ନୂଆଦିଲ୍ଲୀ ୨୫/୧୧/୨୦୨୦ (ସନ୍ଧାନ ନିଉଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରି କୋଭିଡ -19ର ନୂତନ ସ୍ଥିତିର ସମୀକ୍ଷା କରିଛନ୍ତିା ଏହି ବେୈଠକରେ ପ୍ରଧାନମନ୍ତ୍ରୀ ବିଶେଷ ଭାବରେ କରୋନା ଭ୍ୟାକସିନ ଦେଶରେ ବହୁଶୀଘ୍ର ଉପଲବ୍ଧ ହେବ ଏବଂ ଏହା ପ୍ରତ୍ୟେକ ଦେଶବାସୀଙ୍କୁ ଦିଆଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ୍-19 ସ୍ଥିତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସୁରକ୍ଷା ଆମ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଭାରତ ନିଜ ନାଗରିକମାନଙ୍କୁ ଯେଉଁ ଟିକା ଦେବ ତାହା ସମସ୍ତ ବୈଜ୍ଞାନିକ ମାନଦଣ୍ଡ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବ ନା ନାହିଁ; ତାହା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେଣୁ, ରାଜ୍ୟଗୁଡିକ ସହିତ ସାମୂହିକ ସମନ୍ଵୟରେ ଦେଶର ଟିକାକରଣ ରଣନୀତି ପ୍ରସ୍ତୁତ କରାଯିବ। ଏହାଛଡା ଭ୍ୟାକସିନର ଉପଯୋଗ ଓ ଷ୍ଟୋରିଂ ପାଇଁ ଶୀତଳ ଭଣ୍ଡାର ଉପଲବ୍ଧ କରାଇବା ଓ ସୁବିଧାରେ ପ୍ରତ୍ୟେକ ନାଗରିକଙ୍କ ପାଖରେ ଭ୍ୟାକସିନ ପହଂଚାଇବା ହିଁ ମୂଳ ଲକ୍ଷ ହେବ। ଏଥିପାଇଁ ଟୀକାକରଣର ଏକ ମିଶନ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମୁଖ୍ୟ ମାନଙ୍କୁ ଆଗ୍ରହ କରିଛନ୍ତି । ଏହି ମିଶନ ଜରିଆରେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ପରସ୍ପର ସମନ୍ବୟରେ ଟିକାକରଣ କାର୍ଯ୍ୟକ୍ରମକୁ ତୁଲାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେପରିକି ଦେଶରେ କୈାଣସି ହିତାଧୀକାରୀ ଭ୍ୟାକସିନ ପାଇବାରୁ ବଂଚିତ ହେବେ ନାହିଁ ।
ସିଏମ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀର କୋଭିଡ -19 ର ତୃତୀୟ ତରଙ୍ଗ ଶେଷ ହେବା ପର୍ଯ୍ୟନ୍ତ ସହରର କେନ୍ଦ୍ର ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ପାଇଁ ଅତିରିକ୍ତ 1000 ଆଇସିୟୁ ବେଡର ବ୍ୟବସ୍ଥା ପାଇଁ କହିଥିଲେ। ସେହିପରି ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କରୋନା ନିୟନ୍ତ୍ରଣ ଓ ଭ୍ୟାକସିନର ପ୍ରାଥମିକତାକୁ ନେଇ ଆଲୋଚନା କରିଥିଲେ। ଦେଶରେ କରୋନା ମୁକାବିଲା ସୁଚାରୁ ରୂପେ ତୁଲାଯାଇଛି ଯାହାକି ଗତ 6/7 ମାସର କରୋନାକାଳର ଅନୂଭୁତି ଯୋଗୁଁ ସମ୍ଭବ ହୋଇଛି। ଟେଷ୍ଟିଂ ଓ ଟ୍ରେସିଂ ବ୍ୟବସ୍ଥାକୁ ବୃଦ୍ଧି କରାଯିବା ସହ ଦେଶର ବୃହତ ରୁ ବୃହତ ମେଡିକାଲଠାରୁ ଆରମ୍ଭ କରି ଜିଲ୍ଲାର ଛୋଟ ରୁ ଛୋଟ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସବୁଠାରେ ଅକ୍ସିଜେନ ଓ ଭେଣ୍ଟିଲେଟର ପରିମାଣ ବୃଦ୍ଧି କରିବାକୁ ପ୍ରାଥମିକତା ଦିଆଯିବ। କରୋନା କାଳର ପ୍ରାରମ୍ଭର ସ୍ଥିତି ଓ ବର୍ତମାନର ସ୍ଥିତି ଅନେକ ପରିବର୍ତନ ଘଟିଛି । ତେଣୁ କରୋନା ସଂକ୍ରମଣକୁ କାବୁ କରିବାକୁ ହେଲେ ରଣନିତୀରେ ମଧ୍ୟ ପରିବର୍ତନ କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହା ପୁର୍ବରୁ ଯେଉଁସବୁ ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହୋଇଛି ସେଠାରେ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ପିଏମ୍ କେଆର ଫଣ୍ଡରୁ 2000କୋଟିର ଘୋଷଣା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଏହି ବୈଠକରେ ଜଣାଇଛନ୍ତି। ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଦେଲ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା,ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଯୋଗ ଦେଇଥିଲେ ।