ସନ୍ଧାନ ନିୟୁଜ୍/୦୮/୦୯( ୧୬)ଓଡ଼ିଶା ଦୁର୍ଭିକ୍ଷମହାତ୍ମା ରେଭରେଣ୍ଡ ଇ, ସି. ବି. ହାଇମ ସାହେବଙ୍କଠାରୁ ସହାନୁଭୂତି ପାଇ ସୁଖ ଆନନ୍ଦ ଉତ୍ସାହ ସହିତ ସ୍କୁଲର କାର୍ଯ୍ୟ କରୁଥାଏଁ । ସ୍କୁଲଛୁଟି ଉତ୍ତାରେ ଅଧିକାଂଶ ସମୟ ସାହିତ୍ୟ ଵିଷୟରେ ତାଙ୍କ ସହିତ ଚର୍ଚ୍ଚା ହୁଏ । ମୁଁ ତାଙ୍କର ଅଧୀନସ୍ଥ କର୍ମଚାରୀ ହେଲେ ମଧ୍ୟ
ଭକ୍ତ ମହାତ୍ମା ମୋ ସହିତ ପରମାତ୍ମୀୟ ପରି ଵ୍ୟଵହାର କରୁଥିଲେ । ଓଡ଼ିଆ ଜାତିର ଉନ୍ନତିକାମୀ ଥିଵାରୁ ମୁଁ ତାଙ୍କୁ ଦେଵତା ତୁଲ୍ୟ ଭକ୍ତି କରୁଥିଲି । ଏହି ସମୟରେ
ଖ୍ରୀଷ୍ଟଧର୍ମାଵଲମ୍ବୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥାଏ । ଏହି ଵୃଦ୍ଧିର ଅନ୍ୟତମ ଅଥଵା ଵିଶେଷ କାରଣ ଉତ୍କଳର ଭୀଷଣ ଦୁର୍ଭିକ୍ଷ । [ପୁରୀ ରାଜାଙ୍କ] ନ-ଅଙ୍କରେ (ସନ ୧୮୬୬ ମସିହା) ଏହି ରୋମହର୍ଷଣ ଵ୍ୟାପାର ଘଟିଥିଲା । ସେହି ଭୀଷଣ କାଣ୍ଡ ଆଜିଯାଏ ଲୋକେ ଭୁଲି ପାରିନାହାନ୍ତି । ସେହି ବର୍ଷ ମଧ୍ୟରେ ୩୦ ଲକ୍ଷ ଲୋକ ପ୍ରାଣତ୍ୟାଗ କରିଥିଲେ । ପ୍ରାୟ ଛପଣି ଲୋକଙ୍କ ଵଂଶ ଉଚ୍ଛନ୍ନ ହୋଇ ଯାଇଅଛି । ଅନେକ ମୃତ, ଅଵଶିଷ୍ଟ ଇତସ୍ତତଃ ହୋଇ ଯାଇଅଛନ୍ତି । ସେ ସମୟକୁ ମୋହର ବୟସ ୨୩ ଵର୍ଷ | ବାଲେଶ୍ଵର ମିସନ ସ୍କୁଲର ପ୍ରଧାନ ଶିକ୍ଷକ ଥିଲି । ଆଜକୁ ୫୦ ଵର୍ଷ ଗତ ହୋଇଅଛି; ମାତ୍ର ସେ ସମୟର ଘଟନାଗୁଡ଼ିକ ଯେମନ୍ତ ମୋ ହୃଦୟରେ ସୁସ୍ପଷ୍ଟରୂପେ ଅଙ୍କିତ ହୋଇ ରହିଅଛି ।
ଭାଦ୍ରମାସ ଚାରିଦିନ ଖୁବ୍ ଟାଣ ଅସ୍ରାଏ ପାଣି ଵର୍ଷି ଛାଡ଼ିଗଲା; ଭାଦ୍ର ଉତ୍ତାରେ ଅଶିଣ ପ୍ରଥମରୁ ଲୋକେ ଜଳସକାଶେ କାତର ଭାଵରେ ଆକାଶକୁ
ଚାହିଁବାକୁ ଲାଗିଲେ । କାହାରି ମୁଖରୁ ଆଉ କୌଣସି କଥା ଶୁଣିଵାକୁ ନାହିଁ, କେଵଳ ଜଳ ଜଳ । କାର୍ତ୍ତିକ ମାସ ଆରମ୍ଭରୁ ଲୋକେ ନିତାନ୍ତ ନିରାଶ ହୋଇପଡ଼ିଲେ । ଜଳ ହେଲେ ମଧ୍ୟ ଆଉ ରକ୍ଷା ନାହିଁ । ଧାନଗଛ ମରିଵାକୁ ଲାଗିଲାଣି । ବାଲେଶ୍ଵର ଜିଲ୍ଲାର ଏକମାତ୍ର ଫସଲ ଧାନ,ସେହି ଗୋଟିକ ମାତ୍ର ଫସଲ ପ୍ରତି ଲୋକଙ୍କ ଜୀଵନ ନିର୍ଭର କରେ । ମୋ ଘରଠାରୁ ଅର୍ଦ୍ଧମାଇଲ ଦକ୍ଷିଣକୁ ବାଲେଶ୍ଵର ସହରର ଲୋକଵସତି ଶେଷ । ସେହିଠାରୁ
ଦିଗ୍ ବଳୟ ସୀମା ପର୍ଯ୍ୟନ୍ତ ନିରଵଚ୍ଛିନ୍ନ ଧାନ୍ୟକ୍ଷେତ୍ର । ମଧ୍ୟରେ ମଧ୍ୟରେ ସମୁଦ୍ର ମଧ୍ୟଗତ ଦ୍ବୀପସ୍ବରୂପ ଗୋଟିଏ ଗୋଟିଏ ପୃଥକ୍ ପୃଥକ୍ ଗ୍ରାମ । ସେହି ସମୟରେ ପ୍ରତିଦିନ ପୂର୍ଵାହ୍ନ ୯ ଘଣ୍ଟା ସମୟରେ ସ୍ନାନ କରି ଖଣ୍ଡିଏ କମ୍ବଳା ସନ କାଖରେ ଯାକି ଏକାକୀ ଧାନ ବିଲକୁ ଯାଏଁ, ବିଲ ମଧ୍ୟରେ ଆସନ ପାରି ବସି ଈଶ୍ବରଙ୍କଠାରେ ଲୋକମାନଙ୍କ ରକ୍ଷା ସକାଶେ ପ୍ରାର୍ଥନା କରେ । ଧାନଗଛଗୁଡ଼ିକ ଶୁଖି କୁଟା
ପରି ହୋଇଗଲାଣି । କେତେକ ଧାନ ଅଧାଅଧି ବାହାରି,କେତେ ଵା ସମ୍ପୂର୍ଣ୍ଣରୂପେ ବାହାରି ସାନ ସାନ ଧଳା ଧଳା ଅଣଖୁଆ ଚଅଁର ପରି ଏପାଖ ସେପାଖ ଦୋହରୁ ଥାଏ । ଲୋକେ ଗୋରୁ ଗାଈ ବିଲ ମଧ୍ଯରେ ଛାଡ଼ି ଦେଇଥାନ୍ତି;
ମାତ୍ର ଗୋରୁଗୁଡ଼ାକ ଧାନଗଛ ସବୁ ଥରେ ଥରେ ଶୁଙ୍ଘି ଚାଲିଯାନ୍ତି, ଗଛ ଖାନ୍ତି ନାହିଁ । ଦିନ ମଜୁରିଆ ମୂଲିଆଗୁଡ଼ାକ କଂସା ପିତ୍ତଳ ଯାହା ଖଣ୍ଡେ ଖଣ୍ଡେ ଥିଲା ବିକିଦେଇ ଯେତେ ଦିନ ଚଳିଲା ଚଳିଲେ । କାର୍ତ୍ତିକ ଶେଷ ସରିକି ଯାହାକୁ ଯେଉଁ ବାଟ ଦିଶିଲା ଘରୁ ବାହାରି ଚାଲିଗଲେ । ସ୍ତ୍ରୀ ପୁରୁଷ, ବାପ ପୁଅ କାହାରି ସହିତ କାହାରି ଭେଟ ନାହିଁ । ଦୁଆର ଦୁଆର ବୁଲି ବୁଲି ଭିକ ମାଗୁଥାନ୍ତି । କାହାଘରେ ଚାଉଳ ଅଛି ଯେ ଭିକ ଦେଵ । ଚାଷବନ୍ଦି ଲୋକେ ଅଵସ୍ଥାନୁସାରେ ପ୍ରଥମେ
କଂସା-ପିତ୍ତଳ, ଗୋରୁଗାଈ, ସୁନାରୂପା ଯାହା ଘରେ ଯାହା ଥିଲା ବିକିବାକି ମାଘ ଫଗୁଣ ଯାଏ ଦାନ୍ତ କାମୁଡ଼ି ଘରେ ପଡ଼ି ରହିଲେ । ସେ ସମୟରେ ବଳଦ ଗୋଟାକର ଦାମ ଧାନ ଗୌଣିକ ଠାରୁ ଚାରି ପାଞ୍ଚ ଗୌଣି, ଗାଈଟାର ଦାମ ଧାନ ଗୌଣିଏ ଦୁଇଗୌଣି । ସୁନା ରୁପା ଓଜନ କରିଵାକୁ ନିକ୍ତି ତୌଲ ନାହିଁ, ପୁଣି ନିକ୍ତି ଖୋଜିଵାକୁ ତର ସହୁନାହିଁ । ଦରଦାମ ବୁଝୁଛି କିଏ ? ଯେତେ ଗୌଣି ଧାନ ଵା ଚାଉଳ ଦେବୁ ଦେ । ଅନେକ ମଧ୍ୟଭଳି ଲୋକେ ଟଙ୍କା ଅଣ୍ଟାରେ ଖୋସି ଗାଁ ଗାଁ କରି ଧାନ ଚାଉଳ ଖୋଜି ବୁଲୁଥାନ୍ତି । ଧାନ ତ ନାହିଁ, ଯାହାର ଯାହାର ଵା ଥିଲା ଲୁଚାଇ ଦେଲେଣି । ଫଗୁଣ ସରିକି ଚାଷବନ୍ଦି ଲୋକ ଅଧିକାଂଶ, କାରିଗର ଶ୍ରେଣୀର ପ୍ରାୟ ସମସ୍ତେ କୁଆଡ଼େ ଛିନ୍ନଭିନ୍ନ ହୋଇ ବୁଣି ପଡ଼ିଲେଣି । ଘାସପତ୍ର ଯେ ଯାହା ପାଇଲା ଚୋବାଉଥାଏ । ତେନ୍ତୁଳି ଗଛରେ କଅଁଳିଆ ପତ୍ର ବାହାରିଵାରୁ ଗୋଟାଏ ଗୋଟାଏ ଗଛରେ ଦଶ କୋଡ଼ିଏ ଜଣ ଲେଖାଏଁ ଚଢ଼ି ମାଙ୍କଡ଼ ପରି ପତ୍ର ସବୁ ଖୁଣ୍ଟି ଖୁଣ୍ଟି ଖାଉଥାନ୍ତି । ଯେଉଁ ଲୋକକୁ ଅନାଅ, ହାଡ଼ ଆଉ ଚମ, ଆଖି ଭିତରକୁ ପଶିଗଲାଣି । ଅନେକ ଭଲ ଭଲ ଘର ଯୁଵତୀ ବୋହୂ ଝିଅ ଦୁଇ ତିନି ହାତ ଲମ୍ବ ଶହେ ଗଣ୍ଠିଳା କନା ଖଣ୍ଡେ ଖଣ୍ଡେ ଅଣ୍ଟାରେ ଭିଡ଼ି ଦେଇ ଦାଣ୍ଡେ ଦାଣ୍ଡେ ବୁଲୁଥାନ୍ତି । ସେମାନଙ୍କର ମାତୃଚିହ୍ନ ଚର୍ମ ଦୁଇଖଣ୍ଡ ଛାତିରେ ଝୁଲୁଥାଏ । କାହାରି କାହାରି କୋଳରେ ଅସ୍ଥି ଚର୍ମମୟ ପିଲା ସେହି ଚର୍ମମୟ ସ୍ତନଟି ମୁହଁରେ ଦେଇ ଝୁଲି ପଡ଼ିଥାଏ । ଶିଶୁଟା ମୃତ କି ଜୀଵିତ ଚିହ୍ନି ହେଉ ନ ଥାଏ । ମା’ଟା ପ୍ରାଣପଣରେ ଛୁଆଟାକୁ ଯାବୁଡ଼ି ଧରିଥାଏ । ଚୈତ୍ରଠାରୁ କ୍ରମଶଃ ମୃତ୍ୟୁସଂଖ୍ୟା
ବଢ଼ିଵାକୁ ଲାଗିଲା,ଦାଣ୍ଡରେ,ଘାଟରେ,ବଣରେ,ପୋଖରୀ ତୁଠରେ ଯହିଁ ଦେଖିଵ ମଡ଼ା ପଡ଼ି ରହିଥାନ୍ତି । ସେ ସମୟରେ ଉତ୍କଳର ପରମବନ୍ଧୁ ପରମସହାୟ ରେଭେନ୍ସା ସାହେବ ବୋଧକରେ ନୂତନ କମିଶନର ପଦରେ ନିଯୁକ୍ତ ହୋଇ ଆସିଥାନ୍ତି । ସେପ୍ଟେମ୍ବର କି ଅକ୍ଟୋବର ମାସରେ ଗବର୍ଣ୍ଣମେଣ୍ଟରୁ କମିଶନରଙ୍କ ପାଖକୁ ଚିଠି ଆସିଲା – ‘ଅନାଵୃଷ୍ଟି ହେତୁରୁ ଓଡ଼ିଶାରେ ଦୁର୍ଭିକ୍ଷ ଉପସ୍ଥିତ ହେଵାର ଖୁବ୍ ସମ୍ଭାଵନା । ପ୍ରଜାମାନଙ୍କ ରକ୍ଷା ନିମନ୍ତେ ଗଵର୍ଣ୍ଣମେଣ୍ଟଙ୍କ ପକ୍ଷରୁ କୌଣସି ପ୍ରକାର ଉପାୟ ଵିଧାନ କରାଯିଵାର ଆଵଶ୍ୟକ କି ନା ? ଯଦି ପ୍ରୟୋଜନ ହୁଏ, କି ପ୍ରକାର ଉପାୟ ଵିଧାନ କରାଯାଇପାରେ ?’ ଗଵର୍ଣ୍ଣମେଣ୍ଟଙ୍କ ଚିଠିର ଉତ୍ତର ଦେଵା ସକାଶେ କମିଶନର
ସାହେବ କଚେରିର ସମସ୍ତ ଅମଲାଙ୍କୁ ବସାଇ ପରାମର୍ଶ କରିଵାକୁ ଲାଗିଲେ । ସିରସ୍ତାଦାର ଦୁଇଜଣ କହିଲେ,“ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିଵ– ପଡୁ; କିଛି ଚିନ୍ତା ନାହିଁ । ମଫସଲର ଜମିଦାର ମହାଜନମାନଙ୍କ ଘରେ ଯଥେଷ୍ଟ ଧାନ ମହଜୁଦ ଅଛି, ସେଥିରେ ଵର୍ଷକ ଚଳି ଯାଇପାରେ ।” ସିରସ୍ତାଦାରମାନେ ଯେ ସ୍ଥଳରେ ଏକଥା କହି ସାରିଲେଣି,
ସେମାନଙ୍କର ମନୋରଞ୍ଜନ ସକାଶେ ପେସ୍କାରମାନଙ୍କର ତ କିଛି ବଢ଼ାଇ କହିଵା ଉଚିତ । କମିଶନରୀ ପେସ୍କାର କହିଲେ, ‘ଗୋପାଳପୁର ମୌଜାର ଜମିଦାର ଘରେ ଦଶଟା ମରେଇରେ ପଚାଶ ହଜାର ଛେଲା ଧାନ ମହଜୁଦ୍ ଅଛି; ତାହାଛଡ଼ା ହଜାର ହଜାର ଛେଲା ଧାନ ଖଣି ପଡ଼ିଛି । ଭୀମପୁର ଶାମ ସାହୁ ଘରୁ ନିକୁଛରେ ଚାଳିଶ ହଜାର
ଛେଲା ଧାନ ବାହାରିଵ । ଏହାଛଡ଼ା ଫି’ ଗାଁରେ ଛୁଟକୁରିଆ ମହାଜନମାନଙ୍କ ଘରେ ଧାନ ତ ପୂରି ରହିଛି । କେଵଳ ଏମାନେ ମରେଇ ଫିଟାଇ ଦେଲେ ଓଡ଼ିଶାକୁ ଦୁଇମାସ ସମ୍ଭାଳି ନେବେ ।’ ପଲିଟିକେଲ ଇଲାକା ପେସ୍କାର ବାବୁ ପଚାଶ ହଜାର ଛେଲାରୁ ଉଠି ଲକ୍ଷ ଲକ୍ଷ ଛେଲା ଧାନ ଲୋକମାନଙ୍କ ଘରେ ଥିଵାର ହିସାବ ଦେଲେ । ଆଉ ତଳ ଅମଲାମାନେ ଯେଉଁ ହିସାବ ଦେଲେ, ସେଥିରୁ ଜଣାଗଲା,
ଓଡ଼ିଶାରେ ଅସୀମ ଧାନ ମହଜୁଦ ଅଛି, ସେଥିରେ ଵର୍ଷକ ରକ୍ଷା ପାଇପାରେ । କମିଶନର ସାହେବ ଗଵର୍ଣ୍ଣମେଣ୍ଟଙ୍କୁ ଲେଖିଲେ,
‘ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିପାରେ; ମାତ୍ର ଦେଶ ମଧ୍ୟରେ ଅନେକ ଧାନ ମହଜୁଦ ଅଛି, ସେଥିରେ ଵର୍ଷକ ଚଳିଯାଇ ପାରିଵ ।’ କମିଶନର ସାହେବ ବଡ଼ ଭୁଲ୍ କଲେ,
ଓଡ଼ିଶାରେ ପ୍ରକୃତ ଏତେ ଧାନ ମହଜୁଦ୍ ଅଛି କି ନାହିଁ, କଥାଟା ଭଲରୂପେ ତଦାରଖ କରିଵା; ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ୍ ଅଛି, ସାଧାରଣ ସଙ୍କଟ ସମୟରେ ସେମାନେ ସେହି ଧାନ ଵିକ୍ରୟ ଵା ଵିତରଣ କରିବେ କି ନାହିଁ, କଥାଟା ଭଲରୂପେ ତଦନ୍ତ କରି ଗଵର୍ଣ୍ଣମେଣ୍ଟଙ୍କୁ
ଜଣାଇଵା ଉଚିତ ଥିଲା । ମାତ୍ର ଉତ୍କଳରୁ ୩୦ ଲକ୍ଷ ପର୍ଯ୍ୟନ୍ତ ମହାପ୍ରାଣୀ ଵିନାଶ ଯିଵା ଏଵଂ ସମସ୍ତେ ଲଣ୍ଡଭଣ୍ଡ ହେଵାର ଯେମନ୍ତ ଵିଧିର ଵିଧାନ । ଏ ସ୍ଥଳରେ କମିଶନରଙ୍କୁ ସୁବୁଦ୍ଧି ଆସିଵ କାହୁଁ ?
ଫଗୁଣ ଆରମ୍ଭଠାରୁ ଲୋକେ ମରିଵାର ଆରମ୍ଭ ହେଲା । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିଵାକୁ ଲାଗିଲା । ବାଟ ଘାଟ ତୋଠ ପଡ଼ିଆ ଅରଣ୍ୟ ଯେଉଁଠାକୁ ଯାଅ,ସେଠାରେ ମଡ଼ା ପଡ଼ିଥିଵାର ଦେଖିଵ । କ୍ରମଶଃ ମୃତ ଶରୀରରେ ଦେଶଟା ଯେମନ୍ତ ଛାଇ ହୋଇଗଲା । ଚାଉଳର ଦର ହୋଇଗଲା ଟଙ୍କାକୁ ୧୦ ସେର । କେଵଳ ୩/୪ ଦିନ ସକାଶେ ଟଙ୍କାକୁ ୩ ସେର ହୋଇଥିଲା, ତାହା ମଧ୍ୟ ସହର ମଧ୍ୟରେ ମିଳିଲା ନାହିଁ । ୩/୪ ଦିନ ଉତ୍ତାରେ ରେଙ୍ଗୁନରୁ ଚାଉଳ ଆସିଵାରୁ ଯେଉଁ ଦଶକୁ ସେହି ଦଶସେର ହୋଇଗଲା । ସହର ମଧ୍ୟରେ କିଣିଵାକୁ କଷ୍ଟରେ ଯାହା କିଛି କିଛି ମିଳୁଥିଲା, କିନ୍ତୁ ମଫସଲରେ ଏକାବେଳକେ ଦୁଷ୍ଟ୍ରାପ୍ୟ । ମଫସଲରେ ଯେଉଁ ଯେଉଁ ଲୋକଙ୍କ ଘରେ ଧାନଚାଉଳ ଥିଲା, ସେମାନେ ଲୁଚାଇ ଦେଲେ; ଅଧିକାଂଶ ଲୋକେ ଘର ମଧ୍ୟରେ ଗାତ ଖୋଳି ପୋତି ପକାଇଲେ । ଯେଉଁସବୁ ଲୋକେ ଶସ୍ତା ପାଇ ପରକୁ ପଲ ଗାଈଗୋରୁ କିଣିଥିଲେ, ନିତାନ୍ତ ଆଶ୍ଚର୍ଯ୍ୟର ଵିଷୟ, ସେହିଵର୍ଷ ମଧ୍ୟରେ ସେ ସମସ୍ତ କିଣା ଗୋରୁ ତ ମଲେ,ସେମାନଙ୍କ ସହିତ ମହାଜନମାନଙ୍କ ଘରେ ନିଜର ଯେଉଁ ଗୋରୁ ଗାଈଥିଲେ, ସେ ଗୁଡ଼ାକ ମଧ୍ୟ ମରି ଗଲେ । ଏ
ସମସ୍ତ ପ୍ରତ୍ୟକ୍ଷ ଵିଷୟ, ଅଵିଶ୍ଵାସର କୌଣସି କାରଣ ନାହିଁ । ଯେଉଁସବୁ ଧାନୁଆ ମହାଜନ ଧାନ ବିକି ଘରେ ଟଙ୍କା ପୋତି ପକାଇଥଲେ, ସେ ସମସ୍ତ ଟଙ୍କା ସୁନା କାହିଁ ଉଭେଇ ଗଲା । ଦୁର୍ଭିକ୍ଷ ପୂର୍ଵଵର୍ଷ ଧାନ ଟଙ୍କାକୁ ବାଲେଶ୍ୱରୀ
ଓଜନରେ ପ୍ରାୟ ଦେଢ଼ଶ ସେର ଏଵଂ ଚାଉଳ ଟଙ୍କାକୁ ଦେଢ଼ ମହଣ ଥିଲା । ସେହି ଚାଉଳ ଦୁର୍ଭିକ୍ଷ ଵର୍ଷ ଟଙ୍କାକୁ ଦଶସେର ହିସାବରେ ବିକ୍ରୀ ହେଵାର ଏପରି ଦୁର୍ଯୋଗ ଘଟିଥିଲା । କେଵଳ ତାହା ନୁହେଁ – ଗତ ପୂର୍ଵ ପାଞ୍ଚ ସାତ
ଵର୍ଷଠାରୁ ଚାଉଳ ବାଲେଶ୍ଵରୀ ୧୦ ସେର ହିସାବରେ ବିକ୍ରି ହୋଇ ଆସୁ ଅଛି । ତେବେ ଦୁର୍ଯୋଗ ଘଟୁ ନାହିଁ କି ସକାଶେ ? ଵର୍ତ୍ତମାନ ପୂର୍ଵଠାରୁ ଟଙ୍କା ଖୁବ୍ ସୁଲଭ । ସମସ୍ତଙ୍କ ହାତରେ ଟଙ୍କା, ଚାଉଳ ସର୍ଵତ୍ର ସୁପ୍ରାପ୍ୟ । ଟଙ୍କା ଦେଲେ ଯେତେବେଳେ ଯେତେ ଇଛା ଧାନ ଚାଉଳ ପାଇ ପାରିଵ । ସେ ସମୟରେ ଚାଉଳ ଓ ଟଙ୍କା ଉଭୟ ଦୁର୍ଲ୍ଲଭ ଥିଲା । ସହସା ଵିଦେଶରୁ ଅଣାଇଵାର ଉପାୟ ମଧ୍ୟ ନଥଲା ।
ମାର୍ଚ୍ଚ ଵା ଏପ୍ରେଲ ସରିକି କମିଶନର ସାହେବ ଓଡ଼ିଶାର ଉପସ୍ଥିତ ପ୍ରକୃତ ଅଵସ୍ଥା ଜଣାଇ ଯଥେଷ୍ଟ ପରିମାଣରେ ଧାନ ଚାଉଳ ପଠାଇ ଦେଵା ସକାଶେ ଗଵର୍ଣ୍ଣମେଣ୍ଟଙ୍କୁ ପ୍ରାର୍ଥନା କଲେ । ଗବର୍ଣ୍ଣମେଣ୍ଟ ବୋଧ କରୁ କମିଶନର ସାହେବଙ୍କ ପୂର୍ଵ ଚିଠି ସ୍ମରଣ କରି ଟେଲିଗ୍ରାମ କଲେ, ‘ତୁମ୍ଭେ ଚାଉଳ ପଠାଇଵା ସକାଶେ ଟେଲିଗ୍ରାମ କରି ଅଛ । ମାତ୍ର ଟେଲିଗ୍ରାମରେ ଚାଉଳ ପଠା ଯାଇ ନ ପାରେ ।’
ଵର୍ତ୍ତମାନ କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ସୁନ୍ଦର ଟ୍ରଙ୍କ ରୋଡ଼ ଵା ବଡ଼ଦାଣ୍ଡ ଦେଖୁଅଛ ସେ ସମୟରେ ସେଥିର ଚିହ୍ନ ମାତ୍ର ଗୋହିରିସ୍ଵରୂପ ଥିଲା । ତାହା ପୁଣି ଅରଣ୍ୟମୟ ଏଵଂ ଚୋର ଡକାଏତରେ ପରିପୂର୍ଣ୍ଣ । ସୁତରାଂ ଉପର ଦାଣ୍ଡରେ ଧାନଚାଉଳ ଆସିଵାର ଉପାୟ ନ ଥିଲା । ନିମକ୍ ମାହାଲ ଉଠି ଯାଇଥିଵାରୁ ବାଲେଶ୍ୱରୀ ସାମୁଦ୍ରିକ ଜାହାଜର ଵଂଶ ବିଲୁପ୍ତ ହୋଇଥିଲା । ବାଲେଶ୍ଵରଵାସୀ କଳଜାହାଜ ନାମକ ଗୋଟାଏ ପଦାର୍ଥ ଅଛି ବୋଲି ନାମ ମାତ୍ର ଶୁଣିଥିଲେ । ତଥାପି ଗଵର୍ଣ୍ଣମେଣ୍ଟ
କଲିକତାରୁ ବଡ଼ ବଡ଼ ମନୋହରି ଜାହାଜ ଭଡ଼ା କରି ରେଙ୍ଗୁନ ଓ ବଙ୍ଗଦେଶରୁ ଚାଉଳ ପଠାଇଵାକୁ ଲାଗିଲେ । ସ୍ଥାନେ ସ୍ଥାନେ ଅନ୍ନଛତ୍ର ସରକାର ତରଫରୁ ଫିଟାଗଲା ।
ଅନ୍ନଛତ୍ରର ନାମ ମଫସଲରେ ପ୍ରଚାରିତ ହେଵା ମାତ୍ରକେ ଅନ୍ନକ୍ଳିଷ୍ଟ କାଙ୍ଗାଳିମାନେ ସହରକୁ ଧାଇଁଲେ । ପନ୍ଦର କୋଡ଼ିଏ ଦିନ ପୂର୍ଵରୁ ଅନ୍ନ ସହିତ ସେମାନଙ୍କର ଭେଟ ନାହିଁ, କଅଁଳ ପତ୍ର ଓ ଅଖାଦ୍ୟ ଫଳମୂଳ ଖାଇ ବଞ୍ଚି ରହିଥିଲେ । ଅନ୍ନାଶାରେ ସହରକୁ ଧାଇଁଲେ, ମାତ୍ର ଏତେ
ଦୂରକୁ ଆସି ପାରିବେ କିପରି ? ଦଶ ବାର ପଣି ଲୋକ ତ ବାଟରେ ମଲେ, ଯେଉଁମାନେ ଅନ୍ନଛତ୍ର ଯାଏଁ ଆସି ପାରିଲେ, ସେମାନେ କେବଳ ବଖତେ ବଖତେ ଅନ୍ନ ଖାଇ
କେହି ଝାଡ଼ା ଵାନ୍ତିରେ କେହି ଆମାଶୟରେ ମଲେ । ସେମାନଙ୍କ ପେଟ ତ ଶୁଖି ରହିଥିଲା,ଏଣେ ଅନ୍ନ ପାଇଁ ରଙ୍କଣା ହୋଇଥିଲେ, ଭାତ ଦେଖି ଯେ ଯେତେ ପାଇଲା ପେଟେ ପେଟେ ଖାଇ ପକାଇଲା । ହଜମ ଶକ୍ତି ଵିଲୁପ୍ତ,ଏତେ ଭାତ କଣ ପେଟ ସମ୍ଭାଳି ପାରିଵ ? ପରଦିନ ରାତି ନ ପାହୁଣୁ ଝାଡ଼ା ଵାନ୍ତି ଵା ଅନ୍ୟ ବେମାରି ଉପସ୍ଥିତ
ହେଲା । ଦିନେ ଦୁଇଦିନ ମଧ୍ୟରେ ମରି ଶୋଇଲେ । ଶୁଷ୍କ ପେଟ -କାଙ୍ଗାଳି ମାନଙ୍କ ଚିକିତ୍ସା ସକାଶେ ଡାକ୍ତର ଉପସ୍ଥିତ । ସରକାର ବସ୍ତା ବସ୍ତା ସାଗୁଦାନା କଲିକତାରୁ ଅଣାଇ ଅନ୍ନଛତ୍ର ଗୋଦାମରେ ଜମା କରି ରଖିଲେ ।କାଙ୍ଗାଳିମାନଙ୍କୁ ପ୍ରଥମ କେତେଦିନ ଯାଏ ସାଗୁ ଦାନା ଦିଆଯିଵାର ଵ୍ୟଵସ୍ଥା କରାଗଲା; ମାତ୍ର କାହିଁରେ କିଛି ହେଲା ନାହିଁ, ପ୍ରାୟ ସବୁ ଗୁଡ଼ାକ ମଲେ । ଅନ୍ନଛତ୍ରରେ ଚତୁର୍ଦ୍ଦିଗରେ ଏଵଂ ସହରର ଅନ୍ୟାନ୍ୟ ସ୍ଥାନ – ଦାଣ୍ଡରେ ଘାଟରେ ଯେଉଁ ସବୁ ଲୋକ ମରି ପଡ଼ି ରହିଥାନ୍ତି, ସକାଳୁ ମେହେନ୍ତରମାନେ ସେମାନଙ୍କୁ ଉଠାଇ ଶଗଡ଼ରେ ପୂରାଇ ନଦୀକୁ ଫୋପାଡ଼ି ଦିଅନ୍ତି । ମାସେ କି ଦେଢ଼ମାସ ପର୍ଯ୍ୟନ୍ତ
ମେହେନ୍ତରମାନେ ତିନି ଚାରି ଖଣ୍ଡ ମଡ଼ା ବୋଝେଇ ଶଗଡ଼ ନଦୀ ଆଡ଼କୁ ଘେନି ଯାଉଥିଵାର ଲେଖକ ପ୍ରତ୍ୟକ୍ଷ ଦେଖି ଅଛି । ସରକାର ଯେଉଁ ଚାଉଳ ଵିଦେଶରୁ ଅଣାଇଥିଲେ, ଅନ୍ନଛତ୍ର ଖରଚ ବାଦ ଟଙ୍କାକୁ ୧୦ ସେର ଦରରେ ସାଧାରଣରେ ଵିକ୍ରୟ କରିଵାର ଵ୍ୟଵସ୍ଥା କରାଇଥିଲେ । ମାତ୍ର ଯାହାକୁ ଇଚ୍ଛା ତାକୁ କିମ୍ବା ଯେତେ ଇଚ୍ଛା ତେତେ ଵିକ୍ରୟ କରିଵାର ଵ୍ୟଵସ୍ଥା ନଥିଲା । ରିଲିଫ କମିଟି ନିଯୁକ୍ତ ମେମ୍ବରମାନେ ଲୋକ ଦେଖି ସେରେଠାରୁ ଟଙ୍କାକ ପର୍ଯ୍ୟନ୍ତ ଚାଉଳ ଦେଵାର ଟିକଟ ଦେଲେ । ସେହି ଟିକଟ ଦେଖାଇ ଲୋକେ ଗୋଦାମରୁ ଚାଉଳ ନେଉଥିଲେ ।
ପୃଥିଵୀରେ କିଛି ଚିରସ୍ଥାୟୀ ନୁହେ । ଦୁର୍ଭିକ୍ଷ ତ ଚାଲିଗଲା। ଦୁର୍ଭିକ୍ଷର ପରଵର୍ଷ କେତେଗୁଡ଼ାଏ ବାଳକ ବାଳିକା ଏଵଂ ମନୁଷ୍ୟ ଦାଣ୍ଡେ ଦାଣ୍ଡେ ବୁଲୁଥିଲେ । ସେମାନେ ଛତ୍ରଖିଆ ବୋଲି ହିନ୍ଦୁସମାଜ ସେମାନଙ୍କୁ ତଡ଼ିଦେଲା । ମାତ୍ର ମିଶନରୀମାନେ ସେମାନଙ୍କୁ ଆଦର ପୂର୍ଵକ କୋଳକୁ ଟେକି ନେଇ ପୁତ୍ର ପରି ପ୍ରତିପାଳନ କଲେ ଏଵଂ ଶିକ୍ଷିତ ଓ ଉପଯୁକ୍ତ କରାଇଵାକୁ ଲାଗିଲେ। ଏହିଠାରେ ହିନ୍ଦୁଧର୍ମ ଓ ଖ୍ରୀଷ୍ଟାନ ଧର୍ମର ପାର୍ଥକ୍ୟ ଜଣାଯାଏ । ଆମ୍ଭମାନଙ୍କ ସମାଜସ୍ଥ ସ୍ୱଧର୍ମଵଲମ୍ବୀ ଲୋକଗୁଡ଼ିଏ ପ୍ରାଣରକ୍ଷା ନିମନ୍ତେ ଅନ୍ୟଲୋକ ହସ୍ତରୁ ଅନ୍ନଗ୍ରହଣ କରିଵାରୁ ଆମ୍ଭେମାନେ ସେମାନଙ୍କୁ ଦୂର ଦୂର କରି ପାଖରୁ ତଡ଼ି ଦେଉଁ, ମାତ୍ର ଦୂରଦେଶୀୟ ଭିନ୍ନ ଧର୍ମାଵଲମ୍ବୀ ଲୋକେ ସେମାନଙ୍କୁ ଆଦର ପୂର୍ଵକ କୋଳକରି ନେଇ
ପ୍ରତିପାଳନ କଲେ ଓ ଉପଯୁକ୍ତ କରାଇଲେ । ଏଥିକୁ ଆମ୍ଭେମାନେ ସାହସ ପୂର୍ଵକ ବୋଲିବାକୁ ପ୍ରସ୍ତୁତ –ଖ୍ରୀଷ୍ଟାନ ଧର୍ମ ଓ ଜାତି ପତିତପାଵନ । ହିନ୍ଦୁସମାଜ ଯେ ସେ ସମୟରେ ସେ ଛତ୍ରଖିଆମାନଙ୍କୁ ସମାଜରୁ ତଡ଼ି ଦେଇଥିଲା, ଏଥିପାଇଁ ହିନ୍ଦୁଧର୍ମ ଦାୟୀ ନୁହେଁ, ଅଵିଵେକୀ
ସମାଜର ଦୋଷ ଅଟେ । ଦୁରବସ୍ଥାରେ ପଡ଼ି ପ୍ରାଣରକ୍ଷା ନିମନ୍ତେ ଅତି ନୀଚ ଅସ୍ପୃଶ୍ୟ ଜାତିସୃଷ୍ଟ ଅନ୍ନଗ୍ରହଣ କରିଵା ଦୂଷଣୀୟ ନୁହେଁ ବୋଲି ହିନ୍ଦୁ-ପୁରାଣ-ଶାସ୍ତ୍ରମାନଙ୍କରେ
ସୁସ୍ପଷ୍ଟ ଉଲ୍ଲେଖ ଅଛି । ରାଜର୍ଷି ଵିଶ୍ୱାମିତ୍ର ଏକଦା ପ୍ରାଣରକ୍ଷା ନିମନ୍ତେ ଚଣ୍ଡାଳ ଦ୍ଵାରା ପାକ ହୋଇଥିଵା କୁକୁର ମାଂସ ଭକ୍ଷଣକରି ପୁନର୍ଵାର ମହର୍ଷି ମଣ୍ଡଳୀରେ ସ୍ଥାନଲାଭ କରିଵା ଵିଷୟ ମହାଭାରତରେ ସୁସ୍ପଷ୍ଟ ଉଲ୍ଲେଖ ଅଛି ।