ରାଉରକେଲା, ୨୫/୦୭/୨୦ (ସନ୍ଧାନ ନିଉଜ) : ପ୍ରତ୍ୟେକ କ୍ଷେତ୍ରକୁ ଗ୍ରାସ କରିଛି କରୋନା ରୂପୀ କାଳ ରାକ୍ଷସ । କରୋନା ଦ୍ୱାରା ପ୍ରଭାବିତ ହୋଇ ପ୍ରତି କ୍ଷେତ୍ରରେ ସାଧାରଣ ମଣିଷ ପେଟ ପାଇଁ ବଦଳାଇବାରେ ଲାଗିଛି ନିଜ ପେଶା । ସେ କଳାକାର ହୁଅନ୍ତୁ ଅବା ପେଶାଦାର କି ଜଣେ ଉଚ୍ଚ କୋଟିର ପ୍ରଶିକ୍ଷକ, ସଭିଙ୍କ ଉପରେ ପଡ଼ିଛି କରୋନାର ଅଦୃଶ୍ୟ ପ୍ରହାର! ଦକ୍ଷିଣ ରାଉରକେଲା ଜଲଦା ଗ୍ରାମପଂଚାୟତ ଅଂଚଳରେ ବାସ କରୁଥିବା ଜଣେ ମହିଳା କ୍ରୀଡ଼ାବିତଙ୍କୁ ପରିବା ବିକାଳି ଭାବେ ସଜାଇ ଦେଇଛି ମହାମାରୀ କରୋନା! ନିଜ ପେଶାକୁ ପାଶୋରି ବର୍ତମାନ ଏହି ମହିଳା କରାଟେ ଖେଳାଳୀ ଜଣଙ୍କ ଜଲଦା ରାସ୍ତା କଡ଼ରେ ପରିବା ବିକୁଛନ୍ତି । ଯେଉଁ ହାତରେ ଦିନେ କରାଟେ ଅଭ୍ୟାସ କରୁଥିଲେ, ସେହି ହାତରେ ଆଜି ନିକିତି ଧରି ପରିବା ବିକିବାକୁ ଗ୍ରାହକଙ୍କ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି ।
ସେ ହେଉଛନ୍ତି ଜଲଦା ଗ୍ରାମ ପଂଚାୟତ ବି ବ୍ଲକ ସ୍ଥିତ ଟୁଙ୍ଗୁରିଟୋଲାରେ ରହୁଥିବା ୩୮ ବର୍ଷ ବୟସ୍କା ମହିଳା କରାଟେ ପ୍ରଶିକ୍ଷକ ସିଲଭନ୍ତି ଗୁଡ଼ିଆ । ପରିବାର କହିଲେ ତାଙ୍କ ବିଧବା ମା’ ମାଗଦାଲି ଗୁଡ଼ିଆ ଓ ପୁତୁରା ୧୨ ବର୍ଷର ବାଳକ ଆଶିଷ ଟପ୍ନୋ । ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି ବାପା ଓ ବଡ଼ ଭଉଣୀ ମୋନିକା ଟପ୍ନୋ । ବାପାଙ୍କ ଦେହାନ୍ତ ପରେ ପରିବାରର ଭଲମନ୍ଦ ଏବେ ସିଲଭନ୍ତିଙ୍କ ଉପରେ । ୧୯୯୩ ମସିହାରୁ କରାଟେ କ୍ରୀଡ଼ାକୁ ଆଦରି ନେଇଥିଲେ ସିଲଭନ୍ତି ଗୁଡ଼ିଆ । ସେବେଠାରୁ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ଚାଲିଥିଲେ । କରାଟେରେ ବ୍ଲାକ ବ୍ଲେଟ ଉପାଧି ହାସଲ କରିବା ପରେ ଜାତୀୟସ୍ତରରେ ପୁନେ, ଦିଲୀ ଆଦିରେ ଅନୁଷ୍ଠିତ କରାଟେ ଚାମ୍ପିୟାନ ସିପରେ ନିଜର ପାରଦର୍ଶିତା ଲାଭ କରି ଦଳ ତଥା ଅଂଚଳର ଗର୍ବ ଓ ଗୌରବ ଅର୍ଜନ କରିଥିଲେ ସିଲଭନ୍ତି । ସେହିପରି ନେପାଳରେ ଆୟୋଜିତ ଆର୍ନ୍ତଜାତୀୟ କରାଟେ ପ୍ରତିଯୋଗିତା ତାଙ୍କୁ ଆଉ ଏକ ସମ୍ମାନ ଆଣି ଦେଇଥିଲା । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏହିଯେ, ତାଙ୍କୁ ରାଜ୍ୟ ସରକାରଙ୍କ କୌଣସି ସରକାରୀ ପ୍ରୋତ୍ସାହନ ଏଯାଏ ମିଳି ପାରିନାହିଁ ବୋଲି ପ୍ରତ୍ରିିକ୍ରିୟାରେ ପ୍ରକାଶ କରିଥିଲେ ସିଲଭନ୍ତି ଗୁଡ଼ିଆ । ସେ ତାଙ୍କ କରାଟେ ଶିକ୍ଷାକୁ ପେଶା ଭାବେ ଗ୍ରହଣ କରି ଦକ୍ଷିଣ ରାଉରକେଲା ସମେତ ରାଉରକେଲାରେ ଥିବା ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ କରାଟେ ପ୍ରଶିକ୍ଷକ ଦେଇ ଯାହା ଅର୍ଥ ଉପାର୍ଜନ କରୁଥିଲେ ସେଥିରେ ଚଳୁଥିଲା ତାଙ୍କ ପରିବାର । ମାତ୍ର ବିଗତ ୫ ମାସ ହେଲା କରୋନା ମହାମାରୀ ଯୋଗୁ ତାଙ୍କ ଆୟର ପନ୍ଥାରେ ପଡ଼ି ଯାଇଛି ପୂର୍ଣ୍ଣଚ୍ଛେଦ! ପରିବାର ଚଳାଇବା ପାଇଁ ରାସ୍ତା କଡ଼ରେ ପନିପରିବା ଧରି ଆଜି ହୋଇଯାଇଛନ୍ତି ଜଣେ ପରିବା ବିକାଳୀ! କରାଟେ ଚଳାଉଥିବା ହାତ ଆଜି ହୋଇ ପଡ଼ିଛି ନାଚାର, ବାଧ୍ୟରେ ପେଟପାଇଁ ହାତରେ ଧରିଛନ୍ତି ନିକିତି । ଯାହାକି ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । କରୋନା କାଳରେ ଏହି ମହିଳା କ୍ରୀଡ଼ାବିତ ସିଲଭନ୍ତି ଗୁଡ଼ିଆଙ୍କ ପ୍ରତି ପ୍ରଶାସନିକ ସହାୟତା ନିହାତି ଭାବେ ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
ପରିବା ବିକିଲେ ମହିଳା କରାଟେ ପ୍ରଶିକ୍ଷକ!
|
July 26, 2020 |



