ରସୁଲପୁର,୮/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଂଚାୟତର ରାଜୀବଗାନ୍ଧି ସେବା କେନ୍ଦ୍ରରେ ଆଂଚଳିକ ଶିଳ୍ପ କେନ୍ଦ୍ର, ଜଗତପୁର ଆନୁକୂଲ୍ୟରେ ଆଜି ଶିଳ୍ପ ଉଦ୍ୟୋଗୀ ସପ୍ତାହ ପାଳିତ ହୋଇଯାଇଛି । ଯାଜପୁର ଜିଲା ହସ୍ତଶିଳ୍ପ ସଂଘର ସଭାପତି ପର୍ଶୁରାମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ନାରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ହସ୍ତଶିଳ୍ପ କ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଅବର୍ଣ୍ଣନୀୟ ବୋଲି କହିବା ସହ ସେମାନଙ୍କୁ ସ୍ୱାବାଲମ୍ବି କରିବା ପାଇଁ ଶିଳ୍ପ ଉଦ୍ୟୋଗୀ ସପ୍ତାହର ଲକ୍ଷ୍ୟ ଅଟେ । ବେକାରୀ ଯୁବତୀ ଯୁବକମାନେ ଚାକିରୀକୁ ଅପେକ୍ଷା ନକରି ହସ୍ତଶିଳ୍ପ କାରିଗରୀ ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରାଯାଇଥିଲା । ହସ୍ତଶଳ୍ପ କ୍ଷେତ୍ରରେ ଯାଜପୁର ଜିଲାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହି ଜିଲାରେ ୧୫ ପ୍ରକାରର ହସ୍ତଶିଳ୍ପୀ ରହିଛନ୍ତି । ଏ ଦିଗରେ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ବ୍ୟାଙ୍କଗୁଡିକ କାରିଗରମାନଙ୍କୁ ୟୁନିଟ୍ ସ୍ଥାପନ ଦିଗରେ ଋଣ ପ୍ରଦାନ କରୁଛନ୍ତି । ତେବେ ବେକାରୀମାନେ ଆତ୍ମନିର୍ଭରଶିଳ ହେବା ପାଇଁ ଆଗେଇ ଆସିବା ଉଚିତ୍ ବୋଲି ଅତିଥିମାନେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରସ୍ଥର ଶିଳ୍ପୀ ମହେଶ୍ୱର ଓଝା, ସମ୍ମାନୀତ ଅତିଥି ଭାବରେ ଶିଳ୍ପ ବିକାଶ ଅଧିକାରୀ ଅକୁର ବେହେରା, ୟୁକୋବ୍ୟାଙ୍କ, ବାରବାଟୀ ଶାଖା ପରିଚାଳକ ଆଶୁତୋଷ ବେଉରିଆ ପ୍ରମୁଖ ଯୋଗଦେଇ କୁଟୀର ଶିଳ୍ପକୁ ନେଇ ରହିଥିବା ସମ୍ଭାବନା, ସରକାରୀ ସହାୟତା, ବ୍ୟାଙ୍କ ସମୂହର ସହଯୋଗ ଦିଗ ଉପରେ ଆଲୋକପାତ କରିଥିଲେ । କାରିଗର ସୁରେଶ ଗୁଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୃତି କାରିଗରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Report- J Rout