ମାଲକାନଗିରି, ୧୬/୦୨ (ସନ୍ଧାନ ନିୟୁଜ) ଜଣେ ମାନସିକ ବିକାରଗସ୍ତ ନାବାଳିକାକୁ ଗଣ ଦୁଷ୍କର୍ମ ସହ ଗର୍ଭବତୀ କରିବା ଅଭିଯୋଗରେ ତିନିଜଣ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାଇ ମାଲକନଗିରି ଥାନାସ୍ଥ ଭାମ୍ବେକଲୋନୀର ଜଣେ ମାନସିକ ବିକାରଗସ୍ତ ନାବାଳିକାକୁ ଗତ କିଛି ମାସତଳେ ତିନିଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଏ କଥା ଘରେ କିମ୍ବା ଅନ୍ୟକାହାକୁ ଜଣାଇଲେ ଜୀବନରୁ ମାରିଦେବୁ କହି ଧମକାଇ ଥିବାରୁ ପୀଡିତା ଭୟରେ କାହାକୁ କିଛି କହିନଥିଲେ। ସେହି ପୀଡିତା ଗର୍ଭବତୀ ହେବାର ଜାଣିପାରି ଲାଠିଆଗୁଡା ଗ୍ରାମ ରାସ୍ତାରେ କାନ୍ଦିକାନ୍ଦି ବୁଲୁଥିବା ସମୟରେ ମା’ ଘରର କର୍ମକର୍ତାମାନେ ତାକୁ ଉଦ୍ଧାର କରି ଜିଲ୍ଲାଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇ ଥିଲେ।
ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ଲାଠିଆଗୁଡା ଗ୍ରାମର ତେରେନାମ(୨୮), ୧୧୯କଲୋନିର ଧବୁଲ(୩୫)ଓ ଖୋକନ(୩୦)( ଏ ଦୁହେଁ ମାମୁ ଭଣଜା ହେବେ ) ଙ୍କୁ ଗିରଫ କରାଯାଇଛି। ଗତ କିଛି ଦିନତଳେ ଚାଲାଣଗୁଡା ଇନ୍ଦିରା କଲୋନୀରେ ଦୁଇଜଣ ନାବାଳିକାଙ୍କୁ ତିନିଜଣ ଯୁବକ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେବା ଘଟଣା ଜିଲ୍ଲାବାସୀଙ୍କ ମନରୁ ନ ଭୁଲୁଣୁ ପୁଣି ଏକ ଗଣଦୁଷ୍କର୍ମ ଘଟଣା ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି।