ପାଣି ଘେରରେ ବାଲିଆପାଳ ବ୍ଲକର ୨୦ରୁ ଉର୍ଦ୍ଧ୍ବ ଗାଁ

Spread the love

ବାରିପଦା ୨/୯/୨୦(ସନ୍ଧାନ ନିଉଜ):-  ଗୁରୁବାରରୁ ସୁବର୍ଣ୍ଣରେଖା ନଦାରେ ଆସିଥିବା ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିଛି । ନଦୀ କୂଳରେ ଥିବା ଅସ୍ତା, ବାଲିଆପାଳ, ବନ୍ୟାର ପ୍ରକୋପ କମିଛି । ମାତ୍ର ତଳିଆ ଅଞ୍ଚଳ ୫ଟି ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ଵ ଗାଁ ମଧୁପୁରା, ବିଷ୍ଣୁପୁର, ଜାମକୁଣ୍ଡା ପଞ୍ଚାୟତର ଅନେକ ଗ୍ରାମ ଏବେ ବି ଜଳ ମଗ୍ନ ରହିଛି । ବାଲିଆପାଳ-ବିଷ୍ଣୁପୁର, ପଞ୍ଚରୁଖୁ ଚୌଧୁରୀଦ, ଜାମକୁଣ୍ଡା- ତାଳପଦା, ଜାମକୁଣ୍ଡା-ନୟାବାଲି, ଜାମକୁଣ୍ଡା-କୁହ୍ମାଚଡ, ଜାମକୁଣ୍ଡା ନଖପାଳ, ବାଲିଆପାଳ-ଆଠବାଟିଆ, ପାଳପଡା-ଝଲଝଲିଆ ସମେତ ବିଭିନ୍ନ ଗ୍ରାମ୍ୟ ରାସ୍ତା ଉପରେ ୨/୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟାତରେ ବାଧା ଉପୁଜୁଛି । ବିଷ୍ଣୁପୁର, ବାଲିଆପାଳ, ଜାମକୁଣ୍ଡା, ଅସ୍ତି, ମଧୁପୁରା ଆଦି ପଞ୍ଚାୟତର ଅନେକ ଲୋକଙ୍କ ଘରେ ବନ୍ୟା ପାଣି ପଶି ଯାଇଥିଲା । ସେମାନେ ଗତ ୪ ଦିନ ଧରି ରନ୍ଧାବଢା କରିପାରିନାହାନ୍ତି । ଘରେ ଯାହା ଖାଦ୍ୟ ଥିଲା, ତାହା ସରିବାକୁ ବସିଲାଣି। ପ୍ରଶାସନ ଏପର୍ଯ୍ୟନ୍ତ ଏହି ଲୋକଙ୍କ ନିକଟରେ ପହଞ୍ଚି ନାହିଁ । ପ୍ରତ୍ୟକ ପଞ୍ଚାୟତର ଲୋକଙ୍କ ସ୍ଥିତିର ସମୀକ୍ଷା ପାଇଁ ଜଣେ ଜଣେ ବ୍ଳକ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କ ଦେଖାଦର୍ଶନ ମିଳୁନାହିଁ । ନାମକୁ ମାତ୍ର ବ୍ଳକ ପକ୍ଷରୁ ଚାରୋଟି ସ୍ଥାନରେ ରନ୍ଧା ଖାଦ୍ୟ  ଦିଆଯାଉଛି । ଦିନ ମଜୁରି କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ କାମକୁ ଯାଇ ନପାରି ଦୁର୍ଦ୍ଦଶାରେ ରହିଛନ୍ତି । ଅଧିକାଂଶ ନଳକୂପ ପାଣିରେ ବୁଡି ରହିଥିବାରୁ ୨/୩ କିମି ଡଙ୍ଗାରେ ଯାଇ ଉଚ୍ଚ ସ୍ଥାନରୁ ପାଣି ଆଣୁଛନ୍ତି । ଚାରଣ ଜମିଗୁଡିକ ପାଣିରେ ବୁଡି ରହିଥିବାରୁ ଗୃହପାଳିତ ପଶୁମାନେ ଖାଦ୍ୟ ଅଭାବରେ ରହିଛନ୍ତି । ଏହି ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଧାନଚାଷ । ବାଲିଆପାଳରୁ ସାଉଡି ପର୍ଯ୍ୟନ୍ତ ୧୭ ପଞ୍ଚାୟତର ଶହ ଶହ ଏକର ଚାଷଜମି ପାଣିରେ ବୁଡି ରହିଛି । ତାହା ସମ୍ପୂର୍ଣ୍ଣ ଉଜୁଡି ଯିବାର ଆଶଙ୍କା ରହିଛି । ବହୁ ପ୍ରତିକୂଳ ପରିସ୍ଥିତିରେ ଋଣ କରି ଚାଷ କରିଥିବା ଧାନ ଓ ପନିପରିବା ଚାଷୀ ଅର୍ଥିକ ମେରୁଦଣ୍ଡକୁ ଏହା ଦୋହଲାଇ ଦେଇଛି । ଘରେ ପାଣି ପଶିଥିବା ଲୋକଙ୍କ ନିକଟରେ ପଲିଥିନ ଖଣ୍ଡିଏ ମଧ୍ୟ ପହଞ୍ଚି ନାହିଁ । ବନ୍ୟା କମିବା ପରେ ତଦନ୍ତ କରି ପଲିଥିନ ଦିଆଯିବ ବୋଲି ତହସିଲଦାର କହୁଛନ୍ତି । ତେବେ ସେ ପର୍ଯ୍ୟନ୍ତ କାଦୁଆ ଓ ସନ୍ତସନ୍ତିଆ ସ୍ଥାନରେ ଲୋକମାନେ କିପରି ରହିବେ, ତାହା ଲୋକଙ୍କୁ ଚିନ୍ତାରେ ପକାଇଛି । ବନ୍ୟା ଛାଡିବାକୁ ଆହୁରି ଦିନେ ଦୁଇ ଦିନ ସମୟ ଲାଗିବ । ତେଣୁ ତୁରନ୍ତ ଲୋକଙ୍କୁ ତିନି ଦିନର ରିଲିଫ ଯୋଗଇ ଦେବାକୁ ବିଜେପି ରାଜ୍ୟ ପରିଷଦ ସଦସ୍ୟ ମହେଶ୍ୱର ଜେନା ଦାବି କରିଛନ୍ତି ।

Related Posts

About The Author

Add Comment