ବାରିପଦା/ରାଇରଙ୍ଗପୁର ୨୬/୦୮/୨୦୨୦ (ସନ୍ଧାନ ନିଉଜ):- ନାଗାଲାଣ୍ଡରେ ବିଏସ୍ଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିବା ସହିଦ ଯବାନ ବାଦାମ ପାହାଡ଼ ଥାନା ପାହାଡ଼ ପୁର ଗାଁର ପାସନା ବାରି ଙ୍କ ଆଜି ତାଙ୍କ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତ ଗୁରୁବାର ପାସନାଙ୍କ ଆସାମସ୍ଥିତ ଗୌହାଟି ମେଡିକାଲ କଲେଜରେ ମୃତ୍ୟୁ ହୋଇଥିଲା । କିଡନୀ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପାସନାଙ୍କ ମରଶରୀରକୁ ଶନିବାର ବିମାନ ଯୋଗେ ଗୌହାଟିରୁ କୋଲକାତା ଆଣାଯାଇଥିଲା । ପରେ ସଡ଼କ ପଥରେ ବିଏସ୍ ଏଫର ଏକ ସ୍ୱତନ୍ତ୍ର ଟିମ୍ ରାତିରେ ବାଦାମପାହାଡ଼ ଆଣିବା ପରେ ବାଦାମପାହାଡ଼ ଥାନାରେ ମୃତଦେହ ରଖାଯାଇଥିଲା। ରବିବାର ସକାଳୁ ତାଙ୍କ ମରଶରୀରକୁ ବିଶାଳ ଶୋଭାଯାତ୍ରାରେ ନିଜ ଜନ୍ମମାଟି ପାହାଡ଼ ପୁର ଗାଁକୁ ଅଣାଯାଇଥିଲା । ଏହି ସମୟରେ ପାସନା ବାରି ଅମର ରହେ,ଭାରତ ମାତା କି ଜୟ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ରାସ୍ତା । ରାସ୍ତାକଡ଼ର ଉଭୟ ପାର୍ଶ୍ଵ ରେ ଛିଡ଼ା ହୋଇ ଲୋକେ ପାସନାଙ୍କୁ ଅଶୁଳ ବିଦାୟ ଦେବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗାଁରେ ମରଶରୀର ପହଞ୍ଚିବା ପରେ ସମାଜର ରୀତିନୀତି ଅନୁସାରେ ହଳଦୀ ପାଣି ରେ ଗାଧୋଇ ଦିଆଯାଇଥିଲା । ପରେ ରାଷ୍ଟ୍ରୀୟ ତୋପ ସଲାମୀ ଦେଇ ପାସନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ୨୦୧୩ ମସିହାରେ ୯୩ ବାଟାଲିୟନରେ ଯୋଗ ଦେଇଥିଲେ ସହିଦ୍ ପାସନା ବାରି । ୭ ବର୍ଷ ଧରି ସେ ଦେଶର ସୁରକ୍ଷା ପାଇଁ ନିଷ୍ଠାର ସହ ସେବା କରିଥିଲେ । ଘରେ ତାଙ୍କର ମା, ପତ୍ନୀ, ଦୁଇ ପିଲା ଅଛନ୍ତି । ନାଗାଲାଣ୍ଡ ସୀମାନ୍ତରେ ବିଏସ୍ଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିବା ବେଳେ ଅସୁସ୍ଥ ଅନୁଭବ କରି ଥିଲେ ପାସନା। ପରେ ତାଙ୍କୁ ପ୍ରଥମେ ନାଗାଲାଣ୍ଡର ଆର୍ମି ହସ୍ପିଟାଲ୍ରେ ଏବଂ ଗୁରୁତର ହେବାରୁ ଗୌହାଟିସ୍ଥିତ ମେଡିକାଲ କଲେଜରେ ଚିକିତ୍ସା କରାଯାଉଥିଲା । ପାସନା ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଥିଲା । ଚିକିତ୍ସାଧୀନ ଥିବା ବେଳେ ଗତ ୨୦ ତାରିଖରେ ପାସନାଙ୍କ ମୃତ୍ୟୁ ହୋଇଥିଲା ।
ପୁଣି ଭଞ୍ଜମାଟି ହରାଇଲା ଏକ ବିର ପୁତ୍ରକୁ
|
August 26, 2020 |
