଁ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବି ।
ଏଠି ପ୍ରଶ୍ନ ହେଉଛି ଇସିସି ଡାଟା ରେ ମାୟା ରାଉତଙ୍କ ନାମ ଥିଲେ ମଧ୍ୟ ଆଜି ଯାଏ ତାଙ୍କୁ ଆବାସ ଟିଏ ମିଳିନାହିଁ କାହିଁକି ??
Report- Niranjan Das, Nayagada



