ସୋର, 10.02.2021 (ସନ୍ଧାନ ନିଉଜ୍) :- ୧୦ ମାସ ପରେ ସ୍ବାମୀ ପାଖକୁ ଫେରିଲେ ସ୍ତ୍ରୀ । ବାଲେଶ୍ବର ସଦର ପୋଲିସ ନବବଧୂଙ୍କୁ ଉଦ୍ଧାର କରି ସୋର ସ୍ଥିତ ସଟ୍ ଷ୍ଟେ ହୋମ୍ ର ଆଶ୍ରୟ ସୁଧାର ଗୃହରେ ରଖିଥିଲା । ମଙ୍ଗଳବାର ଦିନ ସୁଦୂର ରାଜସ୍ଥାନର ସ୍ବାମୀଙ୍କ ସହ ଭେଟ ହେବା ପରେ ଶ୍ବଶୁର ଘରକୁ ଫରିଛନ୍ତି । ସୂଚନାଯୋଗ୍ୟ ଯେ, ଆସାମ କରିମଗଞ୍ଜ ହାତୀପୋଖରୀର ଅନୀଲ ଦାସ ଓ ସାରଦା ଦାସଙ୍କ ଝିଅ ଅଞ୍ଜଳୀ ୫ ବର୍ଷ ହୋଇଥିଲା ବେଳେ ଦୁର୍ଘଟଣାରେ ବାପା-ମା’ ଆରପାରିକୁ ଚାଲିଯାଇଥିଲେ । ଫଳରେ ଅଞ୍ଜଳୀଙ୍କୁ ତାଙ୍କ ମାଉସୀ ବାଲେଶ୍ବର ସଦର ଥାନା ଅଞ୍ଚଳର ଗୌରୀ ବାରିକ ଲାଳନ ପାଳନ କରିଥିଲା । ପରେ ଗୌରୀ ପୁରୀରେ ରହୁଥିବା ବେଳେ ରାଜସ୍ଥାନ ସିକର ଜିଲ୍ଲାର ଉଦ୍ଯୋଗ ନଗର ଅଞ୍ଚଳର ପବନ ଶର୍ମାଙ୍କ ସହିତ ଅଞ୍ଜଳୀଙ୍କର ବିବାହ କରାଇଥିଲେ । ସେତେବେଳକୁ ଅଞ୍ଜଳୀକୁ ୧୯ ବର୍ଷ ବୟସ ହୋଇଥିଲା । ଅଞ୍ଜଳୀ ଶ୍ବଶୁର ଘରେ ୪ ମାସ ରହିବା ପରେ ମାଉସୀ ଘର ବଲେଶ୍ବରକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ଗୌରୀ ଅଞ୍ଜଳୀଙ୍କୁ ୨ ଲକ୍ଷ ଟଙ୍କାରେ ବିକ୍ରି କରି ଅନ୍ୟତ୍ର ବିବାହ କରିଦେବାକୁ ଯୋଜନା କରୁଥିବା ବେଳେ ଅଞ୍ଜଳୀ ଖସିଆସିଥିଲେ । ଅଞ୍ଜଳୀ ଆସି ବାଲେଶ୍ବର ସଦର ଥାନାରେ ପହଁଚିଥିଲେ । ପୋଲିସକୁ ଅଞ୍ଜଳୀ ସମସ୍ତ ଘଟଣା କହିବା ପରେ ପୋଲିସ ତାଙ୍କୁ ସୋର ସଟ୍ ଷ୍ଟେ ହୋମରେ ରଖିଥିଲା । ସଟ୍ ଷ୍ଟେ ହୋମ୍ ପକ୍ଷରୁ ସମ୍ପାଦକ ପ୍ରଦୀପ ଦାସ, ସ୍ବାମୀ ପବନ ଶର୍ମାଙ୍କ ସହ ଯୋଗାଯୋଗ କରିବା ପରେ ସୋମବାର ସେ ସୋରରେ ପହଞ୍ଚିଥିଲେ । ଅଞ୍ଜଳୀକୁ ନେଇ ମଙ୍ଗଳବାର ଦିନ ପବନ ରାଜସ୍ଥାନ ଫେରିଯାଇଛନ୍ତି ।
ପୋଲିସ ନବବଧୂଙ୍କୁ ଉଦ୍ଧାର କଲା ୧୦ ମାସ ପରେ ସ୍ବାମୀ ପାଖକୁ ଫେରିଲେ ସ୍ତ୍ରୀ
|
February 10, 2021 |